Unknown

 

 

 

 

 

 

 

 

 

 

 

ଧାରାଶ୍ରାବଣ

ଶ୍ରୀ ଘନଶ୍ୟାମ ମିଶ୍ର

 

ଉତ୍ସର୍ଗ

 

ସେଇ କ୍ଷୁଦ୍ର ଶିଶୁଟି–ମାତ୍ର କେତୋଟି ଦିନ ପାଇଁ ଯେ ମୋର କ୍ଷୁଦ୍ର ପରିବାର ଭିତରେ ଆହୁରି କ୍ଷୁଦ୍ର ଗୋଟେ ନିତିଦିନିଆ ଜଞ୍ଜାଳ ଲଗେଇ ଦେଇଥିଲା ଝିଅଟେ ବୋଲି କେତେ ନାକଟେକା, ହାତ ଛିଞ୍ଚଡ଼ା ଭିତରେ ବି ଟାଣିପାରିଥିଲା ଗୋଟେ ମୋହର ପାତଳ ପରଦା–ରକ୍ତ ମାଂସର ମୋହ–ଆଖି ପିଛଡ଼ାକେ କୁଆଡ଼େ ମିଳେଇଗଲା ପାଣି ଫୋଟକା ପରି, ଶ୍ରାବଣର ଗୋଟିଏ ବରଷା ଆତୁରା ଅନ୍ଧାର ରାତିରେ ସେଇ ଶିଶୁଟିର ସୂତାଖିଅ ପରି ଜୀବନ୍ତ ସ୍ମୃତି ଉଦ୍ଦେଶ୍ୟରେ–

 

ଭୁବନେଶ୍ଵର

 

ତା’ ୧୦ । ୮ । ୫୧ ରିଖ

ଲେଖକ

ଶୁକ୍ରବାର

 

✾✾✾

 

ଶ୍ରାବଣ ରାତିର ମେଘ ଅନ୍ଧାର !

 

ସେଦି ପୁଣି ହୋଇଥାଏ ‘ଚିତୋଉ ଅମାସିଆ’ । ମେଘ ଅନ୍ଧାର ଭିଡ଼ି ଦେଇଛି କାହିଁଉେ କ’ଣ । ବିଜୁଳି, ଘଡ଼ଘଡ଼ି, ବରଷା–କେହି କାହାକୁ ଊଣା ନୁହନ୍ତି । ଭୁବନେଶ୍ଵର ନୂଆ ରାଜଧାନୀର ଟାଙ୍ଗରା ଭୂଇଁଟା ଖାଲି ପଡ଼ିଛି, ଉଠୁଛି ବାଆ ବତାସରେ ।

 

ସାଇପରି ଧାଉଡ଼ିଆ କୋଠାଘର କଡ଼େ କଡ଼େ ଲମ୍ଵିଯାଇଛି ଗେଟି ବିଛା ରାସ୍ତା । ବସ୍ତାକଡ଼ରେ ବିଜୁଳିବତୀ ଖୁଣ୍ଟଗୁଡ଼ା ମେଘ ଅନ୍ଧାର ଭିତରୁ ଆଖିମିଟିକା ମାରୁଛନ୍ତି କାହିଁ କେତେ ପଛୁଆ ଦିନର ପୁରୁଣା କଥା ଚେତେଇ–ଏଇପରା ଦିନେ ଓଡ଼ିଶା ରାଜାଙ୍କ ଗନ୍ତାଘର ହୋଇଥିଲା–ଏକାମ୍ରକାନନ !

 

ଏଇଠି ଦିନେ ଏଇମିତିଆ ଅନ୍ଧାରରାତି ହୁଏତ ଦକ୍ଷିଣୀ ନାଚରେ ମୁଖର ହୋଇଉଠୁଥିଲା–କେତେ ହସଖେଳ, ନାଚକୁଦ, ମଉଜ ମଜଲିସ୍ ! ଆଉ ଆଜି ?

 

ଆଜି ସେ ରାଜାଙ୍କ ନାଁ ପିଲାଙ୍କ ଇତିହାସ ଗପ ହୋଇଛି । କେତେ ଶ୍ରାବଣ ଆସିଲାଣି, ଗଲାଣି ଘଣ୍ଟା କଣ୍ଟା ପରି । ଯେଉଁ ବା’ରକୁ ସେଇ ବା’ର ରହିଛି ସଇମିତି ଅମଉଳା । ଘଣ୍ଟା କଣ୍ଟାଟା ଗୋଟେ ଗତ ପକେଇ ଘୁରି ଚାଲିଛି ।

 

ସେଇ ପୁରୁଣା ଯୁଗର ଶ୍ରାବଣ ହୁଏତ ଆଜିକାର ଏଇ ଉପର ଚକଚକିଆ ଯୁଗର ଶ୍ରାବଣ ସାଙ୍ଗରେ ସମତୁଲ ହେବ କି ନା, ଜାଣି ହେଉନି । କେମିତି ବା ଜାଣି ହେବ ?

 

ସେ ଯୁଗର ଶ୍ରାବଣ ତ ଏବକାଳ ପରି ଚଷାମରା ରୀତି ଧରୁ ନଥିଲା ! ଚଷା ମନଜାଣି ଅଜାଡ଼ି ଦେଉଥିଲା ସେ କୁବେର ସମ୍ପତ୍ତି ବିଲବଣରେ । ଆଉ ଆଜି ? –ଆଜି ହଳବଳଦ ହଡ଼ାବେପାରୀଙ୍କ ହାତରେ ଟେକିଦେଇ ଚଷା ହୋଇଛି କୁଲୀ, ମଜୁରିଆ । ପେଟ ଚାଖଣ୍ତକ ପାଇଁ ଘର ଦୁଆର, ପିଲା କବିଲା ଛାଡ଼ି ପରପାଖରେ ଦାନ୍ତ ନିକୁଟି ହାତ ପାତିଛି–ସେ କୁଲୀ ସେ ମଜୁରିଆ !!

 

ଆଜି ସେଇ ଶ୍ରାବଣ ରାତି ପୁଣି ‘ଚିତୋଉ ଆମାସିଆ’ ।

 

ଭୁବନେଶ୍ଵର ନୂଆ ରାଜଧାନୀର ଗେଟି ବିଛା ରାସ୍ତାରେ ମେଘ ଅନ୍ଧାର ଠେଲି ଚାଲିଥାଏ ରାଜୀବା । ସାମନାପଟରୁ ପାଣିଛିଟା ମାରି ତିନ୍ତାଇ ଦେଲାଣି ଦେହ । ପବନ ଘାତେ ତାଳପତ୍ର ପଖିଆଟା ସମ୍ଭଳା ପଡ଼ୁନାହିଁ । ବରଷା ହାଲପ ଦେହସାରା ଥରାଇ ଦେଉଛି । ଭୋକରେ ପେଟ ଗେଟା ଗୋଟା ହୋଇଯାଉଛି । ରାଜୀବା ଚାଲିଛି । ଆଉଗୋଟେ ବତୀଖୁଣ୍ଟ ଡେଇଁଗଲେ ପଡ଼ିବ କଣ୍ଟ୍ରୋଲ ଚାଉଳ ଦୋକାନ । ଚଞ୍ଚଳ ନଗଲେ ଚାଉଳ ସରିଯିବ । ଦୋକାନିଟା ଚଟ୍‍ପଟ୍‍ କବାଟ ଆଉଜାଇ ଦେବ । ଭୋକ ଓପାସରେ ତମେ ମଲେ କେତେ–ଗଲେ କେତେ !

 

ଏଇ ଦେଶର, ଏଇ ମୁଲକର ମଣିଷ ତ ସେମାନେ ! ଚାଷୀ ମୂଲିଆଙ୍କ ହାଡ଼ରସା ଗୋଳା ଖଟଣି ବଦଳରେ ସେମାନେ ହୋଇଛନ୍ତି ଅନ୍ନଦାତା’ । କୋଠାଘର, ମଠାଜାମା, ବିଜୁଳିବତୀ, ପଙ୍ଖା–ଏଇମିତି କେତେ କ’ଣ । କେଉଁଠୁ ଆସୁଛି ଏ ସବୁ ? ଖଟିବ ଚଷା ଆଉ ଭୋଗିବେ ଏମାନେ । ସେଥିରେ ପୁଣି ତୋଡ଼ କ’ଣ ଦେଖିବ ? –ବରଷା ପାଗ ଦେଖି ଉଷୁମ ଟାଣୁଥିଲୁ କି ? ଆସିଲେ ଆମ ମାହାପାତ୍ରେ ଝୁଲିଝୁଲିକା–ଚାଉଳ ନେବେ–ଯା, ଚାଉଳ ନାହିଁ ।

 

ମନଟା ଖାଲି ରବେଇ ଖବେଇ ହେଉଥାଏ ରାଜୀବାର । ପେଟର ଜ୍ଵାଳା ତା’କୁ ପାଗଳ କରିଦେଲାଣି ସେତେବେଳକୁ । ଓଦା ଜୁଡ଼ୁବୁଡ଼ୁ ପଖିଆଟାକୁ ତଳେ ଥୋଇଦେଇ କେଡ଼େ ଆଶାରେ ସେ ଉଠିଯାଇଥିଲା ଦୋକାନ ପିଣ୍ତା ଉପରକୁ । ଚାଉଳ କାର୍ଡ଼ ଖଣ୍ତକ ସାତ ପରସ୍ତ କରି ଅଣ୍ଟାରେ ଗୁଞ୍ଜିଥିଲା କ’ଣ ଏଇଥିପାଇଁ ?

 

ଦରଆଉଜା କବାଟ ଫାଙ୍କରେ ମୁହଁ ଗଳାଇ ସେ କହିଲା–ବାବୁ, ଆଜିକ ହେଲେ ଦେଇଥା–ଆଉଥରକୁ ସଅଳ ନ ଆସିଲେ ପଛେ ମନା କରିଦେବ । ଏ ବରଷାଟାରେ ମୁଁ କେତେ ବାଟରୁ ଦଉଡ଼ିଛି, ଟିକିଏ ମୁହଁକୁ ଅନଉନା !

 

ସିଧାସଳଖ ଭିତରୁ ଜବାବ ଆସିଲା–ନାହିଁରେ ବାବୁ, ହୋଇପାରିବ ନାହିଁ । ବିକିରୀବଟା ବନ୍ଦ ହେଲାଣି । ଯା, ଆଉ ପାଟି ତୁଣ୍ତ କରନା–ହିସାବ ଗୋଳମାଳ ହେବ ।

 

ଲୋକଟାର ତୋଟି ଚିପି ଦେବାକୁ ମନ ହେଲା । ନାଚାର ସେ–କ’ଣ କରିବ ?

 

ପଖିଅଟାକୁ କାନ୍ଧରେ ପକାଇ ଏ ଆଡ଼କୁ, ସେ ଆଡ଼କୁ ଦି’ ଚାରିଥର ଚାହିଁଲା ରାଜୀବା । କୁକୁରଟାଏ ବି ହେଲେ ଭୁଲରେ ବସ୍ତକୁ ବାହାରି ପଡ଼ୁନାହିଁ ତୁହାକୁ ତୁହା ବରଷା ହୋଇ ଚାଲିଛି । ଭଙ୍ଗା ମାଉସୀ ମନ୍ଦିର ପାଖରେ ନୁଅଣିଆ ଚାଳ ଘରେ, ରହେ ରାଜୀବା । ଏତକ ବାଟ ଆହୁରି ଯିବାକୁ ପଡ଼ିବ ତା’କୁ ।

 

ସେଇ ପଞ୍ଜାବୀ କାନତରାଟି ପାଇଁ ତା’ର ଆଜି ଏ ଅବସ୍ଥା । ମଜୁରୀ ଗଣ୍ତାକ ପାଇଁ ଗୋଡ଼ଭାଙ୍ଗି ଠିଆ ହୋଇ ହୋଇ ଆଜି ଚାଉଳ ଗଣ୍ତାଏ ବି ତା’ ଭାଗ୍ୟରେ ଯୁଟିଲା ନାହିଁ । ହଉ, ଦେଖିବା ନାଇଁ–କାଲି ଫେର୍‍ତ ସେ କାମକୁ ଯିବ । ଗଲାମାତ୍ରେ କେମିତି ସେ କାନତରାଟି କହିବ–ରାଜୀବା ଗଲୁରେ, କପେ ଚା’ ଆଣିବୁ ସେ ସାମନା ଦୋକାନରୁ ।

 

ଚିତୋଉ ଅମାସିଆ, ସେଇ ମେଘ ଅନ୍ଧାର ଠେଲି ରାସ୍ତାରେ ଚାଲିଛି ରାଜୀବା । ବାହାରେ ତୁହା ତୁହା ହୋଇ ବରଷି ଚାଲିଛି ମେଘ । ଭିତରେ ତୁହା ତୁହା ହୋଇ ଚେତି ଉଠୁଛି କେତେକାଳର କେତେ ମଉଳା କଥା । ଠିକ୍ ଗାଈଗୋରୁ ଗୁହାଳେ ଶୋଇ ପାକୁଳି କଲାପରି ରାଜୀବା ମନରେ ଗୋଟିକ ପରେ ଗୋଟିଏ କଥା ଜାଗିଉଠୁଛି ।

 

ଆଜି ‘ଚିତେଉ ଅମାସିଆ’ । ଘରେ ଥିଲେ ବୁଢ଼ୀମା’ କେତେ ଆଦର ଗଉର କରି ବିଲ ଫେରନ୍ତି ରାଜୀବା ଆଗରେ ବାଢ଼ିଦେଇଥାନ୍ତା ଗୁଡ଼ ଚିତୋଉ । ଗଲାବରଷ ଏଇଦିନେ ରାଜୀବା କେତେ ରକମର ପିଠା ଖାଇଥିଲା । ମା’ ବୁଢ଼ୀ ତା’ର ପଡ଼ିଶାଘର ଚଉଧୁରୀଙ୍କ କୁଟୁମ୍ଵ ଗୋଟାକର କାମ ପାଇଟି କରିଦିଏ ବୋଲି ଚଉଧୁରାଣୀ ତା’କୁ ଭାରି ସୁଖ ପାଆନ୍ତି । ବିଷ ହେଲେ ବି ବୁଢ଼ୀକି ଟିକିଏ ନ ଦେଇ ରହିପାରନ୍ତି ନାହିଁ ।

 

ଆଉ ସୁନେଇ–ଲାଜକୁରୀଟା । ଛୋଟିଆ ଚେକାମୁହଁଟି କୁହୁଳେଇ ଆସି ଫେରାଦ ହୋଇ ବସେ–ବାଡ଼ିରେ ହେଇଚି ସୁନୁସୁନିଆ ସାଗ । ସେଇଥିରୁ ଅଣ୍ଟିଏ ଆଣି ରସୁଣ ପକେଇ ଖରଡ଼ି ଦେଲେ ସକାଳୁ କାଲି ପଖାଳ ଖାଇ ବିଲକୁ ଯାଅନ୍ତ ନାଇଁ । ରାଜୀବାର ବୁଦ୍ଧି ବଣା ହୋଇଯାଏ । ଆଗକୁ ପଛକୁ ଚାହିଁ ଓଢ଼ଣା ଭିତରେ ତା’ ଫୁଲିଲା ଗାଲକୁ ଟିପେଇ ଦେଇ ସେ କଅଣ ପାଏ କେଜାଣି !

 

ମନେ ପଡ଼ିଗଲା ଦିନ ପନ୍ଦର ତଳର ଚିଟାଉ କଥା । ସୁନେଇଦେଇ ଥିଲା । ଶାମଦାସ ବୁଢ଼ା ହରବର କରୁଛି ତା’ କରଜା ଧାନ ପାଇଁ । ଗାଁ ଛାଡ଼ିଲାବେଳେ ରାଜୀବା ଅଧାଅଧି ଶୁଝିଦେଇଥିଲା । ବାକି ଅଧକ ହୋଇଛି ଗୋଟେ କଣ୍ଟା । ବୁଢ଼ୀମା ଥିଲେ ରାଜୀବା କାହିଁକି ଗାଁ ଛାଡ଼ି ପଳାଇ ଆସିଥାଆନ୍ତା ଏତେ ଦୂରକୁ ? କାହିଁ ଆସିକା ପାଖ ଭେଟନଈ ଗାଁ, ଆଉ କାହିଁ ଭୁବନେଶ୍ଵର !

 

ଏ ଜୀବନଟା କ’ଣ ସତେ ମ । କଥାପଦାକୁ ନାହିଁ । କାଲି ପରି ଲାଗୁଛି । ଆଖିକି ଦିଶିଯାଉଛି । ଗାଁ ମଝିରେ ବୁଢ଼ୀମା ତା’ର ଶାମଦାସ ବାଡ଼ି କୂଅରୁ ମାଠିଆ ମାଠିଆ ପାଣି କଖେଇ ଚାଲି ଆସୁଥିବ । ବାଷଠୀ ବରଷର ବୁଢ଼ୀ–ଟିକିଏ ଅଣ୍ଟା ଲଇଁଥିଲା ନା ? ଗଲାବରଷ ଚଉଧୁରୀଙ୍କ ଖଳାରୁ ବେଙ୍ଗଳା ସାରି ରାଜୀବା ଘରକୁ ଫେରିଲା ବେଳକୁ ସୁନେଇଁ ଧାଇଁ ଆସି ନାକ ସୁକୁ ସୁକୁ କରି କହିଲା–ବୁଢ଼ୀକି ହେଲାଣି ଜର । ଶେଳଷମାଟା ଧରିଚି ।

 

ରାଜୀବା ଯାଇଁ ଦେଖିଲାବେଳକୁ କଥା ସରିଆସିଲାଣି । ବୁଢ଼ୀର ଗୋଡ଼ହାତ ବରଫପରି ଥଣ୍ତା । ଯୁଆଡ଼େ ଯେମିତି ବହେ ଧାଁ ଦଉଡ଼ କଲା ରାଜୀବା–ହେଲେ ଆଉ କାହିଁ ଥାଏ-? ରାତି ପାହାନ୍ତା ବେଳକୁ ବୁଢ଼ୀ ଖତମ୍ । ପାଣି ଫୋଟକାପରି ଜୀବନଟା ଆଖି ପିଛଡ଼ାକେ ମିଳାଇଯାଏ । ସେହିପରି ମିଳାଇଗଲା ବୁଢ଼ୀମା ତା’ର ରାଜ୍ୟଟା ଯାକର ଚିନ୍ତା ମୁଣ୍ତ ଉପରେ ଅଜାଡ଼ିଦେଇ । ରାଜୀବା ହେଲା ଘରକୁ ଏକା । ସୁନେଇଟି ପାଖରେ ବସି ଶକାଉଥାଏ । ପିଲାଟାଏ ସେ–କ’ଣ ବା କରିବ ?

 

ଚଷାଘର ପୁଅ ସେ–ଚାଷୀ । ଲଙ୍ଗଳ କଣ୍ଟିଟା ହାତରେ ଥିଲେ ଚଷାପୁଅର କେଡ଼େ ହିମତ୍ । ଦିନକେତେ ଚଉଧୁରୀଙ୍କ ମୂଲ ମଜୁରୀରେ ଚଳିଗଲା ରାଜୀବାର ସଂସାର । କେତେଦିନ ବା ଏମିତି ଚଳିବ ? ମା’ବୁଢ଼ୀ ଥିବାଯାଏଁ ରାଜୀବାକୁ କେହି ଭରସି କିଛି କହିପାରୁନଥିଲେ । ସେ ଆଖି ବୁଜିଲା ବାସି ଦିନରୁ ଜଣ ଜଣ ହୋଇ ସାହୁକାର ପହଞ୍ଚିଗଲେ–କାହାର କେତେ ପ୍ରକାର ପାଉଣା ।

 

ବାପକମେଇ ଜମି ଦି’ଗୁଣ୍ଠ ବନ୍ଧା ପକାଇ ରାଜୀବା ମା’କୁ ଶୁଦ୍ଧି ହେଲା । ଶାମଦାସଙ୍କ କରଜା ଧାନରୁ ଅଧକ ଶୁଝି ସେ ଗାଁଛାଡ଼ି ପଳାଇଆସିଲା ଭୁବନେଶ୍ଵର–ନୂଆ ରାଜଧାନୀ କାମ ଲାଗିଛି । କେତେ କୁଆଡ଼ୁ ଆସି ସେଠି କୁଲୀଗିରି କରୁଛନ୍ତି । ସେ ଏବେ ସେମାନଙ୍କ ସାଙ୍ଗରେ ମିଶି ଜଣେ ହେବ । ବଳ, ବୟସ ଅଛି । ଗାଁ ସାଈରେ ଏଘର ସେଘର ହେବାଠୁଁ ବିଦେଶରେ ପର ପାଖରେ ହାତ ପତାଇବା ବରଂ ରାଜୀବା ମତରେ ଭଲ ।

 

ଖାଲି ଏତିକି–ସୁନେଇଟି ଏକା ରହିଯିବ । ହଁ ପାଖ ପଡ଼ିଶା ମାଉସୀ ପିଉସୀଙ୍କ ସାଙ୍ଗରେ ହେଳମେଳ ହୋଇ ଚଳିଯିବ ନାହିଁ ଯେ…ସୁନେଇ ସାହସ ଦେଲା ।

 

ଏଇ ‘ଚିତୋଉ ଅମାସିଆ’–ସୁନେଇ ବାର ବାର କରି ଲେଖିଥିଲା ଗାଁକୁ ଯିବାପାଇଁ । ବେଶୀ ନ ହେଲେ ଦିନ ଦି’ଟା ରହି ଚାଲି ଆସିବ ରାଜୀବ । ଦି’ଦିନର ମଜୁରୀ କେଉଁଠୁ ଆସେ ? ଅରଜିବକୁ ଆସି ସେଥିରୁ ଏମିତି କମେଇ କଲେ କାହାର ଯିବ ? କାନତରାଟିକି କ’ଣ ଅପ୍ରାପ୍ତ ହୋଇଛନ୍ତି ଲୋକ ? ହେଲେ…

 

ଏଇ ବରଷା ଘୋଟି ଯାଇଥିବ ଭେଟନଈ ଗାଁରେ । ସୁନେଇ ଥିବ ଘରଟି ଭିତରେ ଏକା…କେତେ ସାତ ପାଞ୍ଚ ଭାବନା ଘେରିଗଲା ରାଜୀବା ମନକୁ । ପାପ ଛୁଇଁଲା…ସୁନେଇ ତା’ପାଇଁ ଏଇମିତି ଝୁରିହେଉଥିବ ନା…

 

କି, ଗଜା ବୟସ, ରୂପର ଗଢ଼ଣ ଯେମିତି ଇଚ୍ଛା ସେମିତି । କେହି ନ ହେଲେ ଶାମ ଦାସ ପୁଅ ଅରକ୍ଷିତିଆଟା ଆଖି ଆଗରେ ଦିଶିଯାଉଛି । କରଜାଧାନ ମାଗିବା ବାହାନାରେ ରାଜୀବା ଥିଲା ଦିନେ ବି କେବେ କେମିତି ଦାଣ୍ତ ପଟରେ, ବାଡ଼ି ପଟରେ ଲଙ୍ଗର ପଙ୍ଗର ହେଉଥିବ…..ଦେହଟା ଶିହରି ଉଠିଲା ରାଜୀବାର । କ’ଣ ଗୁଡ଼େ ଭାବୁଛି ସେ ?

 

କେଡ଼େ ବେଗି ଗୋଟେ ବିଜୁଳି ଝଲକ ପରି ମନେ ପଡ଼ିଗଲା ଫୁଲି ମୂଲିଆଣୀ କଥା । ଘର ଏଇଠି ନଜିକରେ କପିଳେଶ୍ଵର ଗାଁ । ଛୁଆଁ ଜାତି । ନିତି ସକାଳୁ ମୂଲ ଲାଗି ଆସେ, ସଂଧ୍ୟା ଗୁଞ୍ଜୁ ଗୁଞ୍ଜୁ ଘରକୁ ଫେରେ । ଭାରି ଦେଖିପାରେ ସେ ରାଜୀବାକୁ । ଗାଁରୁ କେତେଜାତିର ଫୁଲଫଳ ଆଣିଦିଏ । ଏକୁଟିଆ ଲୋକ ଜାଣି କେତେଥର ଦେଖେଇ ଶୁଣେଇ କହିଲାଣି ରାଜୀବା’ଇ, ଆଜି ଗଲାବେଳେ ମନ୍ଦେ ତୋରାଣି ଦବୁନା ପିଇବାକୁ… ।

 

ସାଙ୍ଗ ସାଥୀଙ୍କ ହାବୁଡ଼ ପଡ଼ିଗଲେ ଟାହି ଟାପରା କରନ୍ତି କେତେ–ବୁଝଲୁନା ଗୋବିନ୍ଦାଇ, ଫଲି ତ ଖଲି ଦିନକୁ ଦିନ ଫୁଲୁଚି । ହୁସିଆର ଥା’ବେ ରାଜୀବା, ପାଲରେ ପକେଇ ଦବଟି !

 

ମନେ ମନେ ଲୁହୁରି ଉଠେ ରାଜୀବା । ସାଙ୍ଗ ସାଥୀଙ୍କ ଆଗରେ ମୁହଁ ଟେକି ପରେନା । ଫୁଲି ଟିକିଏ ଦୂରେଇ ଗଲେ କଣେଇ ଚାହେଁ ତା’କୁ ଦଣ୍ତେ ଅଧେ । ମନଟା କ’ଣ ହୋଇଯାଏ…

 

ତାରି ସାଙ୍ଗରେ ବାଦ ଲଗାଇ ସୁନେଇ ମୁହଁଟି ଦିଶିଯାଏ ଆଖି ଆଗରେ–ଚମକି ପଡ଼େ ରାଜୀବା । ତା’ ତିରିଲାଟି ଘରେ ଅଛି ଏକା । ଆପଣା ଅବିଗୁଣରେ ଦୁନିଆଟା ବଦଳିଯାଏ……ନା, ନା, ସେ ଫୁଲି ସାଙ୍ଗରେ ଆଉ ସେ’ଠି କାମ କରିବ ନାହିଁ । ଟିକିଏ ଛାଡ଼ି ଆଗରେ ମାରକଟ ଘର ବନା ହେଉଛି । ସେଇଠି ପଛେ କାମ କରିବା ଏକା ମଜୁରୀ ତ–ଏଠି କ’ଣ, ସେଠି କ’ଣ ?

 

ଏତେ କଥାକୁ କାନତରାଟି ବାବୁଟା ରାଜୀବାକୁ ପାଖରୁ ଛିଡ଼ିବାକୁ ନ ରାଜ । ଭଲଲୋକ ସେ–କେତେବେଳେ ବୋଲଟେ, ହାକଟେ କହିଦେଲେ କରି ଦେଉଛି……ଓହୋ, ଗଲାତ !

 

ଆଗରେ ପଡ଼ିବ କରତ କଳ । କେତେ ରାତିଯାଏଁ କଳ ଚାଲେ । ଲୋକବାକ ଥାଆନ୍ତି-। ତେଣିକି ଖାଲି ଅନ୍ଧାର । ଆଉ ବିଜୁଳି ବତୀ ନାହିଁ । ପଲା ବାରି ପାରିବ ନା ସେ ?

 

ବଢ଼ିଚାଲିଛି ପାଣି ପବନ ବେଳକୁ ବେଳ ବେଶୀ ବେଶୀ । କରତକଳ ପାଖ ଚା’ ଦୋକାନରେ ବରା ଗୁଲୁଗୁଲା ମିଳେ । କେତେଥର ସେଇ ଦୋକାନରୁ ରାଜୀବା ନେଇ ଖାଇଛି । କଣ୍ଟ୍ରୋଲ ଦୋକାନୀତ ଚାଉଳ ଦେଲାନାହିଁ । ଆଜି ସେଇ ବରା ଗୁଲୁଗୁଲାରେ ଚଳିଯିବ ରାତିକ ।

 

ପାଣି ପବନ ତୋଡ଼ ଆଡ଼େଇ ଆଗେଇ ଚାଲିଛି ରାଜୀବା । ଚା’ ଦୋକାନରେ ଖାଇବ କେମତି ? ଦେହଟା ଯାକ ଓଦା ଜୁଡ଼ୁବୁଡ଼ୁ । ଠିଆହୋଇ ପାରିବ ନା ଆଗ–ଖାଇବା କଥା ତ ଦୂରରେ ।

 

ସେଇଦିନ ସେଇ ଅମାସିଆ ରାତି । ଫୁଲିଟି ବରଷା ତୋଡ଼ରେ ଘରକୁ ଯାଇପାରିଲା ନାହିଁ । କାମରୁ ଫେରିଲାବେଳେ ଦେଖିଛି ସେ–ରାଜୀବା କାନତରାଟିବାବୁ ପାଖରେ ଗୋଡ଼ ଭାଙ୍ଗି ଠିଆ ହୋଇଥିଲା । ବାବୁଟା ଭଲ ଲୋକ ନୁହେ । ଫୁଲିକି ଦେଖିଲେ ଆଖି ନଚେଇ ଥରୁଟେ ନିଶ୍ଚୟ ପଚାରି ଦେବ କିମିତି ? ଭଲ କରି କାମ କରୁଛୁ ନା ?

 

ମୁହଁ ମୋଡ଼ି ଚାଲିଯାଏ ଫୁଲି–ମଲାରେ, କାମ ତାକୁ କରି ଆସି ନାହିଁ ଯେ ଏ ଶିଖେଇବ । କାମିକା ଘର ପିଲା । ରାତି ପାହିଲାଠୁଁ ରାତି ହବା ଯାଏଁ କାମରେ ଲୋଟି ଯାଇଥିବ । ଏ କି କାମ ଦେଖାଉଛି !

 

ବାବୁଟାର ଖାଲି ତା’ରି ଉପରେ ଆଖି । ଥରେ ଗୋବିନ୍ଦାକୁ କୁଆଡ଼େ କହୁଥିଲା–ଆରେ, ଏ ଫୁଲିଟା ଆମ ବସାରେ କାମଦାମ କରନ୍ତା ନାହିଁ ? ତା’କୁ ପଚାରି ବୁଝିଲୁ ।

 

ଫୁଲି କ’ଣ ଛୁଆଟିଏ ନା ପିଲାଟିଏ ହୋଇଛି ଯେ ଏ କଥାର ମରମ ବୁଝିପାରିବ ନାହିଁ । ସେ ପରା କଂସାରି ଘରର ପାରା ! ସେ କାନତରାଟି ବାବୁ ପାଖରେ ଯେତେ ମର୍ଦ୍ଦ କାମ କରନ୍ତି, ସବୁରି ଭିତରେ ରାଜୀବାଟି ଏକା ଫୁଲି ଆଖିକି ସୁତୁରା ଦିଶେ । କେଡ଼େ ସୁନ୍ଦର ନରମ କଥା । ଚାଲି ଯାଉଥିବ ଯେ ପିମ୍ପୁଡ଼ି ମରିବ ନାହିଁ । ଭାରି ଗୁମର ରଖିଲା ବାଲା ଏକା । ସାଙ୍ଗସାଥିଙ୍କ ସାଙ୍ଗରେ ସେତେ ହସ ଖୁସି ହୁଏ ନାହିଁ । କେବେ କିମିତି କଥା ପଡ଼ିଲେ ପଦେଅଧେ କହିଦିଏ । ମରମ ଜାଳିଦେବ ସେ କଥା !

 

ଫୁଲି ସାଙ୍ଗରେ ଯେ କେତେଜଣ ତାଙ୍କ ଗାଁରୁ କାମକୁ ଆସନ୍ତି, ସେ ସବୁ ଏ ବରଷାରେ କିଏ କୁଆଡ଼େ ଗଲେ ଫୁଲିକି ଜଣା ନାହିଁ । ମନରେ ସାହାସ ଥାଏ, କିଛି ନ ହେଲା ବେଳକୁ ରାଜୀବା’ଇ ପଲା ପଡ଼ିବ ଆଗରେ । ସେଇଠି ହୁଏତ ଅଟକି ଯିବ ରାତିଟା । ନାହିଁବା ଯଦି ବେଳସୁଁ ବରଷା ନଇଁ ଯାଏ ତେବେ ରାଜୀବା’ଇ କି କହିଲେ ସେ କ’ଣ ରେଳବନ୍ଧ କତିରେ ନେଇ ଟିକେ ଛାଡ଼ିଦେଇ ଆସିବ ନାହିଁ ଯେ…

 

ଘରେ ତା’ର ମଣିଷ ବୋଲି ବୁଢ଼ୀମା, ଆଉ ତା’ ତଳେ ଭାଇଟିଏ । ଫୁଲି କାମଦାମ କରି ତାଙ୍କ ମୁହଁରେ ଦିଏ । ଆଉ କିଏ ଅଛି ଯେ ରାଜୀବା’ଇ ପଲାରେ ରାତିକ ରହିଗଲେ ତିଳକୁ ତାଳ କରିବ ?

 

ନୋହିଲା ବେଳକୁ ବୁଢ଼ୀମା ସାନଭାଇ ନଖିଆକୁ ସାଙ୍ଗରେ ଧରି ଫୁଲିକି ଖୋଜିଆସିବ-। ନଖିଆଟା ଥରେ ଦି’ଥର ଫୁଲି ସାଙ୍ଗରେ କାମକୁ ଆସିଲାଣି । ରାଜୀବା’ଇ ପଲା ସେ ଦେଖିଛି-

 

ହେଇ ତ ନା କ’ଣ ସେ ପଲାଟା–ଫୁଲି ଗୋଡ଼ ବଢ଼ାଇ ଖାଇ କଡ଼କୁ ଡେଇଁ ପଡ଼ିଲା । ମାଡ଼ି ଆସୁଛି ବରଷା ପାଣି । ରାଜୀବା’ଇ ପଲା ଓଳିରେ ଠିଆହୋଇ ପଡ଼ିବ ତ ଟିକେ ପାଣିବନରୁ ବରତି ଯିବ ।

 

ନୁଆଣିଆ ପଲାଖଣ୍ତି । ଝାଟିମାଟି କାନ୍ଥ । ଉପରେ ଛଣ ଦିକେରା ବିଚ୍ଛା ହୋଇଛି । ହାତ ବଢ଼େଇଲେ ମଥାଣ ଛୁଇଁ ହେବ । ଠାଏ ଠାଏ ପାଣି ଗଳିବ ନାହିଁ ବୋଲି ସିମେଣ୍ଟ କାଗଜ ବିଚ୍ଛା ହୋଇଛି ।

 

ସତକୁ ସତ ପଲାତଟି ଆଉଜା ହୋଇଛି । ଖାଲି ସେତିକି ନୁହେଁ, ତାଲାଟିଏ ବି ପଡ଼ିଛି । ରାଜୀବା’ଇ କ’ଣ ଏତେବେଳେ ଯାଏଁ ସେ କାନତରାଟି ବାବୁଟା ପାଖରୁ ଆସିନାହିଁ ? ହଁ ସେ ବାବୁଟାତ ସେଇମିତିଆ । ସେ କ’ଣ ସହଜରେ ଛାଡ଼ୁଥିବ–ଏଇଟା କର, ସେଇଟା କର, ଅମୁକ ଆଣ୍–ବାର ଫରମାସି କରୁଥିବ । ଆହା, ରାଜୀବା’ଇଟା ଏଇମିତିଆ ପଲାଟେ କରି ରହିଛି । ଆଜି ଆସୁକି, ଫୁଲି ତାକୁ ତାଙ୍କ ଘରକୁ ଯିବାକୁ କହିବ । ଦେଖିବା କ’ଣ କହୁଛି ।

 

କାନିରେ ଚାଉଳ ଗଣ୍ତାକ ବନ୍ଧାହୋଇ ପିଠିପାଖରେ ପଡ଼ିଛି । ସେ ବୁଜୁଳାଟି ଯତନ କରି ହାତରେ ଧରି ଫୁଲି ସେଇ ପଲା ଓଳିରେ ଠିଆ ହେଲା । କେହି କୁଆଡ଼େ ନାହାନ୍ତି । ପଲାକଡ଼କୁ ହାଟଦାଣ୍ତି । ପଛରେ ରେଳବନ୍ଧ । ତା’ ସେ ପଖେ ମାଉସୀ ମନ୍ଦିର ଭଙ୍ଗାରୁଜା ହୋଇ ଭୂତପରି ଠିଆ ହୋଇଛି କେଉଁକାଳରୁ । ପିଲାଟି ଦିନରୁ ତାକୁ ଦେଖି ଆସୁଛି ଫୁଲି । ଯେମିତି କି ସେମିତି । ଭଙ୍ଗା ପଥରଟାଏ ବି କେବେ ଖସି ପଡ଼ୁନାହିଁ । କି କାରସାଦି ହୋଇଛି ସେ ପଥର ସନ୍ଧିରେ, ଦୂରରୁ ଦେଖିଲେ ଜଣାଯାଉଛି, ଯେମିତି ଆଖି ପିଛଡ଼ାକେ ରଜ୍‍ରାଜ୍ ହୋଇ ସବୁ କୁଢ଼େଇ ହୋଇ ପଡ଼ିବ । ହେଲେ ସେ କାହିଁକି ଟିକିଏ ପଡ଼ନ୍ତା–ସେଇମିତି ଠିଆ ହୋଇଛି । ଯେମିତି ସାକ୍ଷାତ୍ କଥା କହୁଛି ।

 

ଛିଡ଼ାହୋଇ ଗୋଡ଼ ଘୋଳେଇ ହେଲାଣି । ବରଷାରେ ଫଳେ ତିନ୍ତିଗଲାଣି ଦେହ । ଖାଲି ସେଇ ଚାଉଳ ବୁଜୁଳାଟାକୁ ଘୋଡ଼େଇ ଘୋଡ଼େଇ ଧରି କାନ୍ଥକଡ଼କୁ ଆଉଜି ପଡ଼ିଥାଏ ଫୁଳି । ପାଖ ପଡ଼ିଆର ବୁଦାମୂଳେ କେଉଁଠି ଗୋଟିକିଆ ବିଲୁଆଟେ ବୋବାଳି ଛାଡ଼ିଛି । ବରଷା ତୋଡ଼ ବେଳୁଁବେଳ ବଢ଼ିବାରେ ଲାଗିଛି । ସତେ ଯେମିତି ଆଜି ଭୁବନେଶ୍ଵରଟା ଯାକ ସମୁଦ୍ର ପାଲଟି ଯିବ-

 

କାହିଁ ରାଜୀବା’ଇ ? ଭଲା କଥାତ ହେଲା । ଏପାଖ ହେଲା ନାହିଁ କି ସେପାଖ ହେଲା ନାହିଁ । ରାଜୀବା’ଇ କି ଭରସା କରି ରହିଗଲା ଯେ, ତା’ର ବି ଆଜି ଦେଖା ମିଳୁନାହିଁ ।

 

ହେଲେ ଫୁଲି ଏଟା ନିଶ୍ଚୟ କରି ଜାଣେ ଯେ ରାଜୀବା କେଉଁଠି ଅଟକିବା ଲୋକ ନୁହେଁ-। ତା’ ନ ହେଲେ, ସେ କାହିଁକି ସାଈମୁଣ୍ତରେ ପଲାମାରି ରହିଥାନ୍ତା । ଯେତେ ଭାବିଲେ ବି ଫୁଲି କିଛି ବୁଝିପାରେନା କ’ଣ ଏ ରାଜୀବା’ଇ ସତେ ! ଭଲ ହେଲେ ହଁ ଖରାପ ହେଲେ ହଁ । ଖୁସି ନାହିଁ, ବାସିନାହିଁ କି ପରକୁତି ତା’ର ?

 

କରତକଳ ପାଖ ଚା’ ଦେକାନରୁ ବରା ଗୁଲୁଗୁଲା ଚାରଣାର କିଣି ଛୁଟିଛି ରାଜୀବା ଓଦା ସଡ଼ ବଡ଼ ହୋଇ । ପଖିଆଟାରୁ ଏଡ଼ିକି ମୋଟରେ ପାଣି ଗଳୁଛି । ନାହିଁ ନଥିବା ବରଷା ଆଜି । ଏ ବରଷ ଫସଲ ଯାହା ହେବ, ରଖିବାକୁ ଥାନ ମିଳିବ ନାହିଁ । କାହିଁକି ସେ ହଳ ଭାଙ୍ଗିଦେଇ ପଳେଇ ଆସିଲାରେ–ମନଟା ଖାଲି ରବେଇ ଖବେଇ ହେଉଥାଏ ।

 

ଆଗରେ ତା’ ପଲାଚାଳିଟା । ରାଜୀବା ମୁଁହାଇଲା ତାଟି ପାଖକୁ । ତାଟି ପାଖରେ କିଏସେ ଜଣେ ଠିଆ ହୋଇଛି । ନାଲି ବସ୍ତାଖଣ୍ତ ଅନ୍ଧାରରେ ବାରି ହେଉନାହିଁ । ଜାଣି ଜାଣିକା ଜବାବ ଦେଉନଥାଏ ଫୁଲି ।

 

କିଏ ଲୋ ତୁ ?

 

ମଣିଷ–ଓଠ ଚିପି ଥିରିକରି କହିଲା ଫୁଲି । କୁଆଡ଼େ ରହିଗଲୁକି ରାଜିବା’ଇ ? ଏ ବରଷାରେ ତିନ୍ତିବୁଡ଼ି ଧାଇଁଚୁ କୋଉଠି ଟିକେ ଠିଆ ହେଇପଡ଼ିଲୁ ନାଇଁ !

 

ପଖିଆଟା ପଲାକାନ୍ଥକୁ ଡ଼େରି ଦେଇ ଲାହିତଳୁ ଗାଂଜିଆଟା ଫିଟାଉ ଫିଟାଉ କହିଲା ରାଜୀବା–ସେଇ କଣ୍ଟ୍ରୋଲ ଦୋକାନରେ ଡ଼େରି ହେଲା । ଚାଉଳ ଗଣ୍ତେ ଆଜି ମିଳିଲା ନାଇଁ ଯେ ବରା ଗୁଲୁଗୁଲା ଦିଟା କିଣି ଆଣିଚି । ତୁ କିମିତି ଏଠି ? ଗାଁକୁ ଯିବୁ ନାଇଁ କି ?

 

ରାଜୀବାର ଏଇ ପଚାରିବା ଠାଣି ଟାଣିଦେଲା ଗେଟେ ଗହୀରିଆ ଗାର ଫୁଲି ଭିତରେ-। ସେ ମନଟି ମାରିଦେଇ କହିଲା–ଯାଇ ତ ପାରିଲି ନାଇଁ । ସାଙ୍ଗଲୋକ ସବୁ ଯେ ଯୁଆଡ଼େ ବାହାରି ଗଲେ । ମୁଁ ରହିଗଲି ଏକା । ଏ ବରଷା, ଅନ୍ଧାର ବାଟଘାଟ କ’ଣ ଦିଶୁଛି ହେଲେ-। ସେଥିରେ ପୁଣି ବରଷାରେ ତିନ୍ତା ବୁଡ଼ା କରି ଯିବି–ଆଜି ଦିହ ଅଛି ପା ଅଛି । କୁଆଡ଼ୁ କ’ଣ ବିଗିଡ଼ି ଗଲେ ଘରେ ମା ବୁଢ଼ୀ ଆଉ ସାନ ଭାଇଟି ଭୋକିଲା ରହିବେ । ଭାବିଲି ତେରି ପଲା ଓଳିରେ ଠିଆ ହୋଇ ପଡ଼ିବି ବରଷା ନଇଁଗଲେ ଗୋଟିଏ ଗୋଟିଏ ଚାଲିଯିବି ।

 

ପଲା ଓଳିରେ ଠିଆ ହୋଇ ପଡ଼ିବ ଅଭିଥାଡ଼ୀ ଝିଅ ଫୁଲି ! ଏ ବରଷା ଅନ୍ଧାର–ସେଥିରେ ପୁଣି ଅମାସିଆ ରାତି । ଚତୁର୍ମାସିଆ ମେଘ ଯେମିତି ଖଣ୍ତମଣ୍ତଳ ଚକଡ଼ା ମଡ଼େଇ ଘୋଟି ଯାଇଛି, ଏ କ’ଣ ସହଜରେ ନଇଁବ ନା ଫୁଲି ତା’ ଘରକୁ ଯିବ ! ଗୋଟେ ଅଜଣା ଆଶଙ୍କା ଚେତି ଉଠିଲା ରାଜୀବା ମନରେ । ସେ ତାଲା ଖୋଲିଦେଇ ତାଟି ମେଲା କରି କୁନ୍ଥୁକୁନ୍ଥୁ ହୋଇ କହିଲା ବରଷା ତିନ୍ତା ଥରିଲା କଣ୍ଠରେ–ପଲା ଓଳିରେ ଠିଆ ହବୁ କାହିଁକି ଲୋ ? ମୁଁ କ’ଣ ଏଡ଼େ ଅମଣିଷ ଭାବିଚୁ ? ବଣ ଜଙ୍ଗଲର ବାଘ ଭାଲୁ ହେଲେ ବି ବଖତ ବେଳେ ସେମାନେ ତାଙ୍କ ପରକୁତି ଭୁଲି ଯାଆନ୍ତି । ଆଉ ତୁ ମୁଁ ତ ସହଜେ ମଣଷ । ମୋ’ରି ଆଖି ଆଗରେ ତୁ ବରଷାଟାରେ ତିନ୍ତୁଥିବୁ ଆଉ ମୁଁ ତତେ ପଲା ଭିତରକୁ ଜାକିଲେ ଜାତି ମାରା ହୋଇଯିବ । ତା’ ନୁହେଁ ଯେ, ରହିଯିବୁ ସିନା, ଖାଇବୁ କ’ଣ ? ହେଇତ ଦେଖୁଚୁ ଚାଉଳ ଗଣ୍ତେ ମିଳିଲା ନାହିଁ ବୋଲି ବରା ଗୁଲୁଗୁଲା ଦିଟା ଧରି ଆସିଚି ।

 

ଫୁଲିକି ମାଡ଼ିମାଡ଼ି ପଡ଼ିଲା । ସେ ମୋଟେ ଆଶା କରିନଥିଲା ରାଜୀବା’ଇଠୁଁ ଏମିତିଆ ଦୁନିଆଛିଡ଼ା କଥା ଶୁଣିବ ବୋଲି । ମନେ ମନେ ବହେ କୋଡ଼ି ବିଦାରି ହେଲା–ରାଜୀବା’ଇଟା କ’ଣ ସତେ ! ମନୁଆ, ଗୋବିନ୍ଦା ଉପରେ ପଡ଼ି ବାର ଛିଗୁଲେଇ ବିଗୁଲେଇ ହୁଅନ୍ତି ପଛେ ସେ ପରା ତାଙ୍କମାନଙ୍କ ପାଖ ପଶେ ନାହିଁ ! ଆଉ ଏ ରାଜୀବା’ଇ……

 

ହେଲେ ବି ଫୁଲି ଆଖିରେ ରାଜୀବା ଦିଶେ ଖଣ୍ତଗିରି ପରି ବଡ଼, ଅଚଳ, ଅଟଳ । ରାଜୀବା ହଲିଲା ପାଣିକି ଗୋଡ଼ ବଢ଼ାଏ ନାହିଁ । ଖୁବ୍ ହୁସିଆର । ତା’ର ଖାଇବା, ପିଇବା, ହସିବା, ବସିବା ସବୁଥିରେ ଅଛି ଗୋଟେ ଲୁଚାଛପା ଆକର୍ଷଣ । ଆଉ କେହି ନ ଜାଣୁ, ଫୁଲି ଏ କଥା ଜାଣେ ।

 

ଫୁଲିର ଏଇ ବିଚାର ଚାଜିବାକୁ ଅଛପା ରହିଗଲା । ତେଣୁ ସେ ବୁଝିପାରିଲା ନାହିଁ ଯେ ଏଇ ବିଚାର ବଳରେ ଫୁଲି ତା’କୁ ଷୋଳଣା ଅଂଶରେ ଆପଣାର କରି ବସିଛି ।

 

ସେ ଆହୁରି ଆଶ୍ଚର୍ଯ୍ୟ ହେଲା, ଫୁଲି ଯେତେବେଳେ ତା’ ମନର ଭାବିଲା କଥାକୁ କାଟି କହିଲା–ଚାଉଳ ନ ମିଳିଲାତ କ’ଣ ହେଇଗଲା ରାଜୀବାଇ ? ତୁ ବରା ଗୁଲୁଗୁଲା ଦିଟା ଖାଇ ରାତିଟା କେମିତି କଟେଇବୁ ? ହେଇ, ମୁଁ ଗଣ୍ତେ ଚାଉଳ କାନିରେ ବାନ୍ଧିଚି । ଏଇଥିରୁ ଗଣ୍ତେ ଫୁଟେଇ ଦେଲେ…

 

ଘୋର ଅପମାନ ହେଲା ରାଜୀବାକୁ । ଅଭାବରେ ପଡ଼ି ସିନା ସେ ଘର ଛାଡ଼ି ଆସି ବିଦେଶରେ କୁଲୀ ବେଉସା କରୁଛି । ତା’ ବୋଲି ଏତେ ତଳକୁ ତ ସେ ଯାଇପାରିବ ନାହିଁ । ଶହ ପଚାଶରେ ସେତ ପୁଣି ଜଣେ ମଣିଷ । ତା’ରି ପରି ଆଉମାନଙ୍କର ଜୀବନ ଅଛି, ବଞ୍ଚି ରହିବା ପାଇଁ ଗୋଟେ ଦାବୀ ଅଛି । ସେ ଫୁଲିର ଏମିତି ଦେଖିପାରିବାକୁ ପସନ୍ଦ କଲା ନାହିଁ–ବୁଝିଲା ଠିକ୍ ଓଲଟା । ଫୁଲି ସିନା ତାଠି କ’ଣ ଦେଖି ନିଆଁ ଭିତରକୁ କୁଦି ପଡ଼ିବାକୁ ଆଗଭର ହେଉଛି । କିନ୍ତୁ ରାଜୀବାର ସେ ସଉକ ଅଛି କି ନାହିଁ ସେ କଥା ଫୁଲି ଅପେକ୍ଷା ରାଜୀବା କହିବ ବେଶୀ ନା !

 

ଡିବିରିଟାକୁ ଲଗାଇବାକୁ ପଲା ଭିତର ଅଣ୍ତାଳୁ ଅଣ୍ତାଳୁ ରାଜୀବା ଏଇମିତି କେତେ କ’ଣ ଭାବି ଯାଉଥାଏ । ଲୋକ ସରଳିଆ ହେଲେ ତା’ ପେଟ ଭିତରେ କୌଣସି କଥା ଲୁଚିଛପି ରହିପାରେ ନାହିଁ । ବେଶୀ ବେଳ ସମ୍ଭାଳି ହୋଇ ରହି ନପାରି ରାଜୀବା କହିଲା–ଭଲାତ କହୁଛୁ ଲୋ ? ଥରେ ପରା କହିଲି, ମୁଁ ଜାନୁଆର୍ ନୁହେଁ, ମଣିଷ । ତୋରି ମୁହଁରେ ନିଜେ କହୁଚୁ ଯେ ତୋ’ର ଦିହ ପା, ହାନି ଲାଭ ହେଲେ ଘରେ ସାନଭାଇ ଆଉ ବୁଢ଼ୀମା ଭୋକିଲା ରହିଯିବେ । ପୁଣି କୋଉ ମୁହଁରେ ଚାଉଳ ଗଣ୍ତାକ ବଢ଼େଇ ଦଉଚୁ ? ତିନି ତିନୋଟି ପ୍ରାଣୀଙ୍କ ଆହାର ମୁହଁରେ ପାହାର ଦବାକୁ କହୁଚୁ କିମିତି ଲୋ ?

 

ଫୁଲି ବୁଝିପାରିଲା ନାହିଁ ତା’ର ଅପରାଧ କେଉଁଠି । ବାହାରେ ବରଷାର ତୋଡ଼ କମିନାହିଁ । ସେଇମିତି ପବନ, ସେଇମିତି ଝରଝର, ଫରଫର ଲାଗି ରହିଛି । ପାଣି ଛିଞ୍ଚଡ଼ା ମାରି ପଲା ଭିତର ତିନ୍ତି ଗଲାଣି । ଅପରାଧୀଙ୍କ ପରି ପଲା ତାଟି ପାଖରେ ଠିଆ ହୋଇଥାଏ ସେ । ସାମନା ପାଖ ପାତଳ ନାଲି ରାସ୍ତାଟା ବରଷା ପାଣିରେ ଓଦା ହୋଇ ଜଡ଼ି ଯାଇଥାଏ ଦେହରେ, ଛାତିରେ । ତଳେ ପାଣି ନିଗିଡ଼ି ପଡ଼ୁଥାଏ ଥପ୍‍ ଥପ୍‍ । ଚାଉଳ ବୁଜୁଳାଟା ହାତରେ ତା’ର ଜାବ ପଡ଼ିଯାଇଥାଏ ।

 

ନ ପାଇଲା ଦରବଟା ଯେଡ଼େ ସୁଆଦ ହେଲେବି ଖୋଜିଲା ଲୋକକୁ ବେଳ ସରିକି ଆମ୍ଵିଳା ଲାଗ । କ’ଣ କରିବ ସେ ? ଆଖି ଆଗରେ ଦେଖୁଛି ସୁଆଦିଆ ଚିଜଟାକୁ, ଅଥଚ ହାତ ବଢ଼ାଇଲେ ପାଉ ନାହିଁ । ସେ ସୁଆଦରେ ଯାଏ କେତେ ଆସେ କେତେ ? ମଣିଷ ମନ ତ ! ତାକୁ ଆୟତ୍ତ କରିବା ବୟସରେ ନ ପହଞ୍ଚିବା ଯାଏଁ ମଣିଷ ଜାଣିକରି ହେଉ ବା ଅଜଣାରେ ହେଉ ଭଲକୁ ଭେଲ ମଣୁଥାଏ । ସେଇ ବୟସ ଚାପାରେ ଟଳଟଳ ହୋଇ ଫୁଲି ଯାହା କିଛି କରି ଯାଉଛି ବା କହି ଯାଉଛି, ସେ ଗୁଡ଼ାକ ଖରାପ ହେଲେ ବି ତା’କୁ ଭଲ ଲାଗିବାର କଥା । ଭଲ ମନ୍ଦ ବାଛିବାର କରାମତି ଯଦି ତା’ର ଥାନ୍ତା, ତେବେ ଏ ଝଡ଼ି ପାଗ, ଏ ମେଘ ଅନ୍ଧାରରେ ତା’ ସାଙ୍ଗ ସାଥୀଙ୍କୁ ଛାଡ଼ି, ଘର ଦୁଆର, ତା’ ବୁଢ଼ୀମା, ସାନଭାଇ–ଏମାନଙ୍କ କଥା ଭୁଲି ସେ କାହିଁକି ରାଜୀବା ଦୁଆରେ ଧାରଣା ଦେଇଥାନ୍ତା ?

 

ବହୁ କଷ୍ଟରେ ସେ କହିଲା–ତୋ ପେଟରେ ଏତେ କଥା ଅଛି ବୋଲି ମୁଁ ଜାଣିନଥିଲି ଲୋ ମା’ । ମୁଁ ସିନା ଏଠି ଥିଲାକୁ ଏତେ କଥା ହେଲା । –ଆଉ ବା କ’ଣ କହିଥାନ୍ତା । ଅହଂଗୁଣ, ଅଭିମାନରେ କଣ୍ଠ ରୋକି ହୋଇଗଲା ଫୁଲିର । ସେଇ ଅନ୍ଧାର, ବରଷା ଆଉ ପବନ ସୁଅରେ ବଲୁରି ମାରିଲା ପରି ପଳାଇ ଗଲାବେଳେ ଖାଲି ଏତିକି କହିଗଲା–ଯାଉଚି ରାଜୀବା’ଇ । ଗାଳି ଦବୁ ନାଇଁ…

 

ମଣିଷ ଅବସ୍ଥାର ଦାସ । ରାଜୀବା ସେତେବେଳେ ଯେଉଁ ଅବସ୍ଥାରେ ଥିଲା, ଯେତେ ବଡ଼ ଜାଣିବ ଶୁଣିବା ଲୋକ ହେଲେ ବି ପଦେ ନ କହି ରହିପାରନ୍ତା ନାହିଁ । ଫୁଲିକି ଯାହା କହିବାର କହିଦେଇ ରାଜୀବା ପଲା ଭିତରେ ଖୁମାଣ ହୋଇ ବସି ପଡ଼ି ଭାବୁଥିଲା କେତେ ଆଗପଛ କଥା । ଯେତେ ଯାହା ବିଚାରିଲେ ବି ଫୁଲିର ଭୋକିଲା ଆଖି ତା’ ମନରୁ ଯାଉନଥାଏ । ତା’ ବିଚାରରେ ଫୁଲି ହୋଇଥାଏ ଯେମିତି ଖଣ୍ତେ ବରଷିଲା ମେଘ । ଶ୍ରାବଣଧାର ସାଙ୍ଗରେ ଆପଣାର ଛୋଟିଆ ଧାରଟିକୁ ମିଶାଇଦେବାକୁ ଚାହେଁ ଫୁଲି । ଏତିକି ବେଳେ ରାଜୀବା ଯଦି ଟିକିଏ ଜାଗତିଆର ହେବ, ତେବେ କେଜାଣି ବରତି ଯିବ କାଦୁଅ ପାଣିରୁ । ନୋହିଲେ ତା’ ସୁନେଇଟି ବାର ଲୋକଙ୍କ ଆଖିରେ ହୋଇଯିବ ଗଛତଳରୁ ସାଉଁଟି ଆଣିଲା ପରି ଖୁଣ୍ଟିଖାଇ ଅକୂଳରେ ବାଏଁ ବାଏଁ ଭାସିଯିବ-!

 

ରାଜୀବା ବସିଥାଏ ସେଇଠି ସେଇମିତି । ଡିବିରିଟା ଧାସ ଟେକି ଜଳୁଥାଏ ହୁତ୍ ହୁତ୍ । ଓଦା ଲୁଗାଟା ଦେହରେ ସେଇମିତି ଥାଏ । ଫୁଲିର ଶେଷ କଥା ପଦକରେ ଚେତା’ ଆସିଲା ତା’ର-। ସେ ମୁହଁଟେକି ଚାହିଁଲା ବେଳକୁ ଫୁଲିର ଛାଇ ଲୁଚିଗଲାଣି ଅନ୍ଧାର ଭିତରେ ।

 

ବୁଦ୍ଧି ହଜିଗଲା ରାଜୀବାର । କ’ଣ କରିବ ସେ ?

 

ଭେଟନଈ ଗାଁର ସେଇ ରାଜୀବ ପାତ୍ର ତ ସେ–ଠିକ୍ ସେଇମିତି ଅଛି । ଭିତରେ ତା’ର ସେଇ ବିବେକ ଅବିକଳ ରହିଛି । ପେଚମୋଡ଼ା ଜାପାନୀ କଣ୍ତେଇ ପରି ଗୋଡ଼ ଦିଟା ଛାଏଁ ଘେନି ଆସିଲା ତାକୁ ପଲା ବାହାରକୁ–କାହିଁ ଫୁଲି ?

 

ଦୁନିଆରେ ବେଳେବେଳେ ଘଣ୍ଟା ଘଣ୍ଟା ଧରି ଝଡ଼ ତୋଫାନ ବହେ ପ୍ରଳୟର ସୂଚନା ଦେଇ । ସେଥିରେ କାହାର କ’ଣ ହୁଏ ? କିନ୍ତୁ ସେଇମିତିକା ଝଡ଼ର କାଣିଚାଏ ବେଗ ନେଇ ମଣିଷ ମନରେ ଯେତେବେଳେ ଚେତିଉଠେ ହଁ ନାହିଁର ତୋଫାନ, ସେତେବେଳେ ମୁହୂର୍ତ୍ତକ ଭିତରେ ମଣିଷ ଭିଆଇ ଦିଏ ଅଘଟଣରେ ଘଟଣ । ଜନ୍ମ ବଦଳିଯାଏ ତା’ର । ଖୁବ୍ ସମ୍ଭବ ସେ ଭୁଲିଯାଏ ତା’ର ଘଡ଼ିକ ଆଗର ଆପଣା ଠିକଣା । ଭାବିଥାଏ ଯାହା ହୁଏତ କରେ ତା’ର ଠିକ୍ ଓଲଟା ।

ରାଜୀବା ମନରେ ସେଇମିତିକା ଗୋଟେ ତୋଫାନ ଉଠିଲା । ଫୁଲି ପରି କେତେ ତିରିଲା ସେ କାନତରାଟି ପାଖରେ ମୂଲ ଲାଗିଛନ୍ତି । ନିତି ରାତି ପାହିଲେ ତାଙ୍କ ସାଙ୍ଗରେ ଦେଖା କେତେ ଥଟା ଟାପରା–ମୁଣ୍ତ ଉପରକୁ ବୋଝ ଟେକାଟେକି, ଆଉ ଏ ଫୁଲି ପାଖରେ କ’ଣ ଏତେ ମହୁ ବରଷିଛି ? ଏଇମିତି ଝଡ଼ି ବରଷାରେ ବାଟରେ ଚାଲିଗଲା ଲୋକ କିଏ କେତେ କାହା ଓଳିରେ କ’ଣ ଠିଆ ହୋଇପଡ଼ୁ ନାହାନ୍ତି ? ବରଷା ନଇଁଗଲେ ଯେ ଯାହା ବାଟ ବରଗି ଚାଲି ଯାଉଛନ୍ତି ନା ?

ମଣିଷ ଯେଡ଼େ ତଳଥାଟର ହେଉପଛେ ସବୁରି ଭିତରେ ବିବେକ ଅଛି । କିଛି ନା କିଛି କାମରେ ହାତ ଦେଲାବେଳକୁ ଚିହ୍ନରା ବିବେକ ସଭିଙ୍କୁ ଥରେ ଅଧେ ଚେତାଇ ଦିଏ । ଏଟା ଭଲ ସେଟା ମନ୍ଦ । ମଣିଷ ମାନୁ ନ ମାନୁ ଚେତେଇ ଦେବାଟା ବିବେକର ଯେମିତି ଗୋଟେ ନିତି ଦିନିଆ କାମ । କିନ୍ତୁ ବିବେକକୁ ମାନି ଚଳିବା ଲୋକ କେତେ ଜଣ ? ଖୁବ୍ ନାମଯାଦା ଲୋକେ ବି ବିବେକର ମନା ଏଡ଼ି ଦେଇ ଆଜିକାଲିକା ସଭ୍ୟତାର ଛାଇତଳେ ତାଜା ହୋଇ ଆଗେଇ ଚାଲିଛନ୍ତି–ନିଧଡ଼କ ଏତେଟିକେ ଚିନ୍ତା ନା ଦଳ ଅଛି ତାଙ୍କର ? ଆମ ଗାଁ ଗହଳରେ ଲୋକେ କହନ୍ତି, ପଣ୍ତିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ । ମିଛ ନୁହେଁ–ପଣ୍ତିତଙ୍କ ଖାତିରରେ ତାଙ୍କ ପୁଅଙ୍କୁ ସେତକ ଛାଡ଼ ମିଳିଥିବ ।

ଖାଲି ଲେଖିଦେଲେ କି କହିଦେଲେ କଥାଟାର ଓଜନ କମି ଯିବ ନାହିଁ ଯେ ମଣିଷ ଭିତରେ ମନ ବୋଲି ଯେଉଁ ଜିନିଷଟା ଅଛି, ତା’ର ତାଡ଼ନାରୁ ଆପଣାକୁ ବଞ୍ଚାଇବା ବଡ଼ କାଠିକର ପାଠ । ଅନେକ ସମୟରେ ଏଇ ମନ ପାଖରେ ବିବେକ ହାର ମାନିଥାଏ । ଚୋର, ଖଣ୍ଟ, ଡକେଇତ–ଏମାନଙ୍କୁ କିଏ ନ ଡ଼ରେ ? ସେଇମିତି ମଣିଷ ମନଟା ଗୋଟେ ଦଗୀ, ଡକେଇତ । ତା’ର ହୁକୁମକୁ ବେଖାତିର କରିବା ଅର୍ଥ ଗୁଡ଼େ ଦୁଃଖ, ଲାଞ୍ଛନା, ଦହଗଞ୍ଜ ଭୋଗିବା ।

ରାଜୀବା ସେ ଦିନ ମନର ତାଡ଼ନାକୁ ଏଡ଼ି ଦେଇପାରିଲା ନାହିଁ । ତା’ର ନିହାତି ଅଜଣାରେ ହୃଦୟର କୋମଳ ପରଦାତଳୁ ଚେଇଁ ଉଠିଲା ଭଲ ପାଇବାର ମୋହ । ଫୁଲିର ଫୁଲ ପରି ଉଶ୍ଵାସିଆ ପ୍ରାଣରେ ଆଘାତ ଦେବା ବଡ଼ ଅସହଣୀୟ ବୋଧହେଲା ତାକୁ । କାହିଁକି, ତା’ ସେ କହିପାରିବ ନାହିଁ । ଯଦି ସେଠି କାହିଁକିର ପ୍ରଶ୍ନ ଉଠେ, ତେବେ ରାଜୀବାକୁ ସେଠା କାମ ଛାଡ଼ି, ବାଟେ ବାଟେ ଘରକୁ ଫେରି ଯିବାକୁ ପଡ଼ିବ, ଯାହାକି ସେ କରିପାରିବ ନାହିଁ ।

ଦେହରେ ଓଦା ଲୁଗାଟା ସେଇମିତି ଜଡ଼ି ରହିଥାଏ । ରାଜୀବା ପଲା ବାହାରକୁ ଛୁଟି ଆସିଲା ଗୋଟେ ଲହସରେ । ଚାରିଆଡ଼କୁ ଚାହିଁଗଲା ପରସ୍ତେ । କେହି କୁଆଡ଼େ ନାହାନ୍ତି । କଳା କିଟିମିଟି ଅନ୍ଧାର । ଖଣ୍ତେ ଦୂରରେ କରତକଳର ବଡ଼ ଆଲୁଅଟା ଶୀତଦିନିଆ ପାହାନ୍ତି ତରା ପରି ଜକ୍‍ ଜକ୍‍ ଦିଶୁଥାଏ । ତା’ ଆଖିକୁ ବତୀ ଖୁଣ୍ଟ ଆଲୁଅ କେତେଟା ବାହା–ମସାଲ ଧାଡ଼ି ଲଗେଇ ଦେଇଥାଏ । ସଡ଼କ ପାଖର ବୁଦିବୁଦିକିଆ ପଡ଼ିଆ ଭିତରେ ବରଷା ଲଗେଇ ଥାଏ ଝୁଲଣ ରାତିର ଗୋଟି ପିଲା ନାଚ– ଝୁମ୍ ଝୁମ୍ । କାହିଁ କେତେ ଦୂରର ଚନ୍ଦକା ଜଙ୍ଗଲ ପଟୁଁ ଖଣ୍ତଗିରି ମଥାଛୁଆଁ ବଣୁଆ ପବନଟା ବିଜୁଳି ତା’ର ଝୁଙ୍କାଇ ବେହେଲା ସଙ୍ଗତ କରୁଥାଏ କେଡ଼େ ସୁନ୍ଦର ରିମ୍ ଝିମ୍ । ପ୍ରକୃତିର ସେଇ ରୁକ୍ଷତା’ ଭିତରେ ବି ରାଜୀବା ଦେଖି ପାରିଲା ଯେମିତି ଗୋଟେ ମିଳନ ସାଜଭରା ଅପରୂପ କାନ୍ତି ଘେରି ରହିଛି ତା’ ଚାରି ପାଖର ଦୁନିଆକୁ । ସେ ଭୁଲିଗଲା ତା’ ଘଡ଼ିକ ଆଗର ଚେତନା, ଯାହାବଳରେ ଫୁଲି ପରି ଅଭିଆଡ଼ୀ ଝିଅକୁ ସେ ଆଖି ଆଗରୁ ଆଡ଼େଇ ଦେଇପାରିଛି ।

 

ଦାଗୀ ମନଟା ତାକୁ ବାଉଳା କରି ପକାଇଲା । ଯୁଆନ୍ ଛାତି ଭିତରେ ଛୁଟି ଚାଲିଲା ଗୋଟେ ପାହାଡ଼ଟଳା ସୁଅ । ସେ ସୁଅରେ ସୁନେଇ ଆଖି ପିଛଡ଼ାକେ କୁଆଡ଼େ ଯେ ଭାସିଗଲା, ତା’ର ପତ୍ତା ମିଳିଲା ନାହିଁ । ରାଜୀବା ସେ ପାଣି ପବନକୁ ଖାତିର ନ କରି ପଡ଼ିଆ ଦାଣ୍ତିରେ ଆଗେଇଗଲା କେତେ ପାହୁଣ୍ତ–କାହିଁ ଫୁଲି ?

 

ତେବେ କ’ଣ ଫୁଲି ସତରେ ଅଭିମାନ କରି ଚାଲିଗଲା ? କିନ୍ତୁ ଏ ଅନ୍ଧାର, ବରଷା, ପବନ ତୋଡ଼ରେ ପାହୁଣ୍ତ ଟେକି ହେଉନାହିଁ । ସେ କିମିତି ଯାଉଥିବ ଏକୁଟିଆ ? ଫୁଲ ! ଫୁଲିଲୋ-! ହେ…. ।

 

ରାଜୀବାର ଡ଼ାକ ଫୁଲିକି ଶୁଭିଲା କି ନାହିଁ ଜାଣି ହେଲାନି । ପଡ଼ିଆ ଭିତର ବାଟକଡ଼ରୁ ଜଙ୍ଗଲି ବୁଦା କେତୁଟା ଭାଙ୍ଗି ତାକୁଇ ମୁଣ୍ତ ଉପରେ ଥୋଇ ଫୁଲି ବାୟାଣୀଙ୍କ ପରି ବାଟ ଅବାଟ ନ ମାନି ଧାଇଁ ଥାଏ । ଦେହ ମୁଣ୍ତକୁ ଏତେ ଟିକେ ନଜର ନାହିଁ । ଅନ୍ଧାରରେ ମୁହଁକୁ ମୁହଁ ଦିଶୁ ନ ଥାଏ, ତଥାପି ଫୁଲି ଗୋଡ଼ ଘୋଷାରି ଆଗେଇ ଥାଏ ।

 

ନିତିଦିନିଆ ଚଲାବାଟ ସେ ତା’ର । ଜନ୍ମହେଲା ଦିନରୁ ଦୀର୍ଘ କୋଡ଼ିଏ ବର୍ଷ କାଳ ସେ କଟାଇଲାଣି ଏଇ ବଣ ପାହାଡ଼ ଘେରା ମାଟି ଉପରେ । ଆଜି ଏମିତି କ’ଣ ହୋଇଯାଇଛି ଯେ ଘର ଯାଏଁ ଯାଇପାରିବ ନାହିଁ ? ମା’ ପଚାରିଲେ କହିବ–କ’ଣ କରିବି ଲୋ ମା’, ସେ କାନତରାଟ ବାବୁଟା କତିରୁ କ’ଣ ମାଲକେ ମଜୁରୀ ଗଣ୍ତାକ ବହାରୁଛି । ଯେଉଁଥି ସକାଶ ଡରୁଥିଲି, ଶେଷକୁ ସେଇ ହରକତରେ ପଡ଼ିଲି ।

 

ଖାଲି ସେଇ ରେଳବନ୍ଧ କଡ଼ ମଶାଣି ଖଣ୍ତକୁ ଯାହା ଟିକିଏ ଡ଼ର । କ’ଣ ହୋଇଯିବ ? ସତେ କ’ଣ ଡାହାଣୀ ଭୂତଗୁଡ଼ା ଜୀଅନ୍ତା ମଣିଷଙ୍କୁ ଏମିତି କଞ୍ଚା ଚୋବାଇ ପକାଇବେ ? ସେ ଦିନ ପରା ୟାଠୁଁ ଆହୁରି ଡ଼େରିରେ ସେ ଘରକୁ ଫେରିଥିଲା ? ଏଇମିତି କଳା ଅନ୍ଧାର…କେତେ କିଏ ଖାଇଗଲେ ତାକୁ ?

 

ଗୋଟେ ରିସାରେ ସିନା ଚାଲୁଥାଏ ଫୁଲି, ହେଲେ ସେଇ ଅଭିମାନ, ରିସା ଭିତରେ ବି ମନରେ ରହି ରହି ଆସୁଥାଏ ଗୋଟେ ଲୁଚାଛପା ଭାବନା–ରାଜୀବା’ଇ ପଛରେ ଆସୁଛି କି ? ଅସମ୍ଭବ କ’ଣ ? ଏମିତି ବଡ଼ ବଡ଼ କଥା କହୁଥିଲା–ଜାନୁଆର ନୁହେଁ ମଣିଷ…ଏଗୁଡ଼ା କ’ଣ ଖାଲି ମନରଖା କଥା ? ଫୁଲିଠାରେ ତା’ର କ’ଣ ଏତେ ଟିକେ ସହାନୁଭୂତି ନାହିଁ ?

 

ଏଇ ଭାବନା ସାଙ୍ଗେ ସାଙ୍ଗେ ପାଦ ଦିଟା ଫୁଲିର ପଛକୁ ଟାଣି ହୋଇ ଯାଉଥାଏ–କାଳେ ରାଜୀବା’ଇ ତାକୁ ଖୋଜି ଖୋଜି ପଛରେ ଛୁଟି ଥିବ ! କାହିଁ ? ଟିକିଏ ଖୁଡ଼୍ କି ଖାଡ଼୍, କିଛି ତ ଶୁଭୁ ନାହିଁ ? ମନ ହେଉଥାଏ ଥରୁଟେ ପଛକୁ ମୁହଁ ବୁଲାଇ ପଚାରିଦେବ–କିଏ, ରାଜୀବା’ଇ କିରେ ?

 

ଏଇମିତି ବାରଚାଉଳିଆ ଭାବନା ଭିତରେ କେତେବେଳେ ଯେ ଫୁଲି ଘର ପାଖିଆ ହୋଇଗଲା, ତାକୁ ମୋଟେ ଜଣା ପଡ଼ିଲା ନାହିଁ । ମନଟା ସନ୍ତୁଳି ହେଉଥାଏ ଭିତରେ–ଆଉ ଦି’କୋଶ ଦୂରେଇ ଯାଆନ୍ତା କି ଘରଟା !

 

ସେତେବେଳକୁ ବରଷା ଟିକିଏ ନଇଁ ଆସିଲାଣି । ଯାହା ବା ଟୋପି ଟୋପି ପାଣି ପଡ଼ୁଥାଏ, ପବନ ସୁଅରେ ଦେହକୁ ଲାଗି ନଥାଏ ମୋଟେ । ଖାଲି ସୁ ସୁ ଘୁ ଘୁ ପବନ–ଦୂର ତୋଟା ବଣ ମନ୍ଥି ଛୁଟିଥାଏ କେଡ଼େ ବେଗରେ ।

 

ଫୁଲି ତାଙ୍କ ଘର ପହଣ୍ତ ଉପରକୁ ଠେଲି ପେଲି ହୋଇ ଉଠିପଡ଼ିଲା । ସେ କାକରିଆ ପବନ ସୁଅରେ ଦେହ ଭସାଇ ଦେବାକୁ ମନ ଓଟାରି ହେଉଥାଏ । ସତରେ କ’ଣ ତେବେ ରାଜୀବା’ଇଟା ଆସିଲା ନାହିଁ ! ଏତେ ଦୁଃଖ, କଷ୍ଟ, ବରଷାମାଡ଼…ରାଜୀବା’ଇ ଛାତିରେ କ’ଣ ଟିକିଏ ହେଲେ ବାଜିଲା ନାହିଁ !

 

ଦାଣ୍ତ ଦୁଆର ମୁହଁରେ ଚୋରଣୀଙ୍କ ପରି ଠିଆ ହୋଇ ଭାବୁଥାଏ ଫୁଲି କେତେ ଆଉ କେତେ କଥା । ଅହଂଗୁଣ, ରାଗରେ ଜଡ଼ସଡ଼ ହୋଇଯାଉଥାଏ ଦେହସାରା–ହଉ, ଦେଖିବା ଦେଖି, କେମିତି ସେ ମନୁଆ, ଗୋବିନ୍ଦା ହେରିକାଙ୍କ ସାଙ୍ଗରେ ତାଳ ପକେଇ କାମ କରିବ ସେଠି !

 

କେତେ ଭାବିବ ଫୁଲି ସେ ପୋଡ଼ପାଡ଼ ଭାବନାରୁ ? ଦିକ୍‍ଦାର ହୋଇ ମାଆକୁ ଡ଼ାକେ ଦି ଡ଼ାକ ମାରିଲା–ମା ମାଆଲୋ, କବାଟ ଫିଟାଇଲୁ ?

 

କବାଟ ଫିଟାଇ ଦେଇ ମା’ ତା’ର ତାଟକା ହୋଇଗଲା ଝିଅଟା ଗୋଟାପଣେ ତିନ୍ତି ଯାଇଛି ।

 

କିଲୋ, ଏତେ ମଠ କଲୁ କାଇଁକି ମ ? ଯଦି ବା ଦେଖିଲୁ ମଠ ହେଲା, ତେବେ କାହା ଓଳିରେ ଟିକିଏ ଠିଆ ନ ହୋଇ ତୁ ଏ କଚଡ଼ା ବରଷାଟାରେ ତିନ୍ତି ବୁଡ଼ି ଧାଇଁଛୁ–ଦେ, ଆଇଲୁ ଭିତରକୁ ?

 

ମାଆର ଏତେ ଗୁଡ଼ାଏ କଥା ଭିତରୁ ଫୁଲି କାନକୁ କ’ଣ ଶୁଭିଲା କେଜାଣି, ସେ ଚିଡ଼ି ଚିଡ଼ି ହୋଇ କହିଲା–ମଠ ତ ହେଲା ଏଥି ଲାଗି କ’ଣ କହୁଚୁ ତୁ ! ନ ଆସି ଆଉ କୋଉ ବାଇରେ ମରିଥା’ନ୍ତି ଲୋ ?

 

ମଅ, କ’ଣ କହୁଚି ଏ ଝୁଅଟା…କିଲୋ, କେହି ନୋହିଲା ବେଳକୁ ତୋ ରାଜୀବା’ଇ ପଲା କତିରେ କ’ଣ ଟିକିଏ ମଥା ଗୁଞ୍ଜି ଦେଇନଥାନ୍ତୁ ?

 

ଜଳିଗଲା ଦେହ ଫୁଲିର । ସେ ପଖାଳ କରିଆ ଖଣ୍ତ ପାଲଟୁ ପାଲଟୁ ନାକ ଫୁଲେଇ ଝାମ୍ପି ପଡ଼ିଲା ତା’ ମାଆ ଉପରେ କେତେ ସେ ରାଜୀବା’ଇ ରାଜୀବା’ଇ ହଉଚୁ ଲୋ ? କି ରାଜୀବା’ଇ....ତା’ ନିଜ କଥାତ ଠୋ, ଠା; ଠି, ଆଉ ମୁଁ ତା’ ପଲା କତିରେ ଯାଚିହେଇ ମଥାଗୁଞ୍ଜି ଥାଆନ୍ତି…କ’ଣ କହିବି ନାଇଁ ଆଉ....

 

ବଣରେ ନିଆଁ ଲାଗିଲେ କୋଶ କୋଶ ଦୂରର ଲୋକଙ୍କ ଆଖିକି ଦିଶେ । ସମସ୍ତେ ଜାଣନ୍ତି ବଣରେ ନିଆଁ ଲାଗିଛି । କିଏ କେତେ ଆମୋଦ କରେ । କିଏ ଦୁଃଖ କରି କହେ–ଆହା, ଜୀବଜନ୍ତୁ ଗୁଡ଼ିକ କି କଲବଲ ହେଉଥିବେଟି ! ମନର ନିଆଁଗୁଳୁ ଗୁଳି କେହି ତ ଦେଖିପାରନ୍ତି ନାହିଁ, କିମିତି ଜାଣିବେ ? ସେ ନିଆଁ ମଣିଷ ଭିତରେ କୁହୁଳି ମଣିଷକୁ ତିଳ ତିଳ କରି ପୋଡ଼େ, ଛାତି ସିଝେଇ ଦିଏ । ମଣିଷ ନାଚାର । ତା’ର ଉପାୟ କିଛି ନ ଥାଏ । ମନ ଖୋଲି କହି ପାରେ ନା । ସେଇମିତି ଫୁଲି ଭିତରେ ଯେଉଁ ନିଆଁ ଟିକକ କୁହୁଳୁ ଥିଲା, ତାକୁ ତା’ ମା’କି କେହି ଜାଣିପାରିଲେ ନାହିଁ । ସେ ଆପଣା ଭିତରେ ସନ୍ତୁଳି ହୋଇ କ’ଣ ଖାଇଲା, କ’ଣ କଲା, ତା’ ଯେ ଦିନରାତି କରୁଛି, ତାକୁହିଁ ଜଣାଥିଲେ ଥିବ !

 

ପେଟଚିରି ଜନ୍ମ କରିଛି ମା’–ସେ ବେଳେବେଳେ ଢ଼ିମା ଢ଼ିମା ଆଖି କାଢ଼ି ଫୁଲିକି ଅନାଏ । କେଡ଼େ ବଡ଼ ଝିଅ–ରୂପରାଗରେ ଫାଟିପଡ଼ୁଛି । ମନର ସାଧ ଥାଏ, କିଏ ଗୋଟିଏ ମିଳନ୍ତାକି ତାକୁ ଘର ଜୋଇଁଅ କରି ରଖନ୍ତା । ଫୁଲି, ନଖିଆ ଦୁହେଁଯାକ ବୁଢ଼ୀ ଆଖି ଆଗରେ ତା’ ମଲାଯାଏଁ ଚଳ ବିଚଳ ହେଉଥାନ୍ତେ । ପୋଷିଲା ଝିଅ ଫୁଲିକି କାହା ଗଳାରେ ଛନ୍ଦିଦେଇ ସେ ପାଖରୁ ଛାଡ଼ି କିମିତି ରହିବ ?

 

ଶ୍ରୀବଣମାସର ଅମାସିଆ ରାତି–ଚିତୋଉ ଅମାସିଆ । ବରଷା, ପବନ ସାଙ୍ଗରେ ଧରି ଲଗାଇଛି ଗୋଟେ ଅନ୍ଧାରି ମଉଛୁକ । କେତେବେଳେ ଗୁଳ କଡ଼ରେ, କେତେବେଳେ କାନ୍ଥି ଫାଙ୍କରେ ରାହାଧରି ଗରଜି ଉଠୁଛି ରହି ରହି । ବୁଢ଼ୀ ଶୋଇଥାଏ ଘର ମଝିରେ । ଦୁଇ ପାଖରେ ତା’ର ଶୋଇଥାନ୍ତି ଫୁଲି ଆଉ ନଖିଆ ଘୋଡ଼ି ଘାଡ଼ି ହୋଇ । ଆଖିରେ ତାଙ୍କର ଘୋଟି ଯାଇଥାଏ ନାହିଁ ନ ଥିବା ନିଦ । ଫୁଲି ଦେଖୁଥାଏ ଘରପୋଡ଼ି ସପନ କି କ’ଣ, ବାଉଳି ଚାଉଳି ହୋଇ କ’ଣ ଗୁଡ଼େ ବକି ଯାଉଥାଏ ତା’ ପେଟ ଭିତର ଛପିଲା କଥାଗୁଡ଼ା, ଯାହା ଭାବିଲା ମାତ୍ରେ ବାରୁଦରେ ନିଆଁ ଧରିଲା ପରି ମଣିଷ ଅନ୍ତ ଜାଳିଦିଏ ।

 

ଫୁଲି ସପନ ଦେଖୁଥାଏ ମନ ପୂରାଇ–ଗୋବିନ୍ଦା ବେକରେ ଗାମୁଛା ବାନ୍ଧି ଲଟକି ପଡ଼ିଛି ଗାଁ ମୁଣ୍ତ ଆମ୍ଵ ଡାହିରେ । ଲୋକବାକ କେତେ ଜମା ହୋଇ ନିରେଖି ଅନେଇଛନ୍ତି ତା’ ଶବଟାକୁ । କେଡ଼େ କେଡ଼େ ଆଖି କାଢ଼ି ଜିଭ କାମୁଡ଼ି ଜୀବ ହରେଇ ଦେଇଛି ଗୋବିନ୍ଦା ! ମନୁଆ ଚାରିଆଡ଼େ ରାଷ୍ଟ୍ର କରିଛି କପିଳେଶ୍ଵର ଗାଁର ଫୁଲି ମୂଲିଆଣୀ ଲାଗି ବେକରେ ଦଉଡ଼ା ଲଗେଇ ଗୋବିନ୍ଦା ମରିଗଲା । ଚାରିଆଡ଼େ ଡ଼ିବିଡ଼ିବି ନାଗରା । ଫୁଲି ଏଣେ କରିଛି କ’ଣ, ନା, ହାଣ୍ତି କଳା ପରି ଅନ୍ଧାର ରାତିରେ ଘର ଦୁଆର ଛାଡ଼ି ଧାଇଁଛି ତା’ ରାଜୀବା’ଇ ପଛରେ । ରାଜୀବା’ଇ ଆଖିକାଢ଼ି ଫୁଲିକି ମାରି ଗୋଡ଼ାଉଛି, ହେଲେ ବି ଫୁଲି କଣ୍ଟାଝଣ୍ଟା ନ ମାନି ଧାଇଁଛି ଯୋଜନ ବାଟ, ଅସରନ୍ତି ବାଟ ଯେତେ ଧାଇଁଲେ ବି ସରୁନାହିଁ । ମୁହଁରେ ତା’ର ଖାଲି ସେଇ ପଦୁଟିଏ କଥା–ରାଜୀବା’ଇ, ମତେ ସାଙ୍ଗରେ ନବୁ ନାଇଁ... ?

 

ଫୁଲିର ସେଇ ସପନ ଏଣେ ଜୀବନ୍ତ ହୋଇ ଉଠିଥାଏ ରାଜୀବା ଆଖିରେ । ବରଷା ପାଣିରେ ଭିଜି ଦେହଟା ତା’ର ଗୋଟାସରି କାଲୁଆ ହୋଇଯାଇଥାଏ । ସେ ବିଛଣା ଉପରେ ପଡ଼ି ଏକଡ଼ ସେକଡ଼ ହେଉଥାଏ । ଆଖିରେ ମୋଟେ ନିଦ ନାହିଁ । ଯେତେ ଭାବିଲେ ବି କୂଳକିନାରା କିଛି ମିଳୁ ନଥାଏ ତାକୁ । ଦୁଇଆଖିରେ ତା’ର ଦୁଇଟି ଛବି ଫୁଟି ଉଠୁଥାଏ ଦୁଇଟିଠାଣିରେ ଗୋଟିଏ ସୁନେଇ, ଆଉ ଗୋଟିଏ ଫୁଲି । ଜଣକର ସର୍ବନାଶ ଆଉ ଜଣକର ପୁଷମାସ । ଜଣେ ପାଇବାକୁ ଚାହିଁଛି ଦୁଃଖରେ, ଆଉ ଜଣେ ପାଇସାରି ଚାହିଁଛି ସୁଖରେ । କଥାରେ କହନ୍ତି–ଯେ ପଖାଳ ଖାଇଛି, ସେ ତବତ ଖାଉ, ଯେ ଜମା ନ ଖାଇଛି, ସେ ଗାଧୋଇ ଯାଉ । ବଣ ପାହାଡ଼ ଘେରା ମାଳତଳ ଛାଇରେ ବଢ଼ିଲା ଝିଅ ସୁନେଇ, ଅଥଲ ଦରିଆ ପରି ଯାହାର ହୃଦୟ, ସେମିତି ଝିଅର ମନତଳେ ଘର କରିଥିବ ଯିଏ, ସିଏ କାହିଁକି ଏ ଅବୁଝାମଣା ରାଇଜର ବାଲି ହରିଣ ପରି ଧାଇଁ ବୁଲୁଥିବା ଉପୁଢ଼ଙ୍ଗର ଝିଅଗୁଡ଼ାଙ୍କୁ ମନ ବଳାଇବ ? ଏଗୁଡ଼ାକ ମର୍ଦ୍ଦମାନଙ୍କୁ ହାଟ ବଜାରର ବାଇଗଣ ପରିବା ପରି ମଣନ୍ତି କି କ’ଣ, ଆଜି ଦେଖିଥିବ ଜଣକ ପାଖରେ ତ ତାଙ୍କୁ କାଲି ଦେଖିବ ଆଉ ଜଣକ ପାଖରେ । କେତେ ମୂଲଚାଲ…କେତେ ଟଙ୍କା ଦବ ? ଶୁଆପକ୍ଷିଆ ରଙ୍ଗର ତନ୍ତବୁଣା ଶାଢ଼ୀ ଖଣ୍ତେ ଦବନା ? ସେ ଅମୁକ ଅତର ଶିଶିଟା... ।

 

ସୁନେଇ ତା’ ପହିଲି ବଅସରେ ଖାଇବାକୁ ଯାହା ପାଇଛି, ସେ କିମିତି ଜାଣୁ ଜାଣୁ ତା’ ଖାଇବା ଦରବକୁ ଆଉଜଣେ ଛଡ଼ାଇ ନେବାର ଦେଖିବ ? ସେଥିରେ କାହାରି ଦେହ ସହେ, ନା ତା’ର ସହିବ ? ରାଜୀବା ଭାବିପାରିଲା ନାହିଁ, କ’ଣ କହି ସେ ତା’ ନିଜ ମନକୁ ତୋଷିବ । ଫୁଲି ହାତରେ ଧରାଦେବା ଅର୍ଥ ସୁନେଇର ଘର ଭାଙ୍ଗିଦେବା । ସୁନେଇ ସାଥିରେ ତା’ ଦିନଗୁଡ଼ିକ ଯେମିତି କଟିଛି, କିଏ ଜାଣିଲା ଫୁଲିକି ଧରାଦେଲେ ରାଜୀବର ଦିନ ସରିବ କି ନାହିଁ ? ନା, ନା, ପାରିବ ନାହିଁ ରାଜୀବା…କିନ୍ତୁ ଫୁଲି…ହସକୁରୀ ଝିଅଟିକି ଚାହିଁ ଦେଲା ମାତ୍ରେ ରାଜୀବାର ମନପ୍ରାଣ ଚହଲି ଉଠେ ଗୋଟେ ଝୁଙ୍କରେ । କାମକ ଜାଗାରେ ସେ ଦିକାମ କରିପକାଏ । କାଲି ଯେତେବେଳେ ସେଇ ଫୁଲି ରାଜୀବା ଉପରେ ମୁହଁ କୁହୁଳେଇ ତା’ର ନିତିଦିନିଆ ଠାଣିରେ ନ ପଚାରିବ–ରାଜୀବା’ଇ, ଆଜି ମନ୍ଦେ ତୋରାଣି ଦବୁନା ପିଇବାକୁ…କ’ଣ କରିବ ରାଜୀବା ? କିମିତି ସେ ସୁଦୂର ଏଇ ଟାଙ୍ଗରା ଭୂଇଁଟାରେ ପଡ଼ି–ହାଡ଼ଭଙ୍ଗା ଖଟଣି କରିବ ? ପାରିବ ନାହିଁ ସେ ।

 

ଜୀବନଟାକୁ ସରସ ସୁନ୍ଦର କରିବାକୁ କିଏ ନ ଚାହେଁ ? ଦିନଯାକର ଝାଳବୁହା ଖଟଣିରୁ ଛୁଟଣ ମିଳିଲେ ଲୋକ ଖୋଜେ ଟିକେ ଆରାମ, ଟିକେ ନରମ ଗଳାର ଆବାଜ–ମଧୁରିଆ ବଚନ । ମଣିଷ ମାତ୍ରେ ଏ କଥା ଖୋଜିଥାନ୍ତି । ସେଥିରେ ମୁର୍ଖ, ପଣ୍ତିତ, ଧନୀ, ଦରିଦ୍ର, ରଜା ପ୍ରଜାର ଭେଦ ବିଚାର ନ ଥାଏ । ଖାଲି ଚମଡ଼ାର ଗୋରା, କଳା, ସଫା, ମଇଳା ଭେଦ ଯାହାଥାଏ ସେତିକି; ଆଉ ସେଇ ଭେଦର ମାତ୍ରା ଗୁଣରେ କିଏ ଖୋଜେ ବେଶୀ, କିଏ ବା ଖୋଜେ ତା’ ମାପକୁ ଚାହିଁ କମ୍ । କିନ୍ତୁ ଖୋଜନ୍ତି ସମସ୍ତେ । ବରଂ ରାଜୀବା ପରି ମୂର୍ଖ ମୂଲିଆ ମୁଣ୍ତେ ସେ ମାପଚୁପ କରନ୍ତି ବେଶୀ । କାରଣ, ସେ ଯେତିକର ଲୋକ ସେତିକିରେ ହିଁ ରହିବାକୁ ଅଧିକ ନଜର ଦେଇଥାନ୍ତି । ତମ ଆମଙ୍କପରି ଧନ ନ ଥାଇ ଧନୀ, ବିଦ୍ୟାନଥାଇ ପଣ୍ତିତ, ରାଜ୍ୟ ନ ଥାଇ ରଜାଙ୍କଠାରେ ସେ ନଜିର ଦେଖିବାକୁ ମିଳେ କମ୍ । ଏଥିରେ ରାଗ କରିବାର କଥା କିଛି ନାହିଁ । କିନ୍ତୁ ଆମକୁ ଯଦି କେହି ଏ କଥା ସୂଚାଇ ଦିଏ, ତେବେ ତା’ ଉପରେ ରାଗ କରିବାଟା ଆମର ପ୍ରକୃତିଗତ ହୋଇଗଲାଣି । କାରଣ ଆମଠୁଁ ବଡ଼ଙ୍କ କଥା ଆମେ ସବୁବେଳେ ପଢ଼ୁଥାଇଁ, ଆଖି ଆଗରେ ଦେଖୁଥାଇଁ ଆଉ ସେଇ ଛାଞ୍ଚରେ ନିଜକୁ ଗଢ଼ୁଥାଇଁ । ଦୁନିଆରେ ସୁନ୍ଦର ଜିନିଷଟି ସବୁଲୋକଙ୍କ ଆଖିରେ ଲାଖି ରହେ । ସେଇପରି ନରମ ମିଠା କଥା ଶୁଣିବାକୁ ସମସ୍ତଙ୍କୁ ଭଲଲାଗେ । ତା’ ବୋଲି ଦେଖିବା ମାତ୍ରେ କି ଶୁଣିବା ମାତ୍ରେ ଜିନିଷଟାରେ ନିଜର ଶୋଳଣା ଦାବୀ କାଏମ କରିବାଟାତ ସବୁଠାରେ, ସବୁକାଳରେ ଠିକ୍ ନୁହେଁ । ଆମେ ଏ କଥା ବୁଝୁଥାଇଁ, କିନ୍ତୁ କାର୍ଯ୍ୟରେ କରୁଥାଇଁ ନିଆରା, ଗୋଟେ ପରମ୍ପରାର ଦ୍ଵାହି ଦେଇ–ହେ, ସେ ଅମୁକ ପରା କହିଛନ୍ତି ଏପରି କରିବା ଅନ୍ୟାୟ ନୁହେଁ–ସେ ତମୁକ ପରା ଏମିତି କରି ଏଇଲାଗେ ତାଙ୍କ ପାହ୍ୟା ଉପରକୁ ଉଠାଇଛନ୍ତି !

 

ରାଜୀବା ବିଚରା ତା’ ଜୀବନର ସନ୍ଧିସ୍ଥଳରେ ପହଞ୍ଚିଛି ଏଇଲାଗେ । ସେ ନ ଭାବି ରହିପାରୁଛି କେତେକେ ? ଏତିକି ହୋଇପାରେ ଯେ ତା’ର ଭାବନାଗୁଡ଼ାକ ଅକାରଣ ହୋଇଯିବ । ହେଉ, କ’ଣ ହୋଇଗଲା ? ତାଠୁଁ ଗୁଣର ଲୋକେ ତ ମନର ଆଣ୍ଟ ଭାଙ୍ଗି ନପାରି ଚନ୍ଦ୍ରମାରେ ବି କଳଙ୍କ ଲଗାଉଛନ୍ତି । ସେ ବିଚାରରେ ରାଜୀବାର ମନ ଫୁଲି ଆଡ଼କୁ ଢ଼ଳିବାରେ କେଉଁ ମହାଭାରତ ଅଶୁଦ୍ଧ ହୋଇଯାଉଛି ?

 

–ହେଲେ, ଫୁଲିଟି କ’ଣ ଦେଖିବାକୁ ଅସୁନ୍ଦର? ସାବନା ବର୍ଣ୍ଣ ମୁଣ୍ତର ବାଳଗୁଡ଼ିକ କେଡ଼େ ସୁନ୍ଦର କୁଞ୍ଚିକୁଞ୍ଚିକା । ତାଳୁରେ ଆଉ ଓଠ ତଳକୁ କେଡ଼େ ଯତନରେ କଳାଟୋପା ଦିଓଟି କୁଟା ହୋଇଛି । ସତେକି ଯେମିତି ଫୁଟିଲା ଫୁଲ ଉପରେ କଳା ଭଅଁର ଦିଓଟି ବସି ଲଗାଇଛନ୍ତି ମହୁହାଟର କନ୍ଦଳ । କୁନ୍ଦିଲା ଦେହରେ ନାଲିଛିଟର ଜାମା ଖଣ୍ତିକ ମାନୁଥିବ କେଡ଼େ ସୁନ୍ଦର । ଲହସ ଚାଲିରେ ଦୁବଘାସର କଅଁଳ ମଥା ନଇଁ ଯାଉଥିବ । ଯେତେବେଳେ ଦେଖିବ ତା’ ଓଠ କୋଣରେ ଦରଫୁଟା ହସ ଟିକିଏ ଲାଖିଥିବ ।

 

ଫୁଲିର ହସିଲା ମୁହଁରୁ ପଦେ କଥା ଶୁଣିବାଲାଗି ଗୋବିନ୍ଦା, ମନୁଆ ଆଉ ଏଇମିତି କେତୁଟା ମେଞ୍ଚଡ଼ ଟୋକା ହାଇଁ ପାଇଁ ହେଉଥାନ୍ତି । ହେଲେ ଫୁଲି ତାଙ୍କ ପାଖ ପଶେନାହିଁ । ନିଜେ କାନତରାଟି ବାବୁଟା କ’ଣ ? ଦିନେ ଧୋବ ଧାଉଳିଆ ପେଣ୍ଟପିନ୍ଧା ବାବୁ ଦିଜଣଙ୍କୁ ସାଙ୍ଗରେ ଧରି କାନତରାଟି ବାବୁ ଫୁଲିକି ଦେଖେଇ କ’ଣ ଗୁଡ଼େ କହି ଯାଉଥାଏ । ସେ ବାବୁ ଦିଟା ରହିରହି ଫୁଲି ଉପରକୁ ଗୋଟେ ଗୋଟେ ରଗଡ଼ି ଚାହାଣି ପକାଉଥାନ୍ତି–ବାପଲୋ, ସତେକି ଯେମିତି ଦିଟା ବଣୁଆ ହାତୀ ! ତାଙ୍କ ଗାଲଟାମାନ ବେଙ୍ଗପେଟ ପରି ଫୁଲି ନାଲ ଚାଇଁ ଚାଇଁ ଦିଶୁଥାଏ–ମଲାରେ, କେତେ ଭଙ୍ଗୀ କାଢ଼ୁଚମ–ରାଜୀବାର ମନ ହେଉଥାଏ, କିଏ କହନ୍ତା କି, ସେ ବାବୁ ଦିଟାଙ୍କ କାନକୁ ଧରି ତାଙ୍କ ଫୁଲିଲା ଗାଲରେ ଠୋ ଠା କରି ଦି’ ଦି’ଚାପୁଡ଼ା ବସାଇ ଦିଅନ୍ତା ! ବସିବସି ଖାଇ ଏଗୁଡ଼ାକ କି ଗଣ୍ତି କରିଛନ୍ତିରେ ବାପ !

 

ରାଜୀବା ଭାବନାର ଆଦି ନାହିଁ କି ଅନ୍ତ ନାହିଁ । ସେ ରାତିଟାଯାକ ବିଛଣା ଉପରେ ଗଡ଼େଇ ତଡ଼େଇ ହୋଇଛି । ପଲା ବାହାରେ ବୁଲା ପବନଟା ବରଷା ରାତିର ବିଜୟ ବାର୍ତ୍ତା ଘୋଷି ହେଉଥାଏ–ସୁ ସା, ଘୁ ଘା । ରାଜୀବାକୁ ବଡ଼ ସୁଖ ଲାଗୁଥାଏ–ତା’ ଭାବନା ସାଙ୍ଗକୁ ଏ ବରଷା ଘୋଷାର ମିଶାଣ । ପାଖପଡ଼ିଶା ଘର କୁକୁଡ଼ା ପଛେ ଡାକ ଦେଲା, ତଥାପି ରାଜୀବା ଆଖିରେ ପଲକ ପଡ଼ିଲା ନାହିଁ । ଶେଷକୁ ତା’ ଭାରିଯା ସୁନେଇ କପାଳରେ ଗୁଡ଼େ ଅନଭୋଗ ଭରିଦେଇ ସେ ଠିକ୍ କଲା–ରାତି ପାହୁକି, ସେ ଯିବ କପିଳେଶ୍ଵର ଗାଁକୁ ଫୁଲିର ଘର ପଚାରି ପଚାରି । ଦେଖି ଆସିବ, ଫୁଲି କ’ଣ କରୁଛି, କିମିତି ଅଛି, କାମକୁ ଆସିବ କି ନାହିଁ…ଫୁଲି ରାଜୀବାକୁ ଏତେ ଦେଖିପାରେ; ତା’କୁ ଦେଖି ପକାଇଲା ମାତ୍ରେ କ’ଣ ଭୁଲିଯିବ ନାହିଁ ତା’ ଗଲା ରାତିର ଅଭିମାନ ?

 

ରାତି ପାହିଲା । ସକାଳ ହେଲେ ଯାହା ଯେମିତି ହେବାର ସବୁ ହେଲା । କେବଳ ହେଲାନାହିଁ ରାଜୀବାର ଭାବିଲା କଥା । ସେ ତା’ର ନିତିଦିନିଆ କାମଦାମ ସାରି କପିଳେଶ୍ଵର ଗାଁକୁ ଯିବାକୁ ଗୋଡ଼ ଟେକିବା ବେଳକୁ ପଡ଼ିଆ ଦାଣ୍ତରେ ଦେଖି ପକାଇଲା–ଫୁଲି ଆଉ ଗୋବିନ୍ଦା ହାତ ଧରାଧରି ହୋଇ କେଡ଼େ ମଉଜରେ ତାରିଆଡ଼କୁ ମୁହାଁଇଛନ୍ତି । ହସି ହସିକା କୁହୁରି ଉଠୁଛି ଫୁଲି । ମୁହଁରେ ତା’ର ଅଭିମାନର ଏତେ ଟିକିଏ ଛାପ କାହିଁକି ଥାଆନ୍ତା ! ଗୋଡ଼ ହାତ ଚଳିଲା ନାହିଁ ରାଜୀବାର । ପଲା ତାଟିକୁ ଧରି ସେ ପଥର ପାଲଟିଲା ସେଠି ।

 

ତା’ ବୁଢ଼ୀମା ମରିଗଲା ଦିନ ରାଜୀବାକୁ ଏତେ ବାଧି ନ ଥିଲା । ପାଚିଲା ଫଳ ଗଛକୁ ଭାରା–କେଉଁ ଦିନ ଝଡ଼ି ପଡ଼ିବ କିଏ କହିବ ? ସେଇମିତି, ମା ତା’ର ବୁଢ଼ୀ ହୋଇଯାଇଥିଲା ଆଜି ହେଉ, କାଲି ହେଉ, ଯେଉଁଦିନ ହେଲେ ତ ମରିଥା’ନ୍ତା ନିଶ୍ଚୟ । ସେ ଏବେ ସେ ଦିନ ମରିଗଲା, ଏଥିରେ ରାଜୀବାକୁ ବାଧା ହେବ କାହିଁକି ? ସେଦିନ ରାଜୀବାର ଆଖି ଛଳ ଛଳ ହୋଇଥିଲା କି ନାହିଁ, ସେ କଥା ତା’ର ମନେ ନାହିଁ । ଆଜି କିନ୍ତୁ ଇଏ କ’ଣ ? ଇଏ କ’ଣ ସେଇ ଫୁଲି, ଯିଏ କାଲି ବରଷା ଅନ୍ଧାର ରାତିରେ, ଜନ ପ୍ରାଣୀ କେହି କୁଆଡ଼େ ନାହାନ୍ତି, ଅଭିଆଡ଼ୀ ଟୋକିଟା ରାଜୀବା ପଲା ଓଳିରେ ଯାଚିହୋଇ ମଥା ଗୁଞ୍ଜିଥିଲା ? ତାରି ପଲାରେ ରାତିଟା କଟିଯାଇଥିଲେ ବି ଯାହାର କିଛି ଲୋକସାନ ହୋଇଯାଇ ନଥାନ୍ତା, ଇଏ ସେଇ ଫୁଲି ?

 

କହନ୍ତି–ବଜ୍ର ପଡ଼ିଲା ଲୋକ ବଞ୍ଚିବା କଷ୍ଟ । କିନ୍ତୁ ୟାଠୁ କ’ଣ ବେଶୀ କଷ୍ଟ ହୁଏ ? ରାଜୀବା ଭାବିପାରିଲା ନାହିଁ । ଭାବିପାରିଲା ନାହିଁ–କାଲି ରାତିର ଏଇ ଫୁଲି ତାରି ଆଗରେ ତା’ ଛାଇ ଉପରେ ଚଢ଼ି ମୁହଁକୁ ନ ଚାହିଁ ଚାଲିଯାଇପାରେ ଗୋବିନ୍ଦା ସାଙ୍ଗରେ, ଯାହାକୁ ଦେଖିଲେ ସେ ଛେପ ପକାଇବାକୁ ବି ମନ କରେ ନାହିଁ ! କଲିଜା ଭିତରେ ଛୁରୀ ଚାଲିଗଲା ରାଜୀବାର ଏକେତ ରାତିଟା ଯାକ ଅନିଦ୍ରା, ତହିଁରେ ପୁଣି ଯାହାଲାଗି ଏତେବାଟ ଘଷ, ସେ ସେଇବାଟ ଦେଇ ଗଲା, ଅଥଚ କଥା କହିବା ଦୂରେ ଥାଉ, ମୁହଁକୁ ଟିକିଏ ଚାହିଁଲା ନାହିଁ ! ବଡ଼ ବାଧା ହେଲା ରାଜୀବାକୁ । ଆପେ ଆପେ ଆଖିରେ ପାଣି ଟୁମୁକେଇ ଦେଲା ।

 

ଚମକାଇ ଦେଲା ଗୋବିନ୍ଦାକୁ ଫୁଲିର କଥା ପଦକ । ଫୁଲି ତା’ କିରିକିରି ହସ ଭିତରେ ଯେତେବେଳେ କହିଦେଲା–ହଁରେ ଗୋବିନ୍ଦା’ଇ, ଖାଲି କହି ଦଉଚୁ ସିନା, ହେଲେ ରାଜୀବା’ଇକି ଦେଖି ପକେଇଲେ ଖାଲି ଛାତି ଦମ ଦମ ହୁଏ । ମା ଲୋ, ଅରଣା ମଇଁଷି ବାଗି ଅନେଇଦବ ଯେତେବେଳେ ସତେ ଖାଇଲା କି ଆଉ ! ଗରଭ ଫଟେଇ ଛୁଆ ବାହାରି ପଡ଼ିବ ଲୋ ମା’, ସେ ଚାହାଣିରେ !!!

 

ହତାଶ ହୋଇପଡ଼ିଲା ଗୋବିନ୍ଦା । ଏତେ କହି ବୋଲି ସୁଦ୍ଧା ଫୁଲି ମନରୁ ରାଜୀବା ପ୍ରତି ଭୟ ଯାଉନାହିଁ । କିଲୋ, କ’ଣ କରିବ ସେଉଟା ? ବରହମ୍ପୁରିଆର ମଗଜ ଥଣ୍ତା ହୋଇଯିବ ନାହିଁ-? ଘର କୁଆଡ଼େ, ଦୁଆର କୁଆଡ଼େ, କରମ ପଡ଼ିଥିଲାକୁ ଏଠି ଆସି କୁଲୀ ବେଉସା କରୁଛି, ସେଉଟା କ’ଣ କରିବ ତୋର ? ଆମେସବୁ ଏତେ ଅଛୁଁ, ସାଧ୍ୟ କରିଦବୁ ନାଇଁ ତାକୁ !

 

ଫୁଲିର ଆଜି କ’ଣ ହୋଇଛି କେଜାଣି ସେ ଖାଲି ଟିକ କଥାରେ ହସି ହସି ଗଡ଼ି ଯାଉଛି-। ଥାନ ଅଥାନ ମାନୁନାହିଁ । ସେ ଫେଁ କିନା ହସି ଉଠି ଗୋବିନ୍ଦା କଥାରେ ଜବାବ ଦେଲା-। ଯା ରେ, ଦେଖିଛି, କାହିଁକି ସେଗୁଡ଼ା କହୁଚୁମ ! ଏକା ମାଧିଆ ବାଇଶି ପଳ । ଏକା ରାଜୀବାଇକି ଠିଆ କରିଦବ ଗୋଟେ ପାଖରେ, ଆଉ ତମେ ସବୁ ଟୋକା ଟାକଳା ଗୋଟେ ପାଖରେ ତାକୁ ପାହୁଣ୍ତେ ଟଳେଇ ପାରିବ ନା ?

 

ସେ ଦିନଟି ଯାକ ଗୋବିନ୍ଦା ଫୁଲିର ପିଛା ନେଇଛି କିନ୍ତୁ ସେ ତାକୁ ବୁଝିପାରିଲା ନାହିଁ ମୋଟେ । ଶେଷକୁ ସେ ଭିତରେ ଭିତରେ ରାଗି ଉଠିଲା ଫୁଲି ଉପରେ । ସେ ଦିନ କାମ ତା’ର ସେଇମିତି ସେଇମିତିରେ ଗଲା । ସବୁ ବେଳେ ଆଖି ରଖିଥାଏ ଫୁଲି ଉପରେ କାମ କରିବ କ’ଣ-? ଫୁଲି କିମିତି ସିମିଟ୍ ବୋଝ ମୁଣ୍ତ ଉପରକୁ ଟେକିଛି, କିମିତି ସେ ବୁଲେଇ କରି ଗୋଡ଼ ପକାଉଛି, ଚାଲିଲାବେଳେ ତା’ ପଛଆଡ଼ର ଭଙ୍ଗୀ କିମିତି ନିଆଁ ଖୁଣ୍ଟା କେଞ୍ଚିଦେଉଛି ମନଭିତରେ-। ଏଇମିତି ରଙ୍ଗଢଙ୍ଗ ଦେଖି ଦେଖି ସେ ଦିନଟି ସରିବାକୁ ଆସି ବସିଲା ପଛକେ, ତଥାପି ଗୋବିନ୍ଦା ଫୁଲିର ପିଛା ଛାଡ଼ିଲା ନାହିଁ । ଭଲାରେ ଭଲା, ଦେଖିବା, କିମିତି ଟୋକୀ ଖଣ୍ତିକ ବଳେଇ ଯିବ ଆଜି-! କାମରୁ ଛୁଟଣ ହେଲେ ଘରକୁ ଯିବ ତ ବଳେ !

 

ଫୁଲି ସିନା ରାଜୀବାକୁ କଥା ନ କହି ତାରି ଆଗୁଟାରେ ଗୋବିନ୍ଦା ସାଥିରେ ଚାଲି ଆସିଲା ସେଦିନ । ହେଲେ ରାଜୀବା ସେଥିଲାଗି ଫୁଲିକି ଭୁଲ ବୁଝିପାରିଲା ନାହିଁ । ଆଉ କେହି ହୋଇଥିଲେ କ’ଣ ନାହିଁ କ’ଣ କରି ବସିଥାନ୍ତା; କିନ୍ତୁ ରାଜୀବା ପ୍ରକୃତି ଭିନ୍ନ ଛାଞ୍ଚରେ ଗଢ଼ା । ସେ ବୁଝିଲା ଫୁଲି ଅଭିମାନ କରିଛି ନିଶ୍ଚୟ ତା’ ଉପରେ । ଖୁବ୍ ଦୁଃଖ କରିଛି ସେ । ସେଥିଲାଗି ଆଜି ତା’ ପେଟ ଭିତର ଦୁଃଖ ହସ ସୁଅରେ ଉଛୁଳି ଉଠୁଛି ବାହାରକୁ । ହଉରେ ବାବୁ, ଯିଏ ଯାହା ବୁଝିଲା ବୁଝୁ । ଦୁନିଆରେ କିଏ କେତେ ପ୍ରକାର ଅଭିମାନ କରନ୍ତି । ଖାଲି ମୁହଁ ଭାରି କଲେତ ଅଭିମାନ ବୁଝାପଡ଼େ ନାହିଁ । ଜଣେ ଆଉଜଣଙ୍କଠାରେ ଅଭିମାନ କରି କେଉଁଠି ଜୀବନ ହାରିଦିଏ, କେଉଁଠି ଅବା ଜାଣି ଜାଣି ବିପଦକୁ ଆପଣା ଉପରକୁ ଓଟାରି ଆଣେ । କେଉଁଠି ହସେ, କେଉଁଠି କାନ୍ଦେ–ତା’ ରତ କୌଣସି ଠିକଣା ନାହିଁ ।

 

ଆଉମାନଙ୍କ ପରି ସେଦିନ ରାଜୀବା କାମକୁ ଗଲା । ଖୁବ୍ ମନ ଲଗାଇ, ବଳ ଖଟାଇ କାମ କଲା । ମନୁଆ କଥାଛଳରେ ତା’ ପାଖରେ ଆସି ଲେଶିପେଷି ହେଉଥାଏ–କିରେ ରାଜୀବା’ଇ, କିଛି ଖବର ଅନ୍ତର ଆସିଚିକିରେ ଘରୁ ? କାହିଁକି ମୁଁହ ଫଟେଇଚୁ ? ସେଥିକି ରାଜୀବାର ନିଘା ନଥାଏ । ମନୁଆ ତା’ କାମରେ ଲାଗେ ।

 

ମେଘୁଆ ପାଗ ଯୋଗୁଁ ବେଳ ବାରି ହେଉନଥାଏ ସେ ଦିନ । ରାଜୀବା ବେଶୀ ବେଳଯାଏଁ କାମ କରିପାରିଲା ନାହିଁ । ଦିନ ଥାଉଁ କାମରୁ ପଳାଇଆସିଲା । ଆସିଲାବେଳେ ମନ ହେଉଥାଏ ନିରୋଳାରେ ଟିକେ ଫୁଲିକି ଦିପଦ ଶୁଣେଇ ଦେବାକୁ । କିନ୍ତୁ ଫୁଳି ଆଉ ଧରାଛୁଆଁ ଦେଉନଥାଏ । ରାଜୀବା ବେଳଉଣ୍ତି ଦିଚାରିଥର ଫୁଲି ଉପରକୁ ଆଖେଇ କ’ଣ କହିବ ବୋଲି ଉହୁଙ୍କିଥିବାର ଫୁଲି ଠଉର କରିଛି । କିନ୍ତୁ କେହି କାହାକୁ କିଛି କହିପାରି ନାହାନ୍ତି । ଉଭୟଙ୍କର ଉଭୟଙ୍କଠାରେ ଅହଂଗୁଣ ଭାବ । ସେଥିରେ କିଏ ଏବେ ଆଗ ପାଟି ଫିଟାଉଛି ?

 

ଦିନତମାମ ଅଥାରହାଣ୍ତି ପରି ମୁହଁଟା ଫଟାଇ ଯେମିତି ସଞ୍ଜ ପହରକୁ ଟାକି ବସିଥିଲା ଉତ୍ତରାମେଘ । କାମଦମ ସାରି ଠକ୍ ଘର ଲେଉଟାଣ ବେଳକୁ ଦାଉ ସାଧିଲାପରି ସେଦିନ ବାହୁନି ବସିଲା ଝପର ଝପ୍, ଝପର ଝପ୍ । ବିଚରା ଦୁଃଖୀରଙ୍କି ଗୁଡ଼ିକ କେମିତି ବାଟ ସାରନ୍ତି, ସେ ବିଚାର ତା’ର ଆଉ ନାହିଁ । ସେତ ଆଉ ମଣିଷ ତିଆରି ଜିନିଷ ନୁହେଁ ଯେ ଲୋକଙ୍କର ଚାହିଦା ମୁତାବକ ରେଳଡବାରେ ଖୁନ୍ଦାହୋଇ ଦେଶର ଗୋଟେ ମୁଣ୍ତରୁ ଆଉ ଗୋଟେ ମୁଣ୍ତକ ଓଟାରି ହୋଇଯିବ । ତା’ର ପଡ଼ି ଦାତା’ ଆଉଜଣେ । ତାଙ୍କ ଯୋଗାଣ ନିଆରା । ଖଟିଖିଆର ଭାଗ ତାଙ୍କ ବିଚାରରେ ବେଶୀ । ତାଙ୍କ ପାଖରେ ବସିଖିଆଙ୍କ ଅବସ୍ଥା କହିଲେ ନ ସରେ । ଭକୁଆଙ୍କ ପରି ଚାହିଁ ଚାହିଁ ତାଙ୍କ ଦିନ ସରେ । ଆଉ ଏଠି ତାଙ୍କର ଯାବତ ଚାତର, ହାକିମୀ ଦେଖିବ ଖଟିଖିଆଙ୍କ ଉପରେ । ମେଘ କାହିଁକି ତାଙ୍କ ହାକିମୀ ବିଚାରି ବସିବ ? ବରଂ ତାଙ୍କ ଉପରେ ମେଘର ଅହନ୍ତା ବେଶୀ ଆରେ, ଏ କାନତରାଟି ବାବୁ ଛତା’ ଆଣି ନାହାନ୍ତି ପରା ! ଦେ, ଅସରା ଉପରେ ଅସରା ଛେଚି ! ଖଟିବେ ମୂଲିଆ, ଅଥଚ ତାଙ୍କ ପେଟରୁ କାଟି ଏ ନାମ କମେଇବେ, ଅୟସ କରିବେ !!

 

ଦୂର ଖଣ୍ତଗିରି ମଥାରେ ଉତ୍ତରା ମେଘଟା ଲଗାଇଥାଏ ବୋହୂଚୋରି ଖେଳ । ଫୁଲିଟି ବିଚରା ବାଟ ଅବାଟ ନମାନି ଘରମୁହାଁ ଛୁଟିଥାଏ ଏକଲୟରେ । ମେଘର ସିନା ଲାଗିଛି ଖେଳ, ଖେଳିବା ଦିନ ତା’ର ଏ ହେଲେ ଗରିବ ଗୁରୁବାଙ୍କର ଯେ ଏ କାଳ !

 

ଘର ପରେ ଘର; ପଲା ପରେ ପଲା ଟପି ଚାଲିଛି ଫୁଲି । ମାପଚୁପ କଲାପରି ଠିକ୍ ରାଜୀବା ପଲା ପାଖରେ ଥପ୍‍କରି ରହିଗଲା ପାଦ ଦିଟା ତା’ର । ନଈ ଅତଡା ଖସିଲାପରି ଛାତିଟା ଦୋହଲିଗଲା ଭିତରେ । ମେଘଚାବୁକର ଭୟ ପାଶୋରି ଆଖି ବୁଲାଇ ଚାହିଁ ଦେଲା ଫୁଲି ପଲା ତାଟିର ଚାବି ପଡ଼ିଛି । ତେବେ ରାଜୀବା’ଇ ଗଲାକୁଆଡ଼େ ? ହଁ, ଯୁଆଡ଼େ ପାରି ସିଆଡ଼େ ଯାଉ, ଫୁଲିର ସେଥିରେ କ’ଣ ଅଛି ? ପୋଡ଼ିଗଲା ତିଅଣରେ ଆଉ କି ସୁଆଦ ? ପଲା ଟପି ପଡ଼ିଆ ଦାଣ୍ତ କି ଗୋଡ଼ ବଢ଼େଇ ଦେଲା ସେ ।

 

ଓଲେଇ ଗାଈର ଅଲଗା ବାଟ । ହଜାରେ ପେଟ ପୂରାଇ ଖାଇଥିଲେ ବି ସେ ୟା ତା’ ବାଡ଼ିରେ ଘେରାଏ ନବୁଲି, ଏଠି ସେଠି ମୁହଁ ନମାରି ଛାଡ଼େ ନାହିଁ ସହଜେ । ସେଇମିତିକା, ଫୁଲିର ସାଙ୍ଗ ଲୋକ ସବୁ ଯାଇଁ କେଉଁଠି ହେଲେଣି ଗୋଟେ ବାଟରେ, ଅଥଚ ପଡ଼ିଆ ଦାଣ୍ତିଇ ମମତା’ ସେ ଛାଡ଼ି ପାରିଲା ନାହିଁ । ଝଡ଼ ହେଉ, ତୋଫାନ ହେଉ, ଦୁନିଆ ଉଲଟି ଯାଉ ପଛକେ ଫୁଲିର ସେହି ପଡ଼ିଆ ଦାଣ୍ତିରେ ଯାଆସ କରିବାକୁ କାହିଁକି ଏଡ଼େ ଶରଧା କେଜାଣି ! ସେ ଦାଣ୍ତିର କଣ୍ଟା ଗୋଡ଼କୁ ତା’ର ଏତେ ଭଲଲାଗେ–ରାଜୀବା’ଇ ପଲା କଡ଼ର ସେ ଦାଣ୍ତ; ସେଇ ପଲାର ମଥାଣ ଛୁଇଁ ପବନ ଖେଦିଯାଏ ପଡ଼ିଆ ସାରା; ସେଇ ଦାଣ୍ତିରେ ସକାଳେ ସଂଜେ ରାଜୀବା’ଇର ପାଦ ପଡ଼େ । କିଏ ଜାଣିଲା, ଏଇ କଣ୍ଟା ରାଜୀବାଇ’ର ପାଦ ପରଶା ହୋଇ ନଥିବ ବୋଲି ?

 

–ମଅ, କି କଥା ଏ ଫୁଲିର ? ଏମିତି ଆଡ଼ରିଷାରେ ଫଳ କ’ଣ ? ବାଟରେ ଯେବେ କେଉଁଠି ରାଜୀବାଇ ସାଙ୍ଗରେ ଭେଟ ହୋଇଯାଏ ତେବେ ?

 

ସେଇ ପଡ଼ିଆ ଦାଣ୍ତିର ଗୋଟେ କୋଣରେ ଟିଣଛାତର ମେଲା ଫରଚା ଘର ଖଣ୍ତେ କେବୁଠୁଁ ଠିଆହୋଇଛି । ଅବେଳାରେ କେବେ କିମିତି ଗାଈଟେ, ଛେଳିଟେ ସେଇ ଘର ଓଳିରେ ଆଶ୍ରା ନିଅନ୍ତି । ସେଇଠି ବରଷାକୁ ତକାଇ ଠିଆ ହୋଇଥାଏ ରାଜୀବା । ଲାଗିଥାଏ ତା’ର ମନ ବଗିଚାରେ ଦୋଡ଼ ଚାଷ ଆଉ କ’ଣ ଗୋବିନ୍ଦା ଫୁଲିକି କିଛି ଶିଖେଇଦେଲା !–ଆଖି ଦିଟା ମିଶିଯାଇଥାଏ ରେଳବନ୍ଧ କଡ଼ ବାଉଁଶ ବୁଦାର ଅଗି ସୀଆନ୍ତରେ । ପଡ଼ିଆ ଦାଣ୍ତିର ଚଳନ୍ତା ଛାଇପରି ଫୁଲି ମୁଲିଆଣୀ ହଲେଇ ଦେଲା ସେ ଆଖିର ଧାରକୁ । ଚମକି ପଡ଼ିଲା ରାଜୀବା କିଏ ସେ ଗୋଟିଏ ଚାଲିଯାଉଛି ଡେଇଁ ଡେଇଁକା–ଫୁଲି !

 

ରାଜୀବାର ନିହାତି ଅଜଣାରେ ପାଟିରୁ ବାହାରିପଡ଼ିଲା ସେଇ ମଧୁରିଆ ନାଆଁଟି–ଫୁଲି-। ଆପଣା ତୁଣ୍ତକୁ ବିଶ୍ଵାସ କଲା ନାହିଁ ରାଜୀବା । ଆଉ କିଏ ଡ଼ାକିଥିବ । ଚାରିଆଡ଼କୁ ଛିନିକାନିଆ ହୋଇ ଚାହିଁଗଲା ପରସ୍ତେ । କେହି କୁଆଡ଼େ ନାହାନ୍ତି । ରାଜୀବା ସମ୍ଭାଳିପାରିଲା ନାହିଁ-

 

ସେ ଭୁଲ କରିବାକୁ ସବୁରି ମନରେ ଆଗ୍ରହ ଜନ୍ମେ । ସେ ଭୁଲ କରି ପ୍ରାଣ ବାହାରିଯାଉ ପଛେ, ଲୋକର ସେଥିରେ ବଡ଼ ଲୋଭ ବଡ଼ ଶରଧା । ରାଜୀବା ନିଜକୁ ତିଆରିବାକୁ ଯାଇଁ ପୁଣିଥରେ ବଡ଼ ପାଟିରେ କହି ପକାଇଲା–ଫୁଲି ! ଏଡ଼ିକି ଖସଡ଼ା ସେ ନାଆଁଟି । ଠିକ୍ ଫୁଲ ପରି କଅଁଳ, ଉଶ୍ଵାସ ।

 

ସେ ଡାକର କ’ଣ କମ୍ କରାମତି ? ମଲା ଲୋକକୁ କବରରୁ ଉଠାଇ ଆଣିପାରେ ସେ ଡାକ । ଫୁଲି ସେ ଡାକରେ ବାଟ ଭୁଲିଗଲା । ଲୁହା କି କେବେ ଚୁମ୍ଵକଠାରୁ ଅଲଗା ହୋଇ ରହିପାରେ ? ଝକ୍‍ଝକି ପଥର ଦିଖଣ୍ତ–ଖଣ୍ତିଏ ସେଥିରୁ ଅନ୍ୟଖଣ୍ତକ ଦେହରେ ବାଜିବା ମାତ୍ରେ ନିଆଁଝୁଲ ଖସିପଡ଼େ । ଖାଲି ଖସିପଡ଼େ ନାହିଁ ତ, ପୋଡ଼ି ପକାଏ ତା’ ଚାରିପାଖର ଗୋଲେଇ ଚକଡ଼ା । ଫୁଲିର ଛାତିରେ ଚମକ–ସତେକି ଯେମିତି ନିଆଁ ହୁଳାଟେ ତା’ ଛାତି ଫୁଟାଇ ଚାଲିଗଲା ସେ ପଡ଼ିଆ ଭିତରେ । ସେ ଡାକର ଜବାବ ଦେବାକୁ ଥମକି ଯାଉଁ ଯାଉଁ ଫୁଲି ଲଥ୍‍ କରି ତଳି ପଡ଼ିଲା ଅଣଓସାରିଆ ଦାଣ୍ତିକଡ଼ର କଣ୍ଟାବୁଦା ଉପରେ । କଣ୍ଟାଗୁଡ଼ାକ ଦେହହାତରେ ଟପ୍ ଟାପ୍ ଫୋଡ଼ି ହୋଇଗଲା–କିଏ, ରାଜୀବା’ଇ କିରେ !

ହଁଲୋ, ଗୋଡ଼ରେ ତ ଠେଲି ଦେଇଚୁ, ଆଉ କି ରାଜୀବାଇ ? ଏତକ କହିଲାବେଳେ ରାଜୀବାର କଣ୍ଠ ଗଣ ଗଣ, ନାକପୁଡ଼ା ନାଚିଉଠୁଥାଏ ଅଭିମାନରେ । ଜିତିଗଲୁ ଲୋ ଫୁଲି; ତୋ’ ମାନ ରହୁ, ଏବେ ଏ ଗରିବର ପଲାତଳେ ଟିକେ ପାଦ ପକେଇଦେଇ ଯିବୁ ନା କହିଲୁ ?

ରାଜୀବା ଚାଲିଥାଏ ଆଗେ ଆଗେ । ପଛରେ ତା’ ଖାଇବି ହାତ ବୁଢ଼ା ଆଙ୍ଗୁଠିକି ଜାବୁଡ଼ି ଧରି ଓଟାରି ହୋଇ ଚାଲୁଥାଏ ଫୁଲି । ତା’ ପିଣ୍ତରେ ପ୍ରାଣ ନଥିଲା ପରି ଲାଗୁଥାଏ ଯେମିତି କେଉଁଯୁଗର ଗୋଟେ ମଳୁ, ମଲାମୁହରୁ ଫେରି ଆସିଛି । ପଛରେ ଘୋଟି ଆସୁଥାଏ ଗାଢ଼ ଅନ୍ଧାର-। ଆଗରେ ଝୁଲୁଥାଏ ମୋହଘେରା ଝଲଝଲ ଝରଣାର ଗୋଟେ ପାତଳ ପରଦା, ଅନ୍ଧାର ଆଲୁଅର ଲାଗାଲଗି ହୋଇ କେତେଗୁଡ଼ିଏ ଗାର, ଯାହାକୁ ଚାହିଁଦେଲାକ୍ଷଣି ଆଖି ଝଲସି ଉଠେ-। ସେତେବେଳେ ଫୁଲିକି ଦେଖିଲେ ଜଣାଯାଉଥାଏ, ରାଜୀବା ଯଦି ସାତଦିନ, ସାତରାତି ସେଇମିତି ଚାଲୁଥିବ, ତେବେ ବି ଫୁଲି ତା’ ପଛରେ ନ ଗୋଡ଼ାଇ ଅଟକି ରହିବ ନାହିଁ । ସେଇ କାଳି ଅନ୍ଧାର ରାତିରେ ରାଜୀବା ଯଦି କହେ–ଦେଖିଲୁ ଲୋ ଫୁଲି, ଉପରେ କେଡ଼େ ସୁନ୍ଦର ଜହ୍ନ ପଡ଼ିଚି-। ଫୁଲି ହୁଏତ କହିବ–ଏମିତିକା ଜହ୍ନରାତି ମତେ ଭାରି ଭଲ ଲାଗେ ରାଜୀବା’ଇ । ଭୋକ ଶୋଷ ଭୁଲେଇଦିଏ !!

ସେ କେଉଁ ପୁରାଣ ଯୁଗର କଥାଏ କହନ୍ତି–ଶ୍ରୀରାଧା କେଉଁଠି ଦୁର୍ଜୟ ଅଭିମାନ କରିଥିଲେ ଭଗବାନ ଶ୍ରୀ କୃଷ୍ଣଙ୍କ ଉପରେ । ଖାଲି ଅଭିମାନ କରିଥିବା କଥା କହନ୍ତି ସିନା, କିନ୍ତୁ ସେପରି ଅଭିମାନ ଭାଙ୍ଗିଲାବେଳେ ଶ୍ରୀରାଧାଙ୍କ ମନର ଅବସ୍ଥା କେଉଁପ୍ରକାର ଥିଲା, ସେକଥା ତ ଠିକ୍‍ କରି କହନ୍ତି ନାହିଁ ? ଫୁଲି ଆଖିରେ ତା’ ଆଗିଲା ଜୀବନଟା ଯେଡ଼େ ସୁନ୍ଦର ଝଟକୁଛି, ଶ୍ରୀରାଧାଙ୍କ ଆଖିରେ ସେତକ ଥିଲା କି ନାହିଁ ସେ କଥା କିଏ କହିବ ? ସେ ପୁରାଣ କଥା ପୁରାଣରେ ଥାଉ । ତମ ଆମ ଜୀବନର ନିତିଦିନିଆ ଘଟଣା ସାଙ୍ଗରେ ସେ ପୁରାଣ କଥା ଯୋଡ଼ିବା ଅର୍ଥ ହାତୀ ଲାଙ୍ଗୁଡ଼ରେ ଗଧ ଲାଙ୍ଗୁଡ଼କୁ ଛନ୍ଦିବା । ଲୋକେ ହସିବେ; କହିବେ–ଢେଙ୍କାନାଳ କଥା ଆଣି ଢିଙ୍କିଶାଳରେ ପକାଉଛି, ଏ କେମିତିକା ଓଲୁମ ସତେ !

ଝାଟିମାଟି କାନ୍ଥର ନୁଆଁଣିଆ ପଲାଖଣ୍ତିକ ରାଜୀବାର ହସି ଉଠିଥିଲା ସେ ଦିନ ଗୋଟେ ଅଦେଖା, ଅଜଣା ପୁଲକରେ । ହୀରା, ନିଳା, ମୋତି, ମାଣିକରୁ ଖରଡ଼ିଆଏ ଏକାଠି ଜମାଇଦେଲେ ବି ସେ ରାଜୀବା ଆଖିରେ ସରିସମ ହେବ କି ନାହିଁ ସନ୍ଦେହ । ଫୁଲିକି ଘର ମଝିରେ ବସାଇଦେଇ ରାଜୀବା ତରବର ହୋଇ ପିନ୍ଧା ଲୁଗାଖଣ୍ତ ପାଲଟି ପକାଇଲା । ଫୁଲି ଦେହଯାକ ଝିପିଝିପି ବରଷା ପାଣି ଛିଟା ମାରିଥାଏ । ରାଜୀବା କଣ୍ଠରେ ଚେଇଁ ଉଠିଲା ସହାନୁଭୂତି-। ସେ କହିଲା ମିଛ ମଣିବୁଲୋ ଫୁଲି, କାଲିଠୁଁ ମୋ ପେଟକୁ ପାଣିମୁନ୍ଦେ ବି ଯାଇନାହିଁ-। ତୁ ଇମିତି ଲୋ ସତେ, ମୁଁ କ’ଣ ଅବା କହିଲି ବୋଲି ତୁ କାଲି ବରଷା, ଅନ୍ଧାରଟାରେ ଏକୁଟିଆ ଛାଟିପିଟି ହେଇ ପଳେଇଲୁ, କହନି ଲୋ ?

ରାଜୀବାର ଗେହ୍ଳା କରିବା ଭଙ୍ଗୀ ଫୁଲିକି ଭାରି ଭଲ ଲାଗୁଥାଏ । କି କଥା ଇଏ ? ଫୁଲି ଏଇଲାଗେ ଶଶୁର ଘରେ ଜୋଇଁ କୁଣିଆ । କେତେ ଆଦର ଖୋଜିବ, ସିଫୁଲା ହେବ । କ’ଣ ଖାଳି ଏତିକିରେ ସରିଗଲା ? ତା’ ସାଙ୍ଗକୁ ରାଜୀବାର ଦଶା ଠିକ୍ ରଙ୍କୁଣୀ ଧନ ପାଇଲା ପରି ହୋଇଥାଏ । ପହିଲି ସରାଗଟା ଲୋକର ବଛା ସରାଗରେ ଯାଏ । ଫୁଲି ନିଠେଇ କରି ବସିଥାଏ ଘର ମଝିରେ; ହୁଙ୍କୁ ନ ଥାଏ ମୋଟେ । ରାଜୀବା ତାରି କଡ଼ ଦେଇ ଏପାଖ ସେପାଖ ହେଲାବେଳେ କେତେବେଳେ କେମିତି ତା’ ଚମ ରାଜୀବା ଚମରେ ଘଷି ହୋଇଯାଇ ଦୁହିଙ୍କ ଦେହରେ ଖେଳାଇ ଦେଇଥାଏ ବିଜୁଳିର ଚମକ । ଗୋଟେ ମନଲୋଭା ଆକର୍ଷଣରେ ଉଭୟେ ଉଭୟଙ୍କ ଆଡ଼କୁ ଓଟାରି ହୋଇଆସୁଥାନ୍ତି ।

ଠିକ୍ ଏତିକି ବେଳେ, ଏଇମିତି ଘେନାଘେନି, ମନର ଦିଆନିଆ ଚାଲିଥିଲା ବେଳେ ବାହାରପଟରୁ ଶୁଭିଲା ପବନରେ ଅଧାଭସା ଗୋଟେ ଶବ୍ଦ । କେହି ଜଣେ ପାଖ ସଡ଼କ ଉପରେ ଠିଆ ହୋଇ ଯେପରି ଡାକୁଛି; ଫୁଲି ଅଛୁ କି ଲୋ ? .....ସ୍ଵରଟି କ୍ରମେ ପାଖେଇ ଆସିଲା–ଫୁଲି ଅଛୁ କି ଲୋ !

ଫୁଲି ଚାହିଁଥାଏ ଏକ ଧ୍ୟାନରେ ରାଜୀବା’ଇକି । ରାଜୀବା ଧରିଥାଏ ଅରଖ ନୁଆ ନାଲି ଫୁଲପାଡ଼ିଆ ସରସା ମିଲ ଶାଢ଼ୀ ଖଣ୍ତେ । ଦିନ ଚାରିତଳେ ସେ ଖଣ୍ତ ସେ କିଣିଥିଲା ସୁନେଇ ସକାଶ ଘରକୁ ନେବାଲାଗି । ତା’ ସାଙ୍ଗକୁ ନାଲି ଆଲପକା ଉପରେ ନେଳି ରଙ୍ଗର ଲତାବୁଣା ଜାମା ଖଣ୍ତେ । ସେ ଖଣ୍ତକ ପୁଣି ଡିବିରି ଆଲୁଅରେ ଏମିତି ଜକ ଜକ ଦିଶୁଥାଏ । ତାକୁ ସବୁ ହାତରେ ଧରି ଅଚଳ ସ୍ଥାଣୁ ପରି ରହିଯାଇଥାଏ ରାଜୀବା । ମୁହଁରେ ତା’ର ଭାଷା ନାହିଁ । ମନ ସମୁଦ୍ରରେ ଉଠିଥାଏ ଗୋଟେ ଲହଡ଼ିଆ ଭାବନା । ସେ କ’ଣ ଆଉ ସୁନେଇ ପାଖକୁ ଫେରିବ ନାହିଁ-? ସେଇ କଳାମୁଗୁନିର ଚିତ୍ର ପ୍ରତିମା ପରି ଚେକି ଚାକି ହୋଇ ମାଳତଳିଆ ଝିଅଟି–ସୁନେଇ,…କେଡ଼େ ଆଶାରେ, କେଡ଼େ ଆଗ୍ରହରେ ସେ ଯେତେବେଳେ ଖୋଲିବସିବ ରାଜୀବାର ବୁଜୁଳାଟିକୁ; ଖେଳାଇ ପକାଇବ ସବୁ ଦରବ ତା’ ଚିଜଟାକୁ ଖୋଜିବା ପାଇଁ, କ’ଣ ବୋଲି କହିବ ରାଜୀବା-? କହିବ କହନାଲୋ, ନିଆଶ୍ର ଝିଅଟିଏ ସେଇ ପାଖ ଗାଁର, ତା’ ମନକୁ କ’ଣ ପାଇଲା, ଧରମ ଭାଇ କରି ପକେଇଲା ମତେ ସେଠାକା ଲିଙ୍ଗରାଜ ମାହାର୍ଦ ଦେଇ । ଦଶୋଟି ଟଙ୍କା ତଣ୍ତ ଗଣିଲି-। ତାକୁ ଖଣ୍ତେ ମିଲ୍‍ ଶାଢ଼ୀ ଆଉ ଖଣ୍ତେ ଜାମା କିଣି ପିନ୍ଧେଇଲି…ସତେତ, ରାଜୀବା’ଇ ବୋଲି ଡାକୁଚି ପୁଣି-। ନାକରା କ’ଣ ହୁଅନ୍ତା ?

ନାକରା କେମିତି ହଅନ୍ତା ସୁନେଇ ପାଖରେ ? ସୁନେଇ ତ ନିଜ ଆଖିରେ ଫୁଲିକି ଦେଖି ନାଇ । ଏ ବିଚାର କେବଳ ରାଜୀବା ପକ୍ଷରେ ସମ୍ଭବ । କୋଡ଼ିଏ ବର୍ଷର ଅଭିଆଡ଼ୀ ଟୋକୀଟେ ଫୁଲି-ମୂଲ, ମଜୁରୀରେ ଗୁଜରାଣ ଚଳାଏ । ସେ ଯୁଆନ୍ ରାଜୀବାକୁ ଧରମ ଭାଇ କରିଛି । ଖାଲି ସେତିକି ତ ନୁହେଁ, ରାଜୀବାର ଏକୁଟିଆ ପଲାରେ ଘର ଦୁଆର ଭୁଲି ରାତି ରାତି କଟାଇଛି ବି । ଏକଥା ଫୁଲିର ସମବୟସ୍କ ରାଜୀବା ଭାରିଯା ସୁନେଇ ପାଖରେ ନାକରା କାହିଁକି ହେବ “ଲୋକର ବିବେକ ନ ହାରିଲା ଯାଏଁ ଏ ବିଚାର ତା’ ମନରେ କେବେ ହେଲେ ଆସେ ନାହିଁ-।” ରାଜୀବାର ବିବେକ ବହୁତ ଆଗରୁ ହାରିଛି । ତେଣୁ ସେ ଏଇମିତିକା ବିଚାର ନକରି କ’ଣ ବା କରନ୍ତା ?

ପଲାତାଟିର ଖୁବ୍ ପାଖରେ ପୁଣିଥରେ ଗୁମୁରି ଉଠିଲା ପୂର୍ବର ସେଇ କଣ୍ଠସ୍ଵର–ଫୁଲି ଏଠି ଅଛି ?

ଫୁଲିର ଆଖିରୁ ତୁଟିଗଲା ନିଶା । ରାଜୀବା ପୁଲିକି ତଳୁଉଠାଇ ଠିଆ କରିବ ବୋଲି ହାତ ବଢ଼ାଉଥିଲା–ସେ ହାତ ସେଇମିତି ପସାରିହୋଇ ରହିଗଲା ।

କପିଳେଶ୍ଵର ଗାଁ ନଜିକରେ ଗୋବିନ୍ଦାର ଘର । ସେଦିନ କାମ ଲେଉଟାଣି ସେ ଘରକୁ ନଯାଇ ରେଳବନ୍ଧ ପୋଲ ପାଖରେ ଫୁଲିକି ଜଗି ବସିରହିଲା । ସେଇ ଗୋଟିକ ତ ବାଟ, ଫୁଲି ସେ ବାଟରେ ନଯାଇ ଯିବ କୁଆଡ଼େ ?

 

ଚାହିଁ ଚାହିଁ ଆସି ସଞ୍ଜ ହେଲା । ବରଷା ଟିପି ଟିପି ଆରମ୍ଭ କରିଦେଲା । ଚାରିପଟୁ ଅନ୍ଧାର ଘେରି ଆଇଲା ତଥାପି ଫୁଲିର ଦେଖାନାହିଁ । ଗୋବିନ୍ଦା ବସି ବସି ଗୋଟିଏ କଥା ଠଉର କଲା କିଛି ନାହିଁ, ଫୁଲି ନିଶ୍ଚୟ ରାଜୀବା ପାଖରେ ଅଟକିଛି । ଶେଷକୁ ସେଇ ପଡ଼ିଆ ଦାଣ୍ତିରେ ସିଧା ମୁହାଁଇଲା ରାଜୀବା ପଲାଆଡ଼େ । ସେତେବେଳକୁ ଅନ୍ଧାର ପୂରାପୂରି ଘୋଟିଗଲାଣି ଚାରିଆଡ଼େ । ସେ ସେଇ ଅନ୍ଧାରରେ ରାଜୀବା ପଲା ଅନ୍ଦାଜ କରି ଆସି ପହଞ୍ଚିଗଲା ଠିକଣା ମୁଣ୍ତରେ । କିଛି ସମୟ ପଲା ଓଳିରେ ଠିଆହୋଇ କାନ ପାରିଲା । ରାଜୀବା ତୁଣ୍ତରୁ ପଦେ କଥା ଛଡ଼ା ସେ ଫୁଲିମୁହଁରୁ କିଛି ଶୁଣିବାକୁ ପାଇଲା ନାହିଁ । ମନରେ ସନ୍ଦେହ ହେଲା–ତେବେ କ’ଣ ଫୁଲି ଏଠି ନାହିଁ !

 

ତାଟି ଖୋଲି ଜବାବ ଦେବାକୁ ରାଜୀବାର ସାହସ ପାଇଲା ନାହିଁ । ଏଇ ରାଜୀବା କୁଲୀଙ୍କ ଭିତର କେତେ କଜିଆ ଭାଙ୍ଗିଛି କେତେ ନିଷାପ ରୋକଠୋକ ଛିଣ୍ତାଇଛି । ରାଜୀବା ସାଙ୍ଗରେ ସାଙ୍ଗସାଥୀଏ ଟାହିଟାପରା କରିବାକୁ ବେଶୀ ମଙ୍ଗନ୍ତି ନାହିଁ । ଯେଉଁଠି ଅବିଚାର, ଅନାଚାର ନାହିଁ, ସେଠି ଛିଦ୍ର ପଶିବାକୁ ବାଟ ପାଏନା । ରାଜୀବାର ଭିତରଟା କାଚପରି ସଫା । ସେଠି ଏତେଟିକିଏ ମଳି ଲାଗିଲେ ସହଜରେ ଧରାପଡ଼ିଯିବାର କଥା । ମଣିଷ ଯେତେବେଳେ ନିର୍ଲିପ୍ତ ହୋଇ ଚାଲୁଥିବ, ସେତେଦିନ ବାଦଶାହ ହେଲେ ବି ହକ୍ କଥା କହିବାକୁ ତିଳେ ହେଲେ ପଛେଇବ ନାହିଁ । ଯେଉଁ ମୁହୂର୍ତ୍ତରେ ସେ ଗୋଡ଼ ଖସାଇବ, ଠିକ୍ ପରେ ପରେ ସେ ହରାଇ ବସିବ ତା’ର ନିଜତ୍ଵ, ସଚ୍ଚୋଟପଣିଆ, ଆଉ ଯାହାକିଛି । ମୁହରେ ତା’ର ବନ୍ଧାହୋଇଯିବ ଗୋଟେ ଶକ୍ତ ତୁଣ୍ତି ।

 

ଫୁଲି ତ ଆଉ କେହି ନୁହେଁ, ରାଜୀବାର ଭଉଣୀ । ଏଥିରେ ଭୟ କରିବାର କାରଣ ରହିଲା କେଉଁଠି ? ରାଜୀବା ମନରେ ଖୁବ୍ ସାହାସ ବାନ୍ଧି ତଣ୍ଟି ପର୍ଯ୍ୟନ୍ତ ଆସି ପୁଣି ଥପ୍ କରି ଠିଆହୋଇଗଲା–ଏଁ ଭଉଣୀ ! ତେବେ ରାଜୀବାର ମନ ଏତେ ଉଚାଟ କାହିଁକି ? ଫୁଲିର ନାଆଁଟି ଧରିବାମାତ୍ରେ କାହିଁକି ତା’ ମନଟା ଭିତରେ ଛଟପଟ ହେଉଛି ଜାଗି ଉଠୁଛି ଗୋଟେ ଗୋପନ ସ୍ପନ୍ଦନ ଦେହସାରା ? କାହିଁକି ତେବେ ଦିନକ ଭିତରେ ତା’ ଦୁନିଆର କେତେବଡ଼ ବିରାଟ ପରିବର୍ତ୍ତନ ? ଏ ପଶ୍ନର ଉତ୍ତର ରାଜୀବ ଦେଇପାରିବ ନାହିଁ । ଏଗୁଡ଼ାକ ସାଧାରଣିଆ କାହିଁକି ନୁହେଁ । ନୂଆ ଯୋଗୀ ଭିକମୁଠାକ ପାଇଁ ବାଇ ହେଲାପରି ଏଇମିତିକା କାହିଁକି ଉଠାଇବା ପାଇଁ ଆଜିକାଲିକା ବାଲିଆ ଭୂଇଁର ଅନ୍ତଶୁଖା ବାବୁଗୁଡ଼ାକ ଝୁରି ମରନ୍ତି । ସେ ରଙ୍ଗ ତାକୁ ସାଜେ । ଏ କାହିଁକି ରାଜୀବା ବୁଝିବ କୁଆଡ଼ୁ ? ଫୁଲି ତାକୁ ରାଜୀବାଇ ବୋଲି ଡାକେ ସିନା, ହେଲେ ଭାଇ ଦୃଷ୍ଟିରେ ତ ଦେଖେ ନାହିଁ । କେଜାଣି ଅବା ଦେଖୁଥିବ । ମଣିଷର, କହନ୍ତି, ପାଞ୍ଚମନ ଆଉ ପଚିଶ ପ୍ରକୃତି । ନରମାୟା ନାରାୟଣଙ୍କୁ ଅଗୋଚର କିଏ ଜାଣିଲା ?

 

ଡାକର ଜବାବ ନ ପାଇ ଗୋବିନ୍ଦା ତାଟିଟାକୁ ଥରେ ଦିଥର ଝୁଙ୍କାଇ ସାରିଲାଣି ସେତେବେଳକୁ ।

 

କଣ୍ଠବାରି ଫୁଲି ଉଠି ଆସିଲା ତା’ବସିଲାଥାନରୁ । ରାଜୀବା ଜଳ ଜଳ କରି ଚାହିଁ ଥାଏ ଫୁଲି ଆଡ଼କୁ–କିଏ ସେ କିଲୋ ?

 

ଏଇ ଗୋବିନ୍ଦାଟା ହୋଇଥିବ, ଆଉ କିଏ ? କହି ଫୁଲି ତାଟି ମେଲାକରିବାକୁ ବସିଲାରୁ ରାଜୀବା ଚଟକରି ତାକୁ ପଛଆଡ଼କୁ ଠେଲି ଧରିଲା–ଫୁଲି, ତତେ ମୋ ରାଣ, ତୁ ଯା ନାହିଁ । ମୁଁ ଯାଉଛି, ଦେଖେଁ କିଏସେ ଗୋବିନ୍ଦା ।

 

ତାଟି ମେଲାକରି ଆଗରେ ଠିଆ ହୋଇ ପଡ଼ିଲା ରାଜୀବା । କ’ଣ କହୁଚୁ କିରେ ?

 

ଫୁଲି ଅଛି ?

 

ହଁ, କାହିଁକି ?

 

କାହିଁକି, କ’ଣ ବୋଲି କହିବ ଗୋବିନ୍ଦା ? ମନରେ ତା’ର ଜାଗି ଉଠିଲା ଗୋଟେ ସ୍ଵତଃ ବୈରଭାବ–କାହିଁକି ଆଉ କ’ଣ ? ଏଇ ଟିକିଏ ଦରକାର ଅଛି । ଏକା ଗାଁର ଲୋକ, ସାଙ୍ଗହୋଇ କାମ ଦାମ କରୁଁ, ସାଙ୍ଗହୋଇ ଘରକୁ ଫେରୁଁ । ଫୁଲି ଆଜି କହିଥିଲା, ଗାଁକୁ ଗଲାବେଳେ ତାକୁ ଏଇଠୁ ସାଙ୍ଗରେ ଡ଼ାକି ନବାକୁ ଯେ, ସେଇଥିପାଇଁ ଡ଼ାକୁଥିଲି ।

 

ଗୋବିନ୍ଦା କଥାରେ ରାଜୀବାର କରଡ଼ି ଜଳିଗଲା; ଅଥଚ ସେ ପଦେ ପାଟି ଫିଟାଇ ପାରିଲା ନାହିଁ । ଖାଲି ସାପ ପରି ଫଁ କାଢ଼ି ରହିଗଲା ଯାହା । କ’ଣ କହିବ, କିମିତି କହିବ ? କିଛି କହିବାର ବାଟ ତ ସେ ଆପଣା ହାତରେ ବନ୍ଦ କରିଦେଇଛି । ସକାଳେ ଆଜି ସେ ଦେଖିଛି ଫୁଲିକି ଗୋବିନ୍ଦା ସାଥିରେ । କିଏ ଜାଣିଲା, ଫୁଲି ଏବେ କହିଥିବ । ଏକା ଗାଁର ନହେଲେ ଗୋବିନ୍ଦା ଫୁଲିର ଘର ପାଖିଆ ଲୋକ । ଏକେତ ବରଷାଦିନ–ତା’ ଉପରେ ଅନ୍ଧାର ରାତି–ଜଣେ ଆଉ ଜଣକୁ ଆଶ୍ରା । ଗୋବିନ୍ଦାର ଫୁଲିକି ଡାକିବାରେ ଅପରାଧ ରହି ଗଲା କେଉଁଠି ? ତା’ ଛଡ଼ା ଗୋବିନ୍ଦା ଅପେକ୍ଷା ରାଜୀବାର ଫୁଲି ସାଥିରେ ଏତେ ବେଶୀ ଚିହ୍ନା ପରିଚୟ ବା ହେଲା କୁଆଡ଼ୁ ଯେ ରାଜୀବା ପଚିଶି ଲୋକଙ୍କ ଆଗରେ ଡାକି ବଜାଇ ଫୁଲି ଉପରେ ଆପଣାର ମୁରବିପଣିଆ ଜାହିର କରିବ ?

 

ସେ ଫୁଲିକି ସେଇ ବାହାରପଟେ ଠିଆହୋଇ ପାଟି ଶୁଣାଇ ପଚାରିଲା–ଏ ଫୁଲି, ଗୋବିନ୍ଦା ସାଥିରେ ଯିବାକୁ କହିଥିଲୁ ପରା, ସେ ଡାକୁଚି ।

 

ଫୁଲିର ମଞ୍ଜୁର ମିଳିଲା ନାହିଁ ଓଲଟି ସେ ନାକ ଟାଉଁ ଟାଉଁ କରି କହିଲା–କିଆଁ କିଆଁ ତାକୁ କହନ୍ତି ମ, ମତେ କ’ଣ ବାଟ ଜଣାନାହିଁ ଯେ ଗୋବିନ୍ଦା ସାଥିରେ ଯିବାକୁ କହୁଥିଲି । ସେ ଗୋଟେ ଫିକର କରି ସେମିତି କହୁଚିନା…ମୋର ଏଠି କାମ ଅଛି । ଏଇଲାଗେ ଯାଇପାରିବି ନାହିଁ-। ମନା କରିଦେ ତାକୁ ।

 

ରାଜୀବା ଗୋବିନ୍ଦାକୁ ଫୁଲିର ଏଇକଥା ଶୁଣାଇଦେବା ଆଗରୁ ଗୋବିନ୍ଦା ସବୁ ଶୁଣିସାରିଥିଲା । ତେଣୁ ରାଜୀବା ମୁହଁରୁ ପୁଣିଥରେ ଶୁଣିବାକୁ ତା’ର ଧୈର୍ଯ୍ୟ ରହିଲା ନାହିଁ । ଦେହରେ ଛୁରୀ ଚାଲିଗଲା–ଦେଖ ଟୋକଳ ଟାର କେଡ଼େ ବହପ !

 

ଗୋବିନ୍ଦାକୁ ସେ ଦିନ କ’ଣ ଗୋଟେ ନିଶା ଝାଙ୍କି ଥାଏ କେଜାଣି, ଘର ଦୁଆର, ଖାଇବା ପିଇବା ଭୁଲି ସେ ଫୁଲିପାଇଁ ଏକବାର ପାଗଳ ହୋଇଯାଇଥାଏ । ଆଉ ଘରକୁ ଯିବ କ’ଣ ? ମୁଣ୍ତରେ ତା’ର କାମୁଡ଼ୁଥାନ୍ତି କାହାଣେ ଖଣ୍ତେ ତେନ୍ତୁଳିଆ ବିଛା । ସେ ସେଇଠୁ ସିଧା ଫେରିଲା କାନତରାଟି ବାବୁକୁ ଅନିଶା କରି । ଦେଖିବା ଦେଖି ଫୁଲିକି ଆଜି କିଏସେ ରଖିବ !

 

ଲୋକ ହତାଶ ହେଲେ ମଣିଷ ଆଉ ପଶୁ ଭିତରେ ଯେଉଁ ବ୍ୟବଧାନ ଟିକକ ଅଛି, ସେତକ ତା’ର ରହେନାହିଁ । ହିଂସାଭାବ ପଶୁର ସ୍ଵାଭାବିକ ପ୍ରକୃତି । କାରଣ ତା’ର ବିବେଚନା ଶକ୍ତି ନାହିଁ । ମଣିଷର ସେଇ ବିବେଚନା ଶକ୍ତି, ହତାସା, ଅଭାବ, ଅନାଟନର ବାରମ୍ଵାର ତାଡ଼ନାରେ କ୍ରମେ ଲୋପ ପାଇଯାଏ । ଫଳରେ ସେ ପାଲଟେ ଗୋଟେ ନିରାଟ, ନିପଟ ପଶୁ । ବଣ ଜଙ୍ଗଲର ବାଘଭାଲୁଙ୍କଠାରୁ ସେ ହୋଇଯାଏ ଆହୁରି ଭୟଙ୍କର, ଆହୁରି ପ୍ରତିହିଂସାପ୍ରିୟ । ସେତେବେଳର ମଣିଷ ପ୍ରକୃତି ହୋଇଯାଏ ସାପର ଗରଳଠୁଁ ଆହୁରି ବିଷାକ୍ତ ।

 

ଆମଠୁଁ ଶହ ଶହ ବର୍ଷ ତଳର ପୁରୁଖା ଲୋକଙ୍କ କଥା, କାର୍ଯ୍ୟକଳାପ ବିଚାରି ବସିଲେ ବେଳେବେଳେ ଆମେ ଆଶ୍ଚର୍ଯ୍ୟ ହୋଇପଡ଼ୁଁ । ସେମାନେ କ’ଣ ଖାଉଥିଲେ କ’ଣ ପିଉଥିଲେ କେଜାଣି, ତାଙ୍କ ମନରେ ପରସ୍ପର ପ୍ରତି ଏମିତି ଗୋଟେ ବିଦ୍ଵେଷଭାବ ପ୍ରାୟ ନଥିଲା । ରାଗ, ହିଂସା, ବାଦ ଏଗୁଡ଼ାକ ତାଙ୍କୁ ଛୁଉଁନଥିଲା ମୋଟେ । ତା’ ବୋଲି ସେମାନେ କ’ଣ କୌଣସି କଥାରେ ହତାସ ହେଉନଥିଲେ, ନା ଅଭାବ ବୋଲି କ’ଣ ଜାଣୁନଥିଲେ ? ତା’ ନୁହେଁ ଯେ, ସେମାନେ ପ୍ରତ୍ୟେକେ ଥିଲେ ପିଲାଟି ଦିନରୁ ଉଦ୍ୟୋଗୀ । ଦେଶପ୍ରତି, ଜାତିପ୍ରତି, ମଣିଷସମାଜ ପ୍ରତି ସେସାନଙ୍କର କିଛିନା କିଛି ଗୋଟେ ଅଂଶ ତୁଲାଇବାର ଅଛି ବୋଲି ଧାରଣା ଥିଲା । ପ୍ରକୃତିର ସନ୍ତାନ ସେମାନେ ପ୍ରକୃତ ସାଙ୍ଗରେ ଗୋଳିହୋଇ ବଢ଼ୁଥିଲେ । ବାବୁ, କୁଆଡ଼ୁ ଏ ଗୋରା ଜାତି ଆସି ତାଙ୍କ ଭିତରେ ଧରିବାନ୍ଧି ପୂରାଇଦେଲେ ମେଞ୍ଚାଏ ଆବର୍ଜନା–ବିଦେଶୀ ବୋରଝାଞ୍ଜି । ସଭ୍ୟତା, ସଭ୍ୟତା’ ବୋଲି ଲୋକଙ୍କ ଭିତରେ ଗୋଟେ ମରୁଡ଼ିଆ ରୋଗ ବ୍ୟାପିଗଲା । ଭଲ ମଣିଷ, ଜାଣିବା ଶୁଣିବା ଲୋକଗୁଡ଼ାକ କାବୁ ବନିଗଲେ । ସେମାନେ କେଜାଣି ଅବା ଏ ବିଦେଶୀ ମାୟା ଭିତରେ ପଶିପାରିଲେ ନାହିଁ କି କ’ଣ, କେତେଜଣ ବାଛୁଆଳ ଅଣ୍ଟାଭିଡ଼ି ବାହାରିପଡ଼ିଲେ । ବାପ ଗୋସା’ପଙ୍କ ସାଇତା’ ଧନତକ ଗର୍ଭାୟସ୍ଵାହା କରି, ଆପଣା ମହତ ପରକୁ ଦେଇ ଶିବ ଲଙ୍ଗଳା ହୋଇ ପଳାଇଗଲା ପରି, ସେମାନେ ଆପଣା ଜାତି, ଧର୍ମ, ଭାଷା ଏଗୁଡ଼ାକ କୋଥଳିରେ ବାନ୍ଧିଦେଇ ସେଇ ବିଦେଶୀ ଗୋରାଙ୍କ ପଛଚଲା ହେବାପାଇଁ ତାଙ୍କର ତର ସହିଲା ନାହିଁ । କଥାରେ ଅଛି–ମାରିନେଲେ ମହାପାତ୍ରେ, ଚାହିଁଥିଲେ ଜଳକା । ସେଇମିତି ସାରତକ କାଢ଼ିନେଲେ ଗୋରାଏ ୟାଙ୍କ ଭାଗରେ ଅଗାଡ଼ିତକ ଛାଡ଼ିଦେଇ । ଆଗାଡ଼ି ସାଙ୍ଗକୁ କାହାଣେ ଉପାଧି, ନବ କେତେ ନିଅ । ଚଲାଖ ଜାତି ସେ, ଏ ଦେଶର ଲୋକଙ୍କୁ ଶିଖେଇ ଦେଇଗଲେ ବସି ଖାଇବାର ସଉକି । ପା ଏବେ; ଚାଟୁଥା ସେ ଉପାଧିତକ–ଏ, ବି, ସି, ଡ଼ି, ଇ, ଏଫ, ଜି, ଏଇଚ୍ !

 

ସେଇଦିନଠୁଁ ସେ ବସି ଖାଇବା ରୋଗ ଆମ ଲୋକଙ୍କ ଭିତରେ ନଈସୁଅ ପରି ବଢ଼ିଚାଲିଲା । ଖାଲି ସେତିକି ନୁହେଁ, ସେ ରୋଗର ଏମିତି କରାମତି ଯେ ତାକୁଇ ମୂଳ କରି ବାହରି ପଡ଼ିଲେ କେତେ ଶାଖା । ବସିଖାଇଲା ଲୋକର ମୁଣ୍ଡରେ ଖେଲିଗଲା କେତେ ରକମର ଭୂତଚମକ, ଜାତିମରା, ଦେଶମରା ଭାବନା ।

 

ସେଇ ଦିନଠୁଁ ବସିଖିଆର ଚାତର ବଢ଼ିଆସିଛି ଆଜି ଯାଏଁ । ଯକ୍ଷ୍ମା ରୋଗ ହେଲା, ପ୍ଲେଗ ରୋଗ ହେଲା, ଏଗୁଡ଼ାକ ଆମକୁ ଜଣାନଥିଲା ମୋଟେ । ଡିଆଁରୋଗ ଗୁଡ଼ା ବସିଖିଆଙ୍କଠୁ ଖଟିଖିଆଙ୍କ ଉପରକୁ ଖପଖାପ ଡେଇଁ ପଡ଼ିଲା । କାହାର ବଳ ଅଛି, କିଏ ହାତ ଦେବ, ରୋକିବ ?

 

ଜର ସାଙ୍ଗକୁ ମୁଣ୍ତବିନ୍ଧା ପରି ବସିଖାଇବା ରୋଗର ଯେତେ ଶାଖାରୋଗ ଅଛି ତା’ ଭିତରୁ ବୋତଲ ସାଙ୍ଗକୁ ଦାରୀ ଗୋଟେ ପରସ୍ପର ସାହାଯ୍ୟକୃତ ରୋଗ । ସେଇ ରୋଗ ଗ୍ରାସିଥାଏ କାନତରାଟି ବାବୁଙ୍କୁ । ହଇଜା, ବସନ୍ତ ୟା ର ରକ୍ଷାରକ୍ଷଣ ଅଛି । କିନ୍ତୁ ବୋତଲ ସାଙ୍ଗକୁ ଦାରୀ, ୟାର ସେ କଥା ନାହିଁ । ତା’ ଛାଇ ଯାହାଠିଁ ପଡ଼େ, ପ୍ରାଣ ଗଲା ବୋଲି ଜାଣ । ତା’ ପାଖରେ ଦରଦାମ୍, ମୁଲଚାଲ୍ ଅଳ୍ପ ବେଶୀ ଏ ସବୁ ନାହିଁ । ଯେ ତା’ କବଳରେ ପଡ଼ିଲା, ତା’ର ଆଉ ଉଧୁରିବାର ଉପାୟ ନଥାଏ । ସେ ରୋଗପାଇଁ ଡାକ୍ତର, ବଇଦ ନାହାନ୍ତି; କେବଳ ଭଗବାନ ଭରସା ।

 

କେହି ନ ମିଲିଲା ବେଳକୁ କେବେ କିମିତି ଗୋବିନ୍ଦା କାନତରାଟି ବାବୁଙ୍କର ବୋତଲ ସାଙ୍ଗ ହୋଇପଡ଼େ । ଆଉଥରକୁ ଆଉଥରେ, ଆଉଦିନକୁ ଆଉଦିନେ ଏଇମିତି ଗୋବିନ୍ଦା ଦି’ ଚାରିଥର ବାବୁଙ୍କ ସାଙ୍ଗରେ ବୋତଲ ପାଣି ଚାଖିସାରିଲାଣି । ମନ ଲାଗିଛି ତା’ର । ଆଜ ଏ ବରଷା ପାଗକୁ ଉଷୁମ ପାଣିରୁ ଟୋପେ ପେଟରେ ପଡ଼ିଗଲେ କେଜାଣି ଅବା ଫୁଲିକୁ ନ ପାଇବାର ଦରଜ ଟିକିଏ ପୋଛି ହୋଇଯିବ ମନରୁ । ଘରକୁ ଯିବା ନ ହେଲା ନାହିଁ ପଛେ ଚାଲିଲା ଗୋବିନ୍ଦା କାନତରାଟି ବାବୁଙ୍କର ଖବର ବୁଝିବାକୁ । ଆଜି ନ ହେଲେ କାଲି, କାଲି ନ ହେଲେ ପଅରି ଦିନ–କୁଆଡ଼େ ଯିବ ଫୁଲି !

 

ଗଡ଼ି ଚାଲିଲା ଦିନ ପରେ ଦିନ ଗୋଟି ଗୋଟି ହୋଇ ପାଣି ସୁଅ ପରି । ଶ୍ରାବଣ ଗଲା, ଭୋଦୁଅ ଗଲା, ଅଶିଣ ଆସି ହେଲା, ତଥାପି ରାଜୀବାର ଘରକଥା ମନେ ପଡ଼ିଲା ନାହିଁ କି ଭେଟନଈ ଗାଁରେ ତା’ ଦେଖା ମିଳିଲା ନାହିଁ । ଆଗରେ ପଡ଼ିବ କୁଆଁର ପୂନେଇଁ ।

 

ଖନ୍ଦା ଗୋଟାକରେ ସୁନେଇ ଥାଏ ଏକୁଟିଆଟି । ସାଇପଡ଼ିଶାର ବାରଲୋକେ ବାରକଥା ଦେଖେଇ ଶୁଣେଇ କହନ୍ତି । ସୁନେଇ ସେ ସବୁକଥାକୁ କାନ ଦିଏ ନାହିଁ । ହେଲେ ରକ୍ତମାଂସର ଦେହବହି କେତେ ଏବେ ମାଡ଼ିଜାକି ହୋଇ ରହିବ ? ଅତି କହିବା କହିବା ନୁହେ କି ଅତି ସହିବା ସହିବା ନୁହେଁ । ସବୁକଥାରେ ସୀମା ଗୋଟେ ଅଛି । ଏଣେପୁଣି ରାଜିବା ଘର ଛାଡ଼ିବା ମାସକୁ ଲଗାଇ ସୁନେଇ ପେଟରେ ପିଲା ରହିବାର ପୂରା ଚାରିମାସ ହୋଇଗଲାଣି । ଘର ଆଡ଼ତି କିଛି ନଥିଲେ ବି ଆପଣା ଗୁଜରାଣ ତ ଅଛି । ରାଜୀବା ବିଦେଶ କରି ଗଲାବେଳେ ସୁନେଇ ହାତରେ ଯାହା ଦେଇଯାଇଥିଲା ସେତକ ସରି ପୁଣି ସେତିକି ଯାଇସାରିଲାଣି । ଶାମଦାସ ବୁଢ଼ାକୁ ଟାଳଟୁଳ କରିବାର କୌଣସି ପ୍ରକାରେ ସେ ଏତକ ଦିନ ସବୁର କଲା । ଆଉ ଏଣିକି ସେ ନଛୋଡ଼ବନ୍ଧା । ଏଇଥର ଆସିଥିଲା ଯେ କହିଲା–ଆଲୋ ସୁନେଇ, ସତ୍ୟାନାଶ ବୁଦ୍ଧି ଯାହାକୁ ଘୋଟେ, ସେ ଏମିତି କରେ । ତୁ ଯାହା ଭାବିବୁ ଭାବ ପଛେ, ରାଜୀବା ଆଉ ଫେରିବା କଥା ମତେ କାହିଁକି କିମିତିଆଟା ଲାଗୁଛି । ଆଚ୍ଛା, ତୁ ନିଜେ କହିଲୁ ଭଲା, ତୁ କ’ଣ ନଅଟା ନା ଛଅଟାର ମା’ ହେଇଚୁ ଯେ କ’ଣ କରିବା, ନିଜେ ନ କଲେ ନ ଭିଆଇଲେ ସଂସାର ଚଳୁନାଇଁ ଦେ, ବର୍ଷେ ଛମାସ ବିଦେଶ କରିଯିବା……ଏ କହିଲା ପ୍ରକାରେ ତୁ କାଲିକା ମାଈପିଲାଟା, ସଂସାର କଥା ନୟା ତନଖୁଛୁ ବୋଲ–ଦେଖ, ଚାହୁଁ ଚାହୁଁ ଆସି ବଜରା ଚାରିମାସ ହେଲା, ଟୋକାଟା ଗଲା ଯେ ଖଣ୍ତେ ବେଉରା ବି ଦେଉନାହିଁ ? ଆଉ କାହାକୁ କିସ ବୋଲିବାହେ… ।

 

ଏମିତିକା ଶୁଖିଲା ସୁଆଗ କେଉଁଥିକି ପାଏ ? ଗୋଡ଼ହାତ ପାଉ ନଥିବା ଲୋକକୁ ଏମିତିକା ମୁରବି ଖୋଜି ବସିଲେ କାହାଣ କାହାଣ ମିଳିବେ । ବଚନେ କିମ୍ ଦରିଦ୍ରତା ? ଦବା ନବା କଥା ଉଠିଲେ ଏଇ ମୁରବି ପଲ ବଦଳିଯିବେ ଆଉଗୋଟେ ରକମର । ସୁନେଇ ଛୋଟିଆ ମନ ଭିତରେ ଏଇ ପ୍ରକାର ଭାବନାର ସରୁଗାରଟିଏ ଟାଣି ହୋଇଗଲା ଦାସବୁଢ଼ାର କଥାଶୁଣି । ଆଖିପତା ଓଦା ହୋଇଆସିଲା–ହଁ, କହନ୍ତୁ ଯାହା ମନକୁ ଯାହା ପାଇଲା । ତାଙ୍କର କହିବା ପାଳି ପଡ଼ିଛି ଏଇଲାଗେ । କୁଆ ଉଡ଼ିଯିବାକୁ, ତାଳ ପଡ଼ିବାକୁ–କାହା ମୁହଁରେ ହାତ ଦେବ ସେ ?

 

କାଲିପରି ଦିନ କେତୁଟା ଡେଇଁପଡ଼ିଲେ ହେବ କୁଆଁର ପୂନେଇ । ଟୋକା ଟୋକୀ, ଯୁବା ଯୁବତୀଙ୍କ ମନଲାଖି ଧୋବ ଫରଫର ଜହ୍ନରାତି । ଗୀତ ବୋଲି ନ ଯାଣୁଥିବା ଲୋକ ହେଲେ ବି ସରୁ ଗିଣିଗିଣା ଗଳାରେ ପଦେ ଗାଇ ପକାଇବ–କୁଆଁର ପୂନେଇଁ ଜହ୍ନଗୋ ଫୁଲ ବଉଳ ବେଣୀ…….କେତେ ହସଖେଳ । ସୁନେଇର କଅଁଳ ପ୍ରାଣଟି ବାହୁନି ବସିଲା ତା’ ପିଲା ଦିନକାର କଥା ସୁମରି–ସତରେ ଦଇବ କରିବ, ତା’ ରାଜୀବା ଘରକୁ ଫେରିଆସିବ । ସାଇ-ପଡ଼ିଶାଙ୍କ ମୁହଁ ତଳକୁ ହେବ ? ଗୋଟେ ଆଗତା ଚଡ଼େଇକି ବେସରବଟା ଭାବନାରେ ଦୋହଲି ଉଠିଲା ତା’ ଛୋଟିଆ ତନୁ । ଉରୁଦୁରୁ ହିଆ ଉଲ୍ଲସି ଉଠିଲା ଏକ ଅଜଣା ଭବିଷ୍ୟତର ସନ୍ଧାନରେ ।

 

ଏଥରକୁ ମିଶାଇ ତିନିଖଣ୍ତ ଚିଟାଉ ରାଜୀବା ପାଖକୁ ଦେଲାଣି ସୁନେଇ । ଖଣ୍ତକର ହେଲେ ବି ଜବାବ ପାଇନାହିଁ ରାଜୀବାଠୁ କ’ଣ ହେଲା–କେଉଁଠି ରହିଲା ରାଜୀବା ? ଆଉ କ’ଣ ଚିଟଉ ଗୁଡ଼ାକ ତା’ ପାଖରେ ପହଞ୍ଚୁ ନାହିଁ ? ଏଥରକ ତ ଦାସ ମଉସା ପୁଅ ନିଜେ ବସି ଲେଖିଛି । କହୁଥିଲା ଖୁବ୍ ବୁଝେଇ ଶୁଝେଇ ଲେଖିଛି ବୋଲି । ଭାବି ଭାବି କିଛି କୂଳ କିନାରା ପାଏ ନାହିଁ ସୁନେଇ ।

 

ନିଜେ ତ ଭେଇଛି, କାହାକୁ ଦୋଷିବ ସୁନେଇ ? ରାଜୀବା ଖାସ୍ ସେଇଥି ସକାଶ ବଦେଶ କରିଯିବାକୁ ମଙ୍ଗୁ ନଥିଲା । ସୁନେଇ ସାହାସ ଦେଲାକୁ ସିନା ସେ ଭୁବନେଶ୍ଵର ଆସିଲା । ଏଇଲାଗେ ‘କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଈଲା’ ବୋଲି ବାହୁନି ବସିଲେ ଶୁଣୁଛି କି ନାହିଁ କଥା ଖାଲି ମନରେ ମରିବା ଯାହା ସାର ହେଉଛି । ସାଈ ପଡ଼ିଶା ମାଉସୀ ପିଉଷୀଙ୍କ ଏକଥା କହିଲା ବେଳକୁ ଆଗ ଲାଜ ଲାଗୁଛି । ସେ ଦିନ କ’ଣ କଥା ପଡ଼ୁ ପଡ଼ୁ ଚକରା ମା ମାଉସ ଖଣି ବସିଲେ କେତେ ସୁନ୍ଦର ହେଇ ଆସେ ଲୋ ତତେ । ପୁଳା ପୁଳା ଟଙ୍କା ଯେତେବେଳେ ମଣିଅଡ଼ର ହେଇ ଆସୁଚି, ପିତା’ ଲାଗୁଥିବ ନା କଅଣ ।

 

ଏ ଅଣ ପାଣ୍ତବା ରାଜ୍ୟରେ କିଏ ବୁଝିବ ଲୋ ମା ! କଥା କଥାକେ ମୁହେଁ ମୁହେଁ ହାଙ୍କିଦେବେ । କହିବେ–ଘଇତା ସୁଆଗୀଟା । ଥିଲା ନ ଥିଲାକୁ ବାସି ମୁହଁରେ ଚାହିବେ ନାହିଁ । ନୋହିଲା ବେଳକୁ ଘରୁ ପଦାକୁ ଗୋଡ଼ କାଢ଼ି ଯୁଆଡ଼େ ଇଚ୍ଛା ସିଆଡ଼େ ପଳାନ୍ତା ସୁନେଇ । ହେଲେ ଏଥିରୁ ଗୋଟାକୁ ପେଟରେ ବୋହି କୁଆଡ଼େ ଯିବ ? ଆଗକୁ ନାହିଁ କି ପଛକୁ ନାହିଁ । ଆଖି ଚାରିକଡ଼ ଧୂଆଁଳିଆ ଦିଶୁଛି । ଯୁଆଡ଼େ ନାହିଁ ସିଆଡ଼େ ଯା, କପାଳ ଘେନି ବୁଲୁଥା ।

 

ବେଳେବେଳେ ଆଖି ଆଗରେ ଦିଶିଯାଏ ଚଉଧୁରୀ ସାହୁକାରଙ୍କ ଝିଅ ଲତା । ମର୍ଦ୍ଦଙ୍କ ସାଙ୍ଗରେ କ’ଣ ପାଠ ପଢ଼ୁଛି ବୋଲି ଟୋକୀଟାର ଯେଉଁ ବଡ଼େଇ–ସୁନେଇ ତାଟକା ହୋଇଯାଏ । ସେ ଦିନ ହୁ ପଡ଼ିଲାପରି କୁଆଡ଼ୁ ଆସି ସେ ପଶିଗଲା ସୁନେଇ ଘରେ । ବେଂ ଲମ୍ଵର ଜରି ଧଡ଼ିଆ କନା ଖଣ୍ତେ ଅଣ୍ଟା ଚାରିକଡ଼େ ଘେରାଇ ଦେଇଥାଏ । ମାଈପିଲା ହୋଇ ଲୋକ ପୁଣି ଇମିତି ବଢ଼ିଲା ବୟସରେ ଲଙ୍ଗଳା ହେବାକୁ କ’ଣ ସେ ପାଠରେ ଲେଖା ହୋଇଛି ? କେଜାଣି ଲୋ ମା ! ଅକୁହା ଅପୋଚ୍ଛା ଏଡ଼େ ପାଟିରେ ପଚାରିଲା–ଆଲୋ, ସୁନେଇ, ତୋ ବର କୁଆଡ଼େ ତତେ ମୁରୁଛି ଦେଇଚି ? ତୁ ଥିରଟି ହୋଇ ବସିଚୁ କ’ଣ ଲୋ ! ସରକାରଙ୍କୁ ଦରଖାସ୍ତ କରିଦଉନୁ ?

 

ମଲା ମୋର, ସରକାର କ’ଣ ଇମିତି ୟାଙ୍କ ବାଡ଼ିତଳ ରଇତ ଯେ ଖିସ୍‍ରୁ ଖାସ୍ ପରିଯନ୍ତେ ୟାଙ୍କର ସବୁକଥା ବୁଝିବାକୁ ଟାକି ବସିଛନ୍ତି ! ଆଜିକାଲି ଏ ଝିଅ ଗୁଡ଼ାକ ପାଠପଢ଼ା କି ଢେମେଣୀ ହେଇଗଲେଣି ଲୋ ମା’ । ଏଇଦିନୁଁ ତ ଇମିତି ଆଉ ବାହା ସାହା ହେଲେ କ’ଣ ଅବା ନ ହେବେ ! ମୁହଁ ଖୋଲି କିଛି କହିପାରିଲା ନାହିଁ ସୁନେଇ । ବଡ଼ ଲୋକର ଝିଅ ଲତାଦେଇ । ଆଜି କ’ଣ ନାହିଁ କ’ଣ ପାଟିରୁ ବାହାରି ଯିବ ତ ବିଚାରୀ ସୁନେଇ କି ତଳକଣ୍ଟା ଉପର କଣ୍ଟା କରିଦେବେ ଚଉଧୁରୀ ବଂଶ । ସୁନେଇ ମୁହଁରୁ କିଛି ଜବାବ ନ ପାଇ ଠିଏ ଠିଏ ପଳେଇ ଗଲା ଲତା ।

 

ଉଆଁସ ରାତିର ଘଡ଼ିମରା ମଉଳା ଜହ୍ନଆଲୁଅ ପରି ମନ ଗହନରେ ଉଙ୍କିମାରେ ଦାସ ମଉସା ପୁଅ ଅରକ୍ଷିତର ଛବି । ଗାଁଯାକର ବଡ଼ ମେଳାପି ପିଲାଟିଏ ସେ, କେଡ଼େ ମିଠା ବଚନ । ଯୋଗୀ ଋଷି ହେଲେବି ତରଳିଯିବ ତା’ ପଦକ ବଚନରେ । ସୁନେଇ ଲାଗି କେତେ ଦୁଃଖ କରେ ସେ । ପହିଲେ ସୁନେଇ ଭରସି କରି କିଛି କହିପାରୁ ନଥିଲା ସାଈପଡ଼ିଶାଙ୍କ ଡ଼ରରେ । ଆଉ ଏଣିକି ସେ ଡ଼ର ତା’ର ଭାଜି ଗଲାଣି । କାହାକୁ କହିଁକି ଡରିବ ? କିଏ ଦବ ନା ନବ । ଏକୁଟିଆ ମାଇପି ଲୋକ । ସେଥିରେ ପୁଣି ଅସଜରେ ଅଛି । ହାନିଲାଭରେ ସାହାପକ୍ଷ୍ୟ ହେବାକୁ କିଏ ଅଛି ତା’ର ? ଆଲୋ ସଖି, ଆପଣା ମହତ ଆପେ ରଖି । ନିଜେ ଭଲଥିଲେ ଦୁନିଆ ଭଲ । ସାଈଭାଇଙ୍କ କଥାରୁ କ’ଣ ପାଇବ ସେ !

 

କୁଆଁର ପୁନେଇ ହେବାକୁ ଆଉ ଦିନୁଟିଏ ଥାଏ ବାକି । ସେଦିନ ବଡ଼ି ଭୋରଟାରୁ କୁଆ କା ନ କରୁଣୁ ଅରକ୍ଷିତ ଆସି ହାଜର ହୋଇଗଲା ସୁନେଇ ଦୁଆରେ । ସୁନେଇର ନିଦ ଭାଜିଯାଇଥାଏ ସେତେବେଳକୁ । ସେ ବାସି ବିଛଣାରେ ପଡ଼ି ପାହାନ୍ତି ପହର ତୁଟିଲା ସପନ ନିଶାରେ ଘାରି ହେଉଥାଏ । କେଡ଼େ ସୁନ୍ଦର ସପନଟିଏ ଦେଖିଲା ସେ । କୋଉ ଜାଗା କେଜାଣି ସେ, ମୂଠୁଣିଏ ବହଳର ତୁଳାରାମ ଗଦି ତା’ରି ଉପରେ ଶୋଇଥାଏ ସୁନେଇ । କ’ଣ ଏକା ସେଇ-? ତା’ କଡ଼କୁ ଲାଗି ସୋଇଥାଏ ଆଉ ଜଣେ । ସେ ଜଣକ କିଏ ସେ ହେବ ବାରିହେଉ ନଥାଏ-। ରାଜୀବା ତ ନୁହେଁ, ତା’ ଆଖି ଯୋଡ଼ିକ କେଡ଼େ ସୁନ୍ଦର; ରାଜୀବା ଆଖିତ ଚିଲା । ସେ ରାଜୀବା ନୁହେଁ । ଆଉ କିଏ ହେବ ? ଆଉ କ’ଣ ଅରକ୍ଷିତ ଶୋଇଥାଏ ସେମିତି ? ରୁମମୂଳ ଟାଙ୍କୁରି ଉଠିଲା ସୁନେଇର । ନାଇଁ ଲୋ ବାପ, ପର ପୁଅ ସେ–ଆହା, କେଡ଼େ ସୁଖର ଦୁଃଖର ପିଲାଟି-। ତା’ ନାଁ କାହିଁକି ସେଠି ଧରିବ ସୁନେଇ ? ପାପ ଅର୍ଜିବ । ହେଲେ ଯେତେ ବୁଝାଇଲେ ବି ମନ ମାନୁ ନଥାଏ । ମିଛ କାହିଁକି ହେବ ? ଚେକା ମୁହଁରେ ଠିଆ ନାକ, ଠିକ୍ ଖଣ୍ଡାଧାର ପରି–ଅବିକଳ ସେଇ କି ସେଇ ଅରକ୍ଷିତ !

 

ବାହାରେ କବାଟ ଖଡ଼ଖଡ଼–ସୁନେଇ ଚେଇଁ ଉଠିଲା–କିଏ ?

 

ମୁଁ ତ, ଅରକ୍ଷିତ । ଟିକିଏ କବାଟ ଫିଟାଇଲୁ ସୁନା ।

 

ମନ ଭିତରେ ଗାଦି ଗାଦି ଭାବନାର ସଭାତଳେ ମାଡ଼ି ହୋଇଥାଏ ସେଇ ଭାବନାଟି ସୁନେଇର–ଅରକ୍ଷିତ ଯଖ ପାଲଟି ଗଲାଣି । ଯଖ ଯେତେବେଳେ ପାରି ସେତେବେଳେ ବାହାରେ ନାହିଁ । ଭିତରେ ଯେମିତି ବାହାରେ ସେଇମିତି ନିରୋଳ, ନିଃଶବ୍ଦ ହେଲେ ସେ ବାହାରେ; ଏପାଖ ସେପାଖ ହୁଏ ତା’ରି ଘରେ କି ତାରି ବାଡ଼ିରେ ବୁଲୁଛି ବୋଲି ଯେ ସେ ତାର, ଏମିତି କିଛି ନାହିଁ । ସେ ଖାଏ ଜଣକର, କିନ୍ତୁ ଗାଏ ଆଉ ଜଣକର । ସେଇ ଯଖ ସେ–ଅରକ୍ଷିତ ।

 

କ’ଣ କିରେ ? କବାଟ ଫିଟାଇ ସୁନେଇ ପଚାରିଲା ।

 

ନବୁଟିଲୋ, ଗଣ୍ତାକ ରଖିଦବୁ । କାଲି ରାତିଠୁଁ ଆସିବି ଆସିବି ବୋଲି ଓର ଉଣ୍ତି ଯମା ପାଇଲି ନାହିଁ । ଆଜି ଅନ୍ଧାରୁଆରୁ ଉଠି ମଇଦାନ୍ ଫେରିବା ନାଁରେ ପଳେଇ ଆସିଚି । କିଏସେ ଦେଖି ପକାଇବତ ବୁଢ଼ା ଆଗରେ ଫୋଡ଼ିଦେଲେ ବୁଢ଼ା ଆଉ ବାକି ରଖିବ ନାହିଁ । ଏତିକି କହି ଅରପତ ଯାଉଁଳି ପୁଟୁଳା ଦିଟା ବଢ଼ାଇଦେଲା ସୁନେଇ ହାତକୁ ।

 

ସୁନେଇର ଆଖିତଳୁ ଜାଗି ଉଠିଲା ଢଳ ଢଳ ଅନୁକମ୍ପା ବିନ୍ଦୁ । ସେ ଅରକ୍ଷିତଠାରେ କି ଏକ ଅସହାୟତା ଲକ୍ଷ୍ୟକଲା ଠିକ୍ ତା’ରି ପରି । ଦୁଇଟି ଅସହାୟ ପ୍ରାଣୀ ଠିକ୍ ଯେମିତି ଦୁଇଟି ପାଖାପାଖି ପାଣି ତଳ ଛୁଇଁଦେଲା ମାତ୍ରେ ଏକାକାର ହୋଇ ମିଶିଯିବାକୁ ଚାହାନ୍ତି । ମଝିରେ ବାଲିରକୁଦ ପରି ପଣଟେକି ଠିଆ ହୋଇଛି ରାଜୀବାର ସଂସାର । ସୁନେଇ ଗର୍ଭରେ ରାଜୀବାର ରକ୍ତ ଚିତ୍କାର କରିଉଠିଛି ସୁନେଇ, ରାଜୀବ ପାତ୍ରର ବଂଶରେ କାଳି ବୋଳିବୁ ?

 

ଅରକ୍ଷିତ, ଏ କ’ଣ ମତେ ଦଉଚୁ ? ପ୍ରାଣ ବିକଳରେ ସୁନେଇ ପଚାରି ଦେଲା ମନର ଗତି ବଦଳାଇ । ଛାତିରେ ଛନକା ଲାଗିଗଲା ।

 

କ’ଣ ନୁହେଁ ଲୋ, ମୁଁ ତତେ କ’ଣ ଗୋଟେ ଦେଇପାରିବି ? କାଲିଠୁଁ ଶୁଣିଲି, ତୋ ଘରେ ଚାଉଳ ନଥିଲା । ଦି ଚାରିଦିନ ଚାଲିବ ପାଇଁ ଗଣ୍ତେ ଚାଉଳ ଦେଇଚି, ଆଉ ଗୋଟେ କ’ଣ, ନିଧି ନା ନିର୍ଘାତ ! ଅରକ୍ଷିତ ଅପସରି ଗଲା ସେଠାରୁ ।

 

ନିଧି ନୁହେଁ ସେ ନିର୍ଘାତ ଦେଇଯାଇଛି ଅରକ୍ଷିତ । ସୁନେଇ ନାହିଁ କରିଦେଇ ପାରିଲା ନାହିଁ । ପେଟର ଦାଉ ତା’ ହଁରେ ଜାବ ପକାଇଦେଲା । ଚାଖଣ୍ଡେ ବୋଲି ପେଟ । ତା’ ନଟକୁଟ ଗାଡ଼ି ଶଗଡରେ ଯିବନାହିଁ । ସେଇ ପେଟ ଚାଖଣ୍ତକ ପାଇଁ ମଣିଷକୁ କେତେ ହୀନ ବେଉସା ଆଦରିବାକୁ ପଡ଼େ । ତାରି ପାଇଁ ଦୁନିଆରେ ରାତି ପାଇଲାଠାରୁ ରାତି ହେବା ଯାଏଁ କେତେ ଧର୍ମ ନାମରେ କଳଙ୍କର ଧ୍ୱଜା ଉଡ଼େ । କେତେ ବ୍ୟଭିଚାର, ହିଂସା, ଦ୍ଵେଷ, ରକ୍ତଶୋଷୀ ସେବାଭାବ ଧରି କେତେ ନରକର ସୃଷ୍ଟି ହୁଏ । ସବୁରି ମୂଳରେ ଥାଏ ପେଟର ଦାଉ । ତାକୁ ଅବହେଳା କରି ମଣିଷପ୍ରତି ନିୟତ ସୃଷ୍ଟି ଛନ୍ଦରେ ତାଳ ପକାଇ ଚଳିପାରେ ନାହିଁ । ସେଇଥିପାଇଁ କେଉଁଠି ସାଧୁ ପାଲଟେ ତଣ୍ଟିକଟା ଖଣ୍ଟ, କେଉଁଠି ଅବା ରକ୍ଷକ ଭକ୍ଷକର ଆଚରଣ କରେ, ସେ ପେଟର ଦାଉକୁ ସୁନେଇ ଛାଡ଼ି ମହା ସୁନେଇ ହେଲେ ବି ଏଡ଼ିଦେଇ ପାରିବେ ନାହିଁ । ତାକୁ ଏଡ଼ିବାକୁ ଚେଷ୍ଟା କରିବା ମାତ୍ରେ ଅବସ୍ଥା ହୋଇଯିବ ବାରଣ୍ତା ଦିକଡ଼ା–ଠୋ, ଠୋ, ମନଦ ଗୋପାଳ ।

 

ପିଲାଟି ଦିନରୁ ପ୍ରକୃତି ସାଙ୍ଗରେ ରୀତିମତ ଲଢ଼େଇ କରି ସୁନେଇ ଗଢ଼ିଥିଲା ତା’ର ରୂପ, ଭେକ, ଯାହାକିଛି । ପେଟ ଚାଖଣ୍ତକ କ’ଣ ଚଳାଇ ଯାଇଥାନ୍ତା ? ତା’ ନୁହେଁ ଯେ ଆଜି ସେ ଦିନ ତା’ର ନାହିଁ । ମାଳ ଡୋଙ୍ଗର ତଳର ସାବଜା ଗଛବୃଛକୁ ସେ ଭୁଲି ସାରିଲାଣି ରାଜୀବା ସାଙ୍ଗରେ ପଳାଇ ଆସିଲା ଦିନୁ । ସେଇ କଥା ସୁମରି ତା’ ଆଖିରୁ ଝରି ପଡ଼ିଲା ଲୁହ । ରାଜୀବା ପାଇଁ ସେ କ’ଣ ନ କରିଛି ? ବାପା ମା’ଙ୍କୁ ଭୁଲିଛି, ଜନ୍ମସ୍ଥାନ ଭୁଲିଛି, ସାଙ୍ଗ ସାଥିଙ୍କି ଭୁଲିଛି, ଭୁଲିଛି ତା’ ନାରୀ ଜନମର ରଙ୍ଗିନ ସ୍ଵପନ ଆଉ ବାକି ରହିଛି ଜରା ଜୀବନଟା । ହୁଏତ ତାକୁ ବି କେଉଁଦିନ ଭୁଲିଯିବାକୁ ପଡ଼ିବ । ସେଇ ରାଜୀବା କୁଆଡ଼େ ଲୁଚିଯାଇ ନାହିଁ ଦୁନିଆରୁ । ସୁନେଇର ଅବସ୍ଥା କ’ଣ ତାକୁ ଅଜଣା ରହିଛି ? କାହା ଆଣି ଅରକ୍ଷିତ ପାଖରେ ଧାରୁଆ ହେଲା, ବନ୍ଧା ପଡ଼ିଲା ସୁନେଇ ? ସେ ଦାନ ହେଉ, ଖଇରାତ ହେଉ, ଯାହାହେଉ, ଭବିଷ୍ୟତରେ ଫେର ଶୁଝିବା ଭାବନା ରହିଲା ତ । ଆଖିର ଲୁହକୁ ସାକ୍ଷୀ କରିବା ଛଡ଼ା ଆଉ କିଛି ଉପାୟ ନଥିଲା ସୁନେଇର ।

 

ସୁନେଇ ଆଖିର ଲୁହ ଚିତା ନେଇ ଦୂରେଇ ଗଲା କୁଆଁର ପୁନିଅ ସେ ବର୍ଷ । ଏକା ସେଇ ନୁହେଁ, ସୁନେଇ ଖଞ୍ଜାର ଲୁହଗୋଳା ଚିକିଟା ମାଡ଼ି ଚାଲିଗଲେ କାର୍ତ୍ତିକ ମଗୁଶିର, ପୁଷ ତା’ ପଛକୁ ତା’ ପଛ ଆଗିଲି ପିଛିଲି ହୋଇ । ସଭା ପଛକୁ ଥିଲା ମାଘ, ସେ ବାଘପରି ମାଡ଼ିବସିଲା ନଥିଲା ଲୋକକୁ ଶୀତର ଭୟ ଦେଖାଇ ସୁନେଇ ଭଳିଆ ନିପାରିଲାର ଲୋକ, ଯାହାର ବସିବା ଥାନରୁ ଉଠିବା କଷ୍ଟକର, ସେ ବରତିବ କେତେକେ ? ତଥାପି ରାଜୀବାର ଦେଖା ମିଳିବା ଦୂରେ ଥାଉ, ଖବର ଟିକିଏବି ମିଳିଲା ନାହିଁ ।

 

ଅରକ୍ଷିତ ଥିଲାକୁ ଶାମଦାସ ବୁଢ଼ା ପାଟି ବନ୍ଦ କରିଛି । ଗୋଟିଏ ବୋଲି ପୁଅ । ସେ ପୁଣି ପାରିଗଲାଣି । ତା’ କଥାକୁ ତଳେ ପକାଇ ପାରୁନାହିଁ ଦାସ ବୁଢ଼ା । ଏବ କାଳର ପୁଏ ପାଠୁଆ ହୁଅନ୍ତୁ, ଅପାଠୁଆ ହୁଅନ୍ତୁ ଟିକିଏ ଗୋଡ଼ ହାତ ପାଇଗଲେ ଚାତର କାଢ଼ନ୍ତି ବିଶ ଶହେ । ତାଙ୍କ ଲେଖାରେ ବୁଢ଼ାବାପେ ହେଲେ ମରହଟିଆ । ବାପଙ୍କ କଥାଗୁଡ଼ା ପୁଅଙ୍କ ମନକୁ ମୋଟେ ଯାଏ ନାହିଁ । ଫଳରେ ସଂସାର ଦୋଫାଙ୍କିଆରେ ଚାଲେ । ବିଚରା ବାପେ ପୁଅଙ୍କ ମମତା ଏଡ଼ି ନପାରି ତାଙ୍କରି କଥାରେ ଖାଲ ହେଉ, ଢିପ ହେଉ ଖସିଯାଆନ୍ତି । ଦାସ ବୁଢ଼ାଙ୍କ ଅବସ୍ଥା ତଦ୍ରୂପ । ପୁଅ ଯେତେବେଳେ ଦାତା ବୋଲାଉଛି, କରଜାଧାନ ଅସଲ ନ ହେଲା ନାହିଁ ।

 

ଖାଲି କ’ଣ ସେତିକି, ସୁନେଇର ଅଜଣାରେ ବି ତା’ର ଖୁଚୁରା ହାତଉଦ୍ଧାରି କେତେ ଶୁଝାସରିଲାଣି ଅରକ୍ଷିତର ଦୟାରୁ । ଏହାର ପ୍ରତିଦାନ ସ୍ଵରୂପ ସୁନେଇକି ଅବଶ୍ୟ କିଛି ଦେବାକୁ ପଡ଼ିନି ଅରକ୍ଷିତକୁ । ଅରକ୍ଷିତର ମନରେ କ’ଣ ଥିଲେ ଥାଇପାରେ, କିନ୍ତୁ ପ୍ରତିଦାନ ପ୍ରତ୍ୟକ୍ଷ ଭାବରେ ଲୋଡ଼ିନି ସେ ସୁନେଇ ପାଖରୁ । ବାହାରୁ ଏ ପଶ୍ନ କେବେ କେମିତି ଉଠିଲେ ଅରକ୍ଷିତ କହେ, କ’ଣ କ୍ଷତି ହେଲା ? ଲୋକଟି ବିପଦରେ ପଡ଼ିଯାଇଛି, ଏପରି ଅବସ୍ଥାରେ ଜଣକୁ ସାହାଯ୍ୟ କଲେ ଯଦି କିଛି ଅଧର୍ମ ବା ଅନ୍ୟାୟ ହୁଏ, ସେ ଅଧର୍ମ ବା ଅନ୍ୟାୟ ମୋର । ସେଥିରେ କାହାରି ଆପତ୍ତି କରିବାର କିଛି ନାହିଁ । ପୁଅର ଏହିପରି କାର୍ଯ୍ୟକଳାପ ପଛରେ ଥାଏ ଦାସ ବୁଢ଼ାର ପୂରା ଷୋଳଣା ସମର୍ଥନ । କଥା କଥାକେ ଦାସେ କହନ୍ତି–କିହେ, ଜାଣିବା ଶୁଣିବାର ବୟସ ଆସି ହେଲା-। ଶାସ୍ତ୍ରରେ କହିଛି–ଷୋଳବର୍ଷପରେ ପୁଅକୁ ମିତ୍ର କହି । ମୁଁ ଏଥିଲାଗି କ’ଣ କରିବି ? ଯାହାକୁ ଭଲ ନ ଲାଗୁଛି କି ଲାଜ ମାଡ଼ୁଛି, ସେ ମୁହଁରେ ଲୁଗା ଦେଉ ।

 

ଲୋକଙ୍କ ମୁହଁରେ କଥା କେତେବେଳେ କେଉଁ ରୂପ ନିଏ । ଫୁଲିର ସାଇ ପଡ଼ୋଶୀଏ ସବୁବେଳେ ଏଣିକି ଟୁପ୍‍ଟାପ୍, ଫୁସ୍‍ଫାସ୍ ଏ ମା’, ଦାସ ବୁଢ଼ା ପୁଅ ଅରକ୍ଷିତିଆ ଆଉ ଘରକୁ ଯାଉନାହିଁ ଲୋ ମୋଟେ । ସଦାସର୍ବଦା ଖାସ୍ ସୁନେଇ କତିରେ ବସା ବାନ୍ଧିଲାଣି । ଆଲୋ, ରାଜୀବା କ’ଣ ଏଇଥି ସକାଶେ ଆଉ ପଚାରୁ ନାହିଁ ସୁନେଇକି ।

 

ସୁନେଇ କାନରେ ଏକଥା ବାଜେ । ନାରୀର ସମ୍ଵଳ ତା’ ଆଖିର ଲୁହ । କାହା ବଳରେ ସୁନେଇ ମୁହଁ ଟେକିବ ? ପ୍ରକୃତରେ ଅରକ୍ଷିତ ସାଙ୍ଗରେ ତା’ର ବା ସମ୍ଵନ୍ଧ କ’ଣ ? ରାଜୀବ ପାତ୍ର ଘରେ ଅରକ୍ଷିତ କି ସେ ? ଉପରଠଉରିଆ ପ୍ରଶ୍ନ ଏଗୁଡ଼ିକ, ନ ଜାଣିଲା ଲୋକଙ୍କ ମୁହଁରେ ସାଜେ । କିନ୍ତୁ ସୁନେଇ ମୁହଁରେ ଏ ପ୍ରଶ୍ନ ଶୋଭା ଦିଶିବ ନାହିଁ । ଦୁନିଆରେ କିଏ କାହାର ? ଖାଲି ଗୋଟେ ସମାଜ ଗଢ଼ିବା ପାଇଁ ଏମିତିଗୁଡ଼େ ତୋର ମୋର ଧରାବନ୍ଧା ବ୍ୟବସ୍ଥା କରିଦେଇ ଯାଇଥିଲେ ପଞ୍ଝାଏ ତାଙ୍କ ସୁବିଧା ଦୃଷ୍ଟିରୁ–ସେ ସ୍ୱାମୀ, ସେ ବାପା, ମା, ଦଦି, ଖୁଡ଼ି ଏଇମିତି କେତେ କ’ଣ । ଯଦି ଜଣକର ପ୍ରାଣ ଅନ୍ୟର ଦୁଃଖରେ କାନ୍ଦି ଉଠିଲା, ତେବେ ସେଠି ଏମିତିଆ ଗୋଟେ ବାହ୍ୟଆବରଣ ନଥିଲେ କ’ଣ ହୋଇଗଲା ? ସେଇଟାହିଁ ପ୍ରକୃତ ବନ୍ଧୁତ ବୋଲି ଧରା ବା ବିଧେୟ-

 

ସୁରେଇର ରୁଚି ସିନା ଅଜିକାଲିକା ଶିକ୍ଷା, ସଭ୍ୟତାର ସାବୁନଫେଣରେ ଘଷାମଜା ହୋଇନାହିଁ, ତା’ ବୋଲି ସେ ରୁଚିକୁ ତା’ର ଅପ୍ରୀତିକର ବୋଲି ତ କୁହାଯାଇପାରି ନାହିଁ । ହେଲେ, ଗାଁରେ, ସାଇରେ ଏକଥା ବୁଝିଲେ ତ ହୁଏ । ସୁନେଇ କଥା ସେ ଗାଁରେ କ୍ରମେ ଏମିତି ଆକାର ଧରିଲା, ବାଟରେ ଚାଲିଗଲା ଲୋକ ବି ପଦେ ନକହି ଛାଡ଼ିଲା ନାହିଁ । କ୍ରମେ ସୁନେଇ ପକ୍ଷରେ ବଞ୍ଚିରହିବା କଷ୍ଟକର ହୋଇପଡ଼ିଲା ।

 

ଦିନେ ବେଳ ରତ ରତ ହେବାକୁ ଯାଉଛି, କେମିତି କେଜାଣି ଅଖୋଜା ଅଲୋଡ଼ା ଅରକ୍ଷିତ ଆସି ପହଞ୍ଚି ଗଲା ସୁନେଇ ଖଞ୍ଜାରେ । ଏଇ କେତେଦିନ ହେଲା ସୁନେଇର ଚିନ୍ତା ପଡ଼ିଯାଇଥାଏ । ତା’ ଦେହଟି ସୁଖ ନ ଥାଏ । ଖିଆପିଆ ଏକରକମ ନାହିଁ କହିଲେ ଚଳେ । ଅରକ୍ଷିତ କଣ୍ଠ ଓଦା କରି ପଚାରିଲା ସୁନା, ଆଉ କେତେଦିନ ଏମିତି ପଡ଼ିଥିବୁ ଲୋ ? କାଲିଠୁଁ ଗୋଟେ କଥା ମୋ କଣ୍ଠରେ ଢୁକିଚି । ଭାବୁଚି, ଥରୁଟେ ରଖିବି ବୋଲି । ତୁ କ’ଣ କହୁଚୁ କହିଲୁ ?

 

ଅରକ୍ଷିତର ତା’ ଘରକୁ ଯାଆସ କରିବା ସୁନେଇ ଆଉ ଚାହୁଁନାହିଁ । କେଜାଣି କାହିକି ତା’ ଆଖି ଆଗରେ ଦିଶି ଯାଉଛି ଗୋଟେ ନାରଖାର ଦୁନିଆ–ଯେଉୁଁଠି ମଣିଷ ଅନ୍ୟର ଆତ୍ମାକୁ ନ ଦେଖି ଦେଖେ ତା’ର ନାଲିଆ ଲହୁ । ମଣିଷର ସବୁ କଥାରେ ସବୁ କାର୍ଯ୍ୟରେ ରହି ଯାଉଛି କିମିତିକା ଗୋଟେ ଆପଣ ଉଦରତୋଷାଭାବ । ଏମିତିଆ ଦୁନିଆରେ ପଛକେ ନ ଖାଇ, ନ ପିଇ ପଡ଼ି ପଡ଼ି ପଚିସଢ଼ି ମରିବ, ମଣି ମଣିଷ ହୋଇ ମଣିଷଠାରୁ ସାହାଯ୍ୟ, ସହାନୁଭୂତି ଲୋଡ଼ିବ ନାହିଁ-। ତଇଲା ତଳର ଚଷା ବାପୁଡ଼ା କୁଳରେ ସୁନେଇର ଜନ୍ମ । ଆଣ୍ଠୁତଳ ଲୁଚାଇ ଲୁଗାପିନ୍ଧା ଶିଖି ନାହିଁ ଯିଏ, ତାପାଇଁ ଲୋକଙ୍କର ଏଇ ଚୁଗୁଲି, ଅପବାଦ ବାଟ ରୋକିବ ନାହିଁ । ବରଂ ରୋକିବ ଅରକ୍ଷିତର । ଯେଉଁଲୋକଙ୍କ ଭିତରେ ବାର ବାର ଛିଦ୍ରର ରାଜୁତି ସେଠି ଅରକ୍ଷିତ ସଭିଙ୍କ ଭିତରେ ମୁଣ୍ଡଟେକି ଠିଆ ହୋଇପାରିବ ନାହିଁ । କେଉଁଦିନ ହେଲେ ସେବି ବଦଳିଯିବ ତାରି ଭିତରେ ଆନମାନଙ୍କ ସାଙ୍ଗରେ ଏକଯୁଟ ହୋଇ–କିଏ ଜାଣିଲା ?

 

ସେ ବଡ଼ କଷ୍ଟରେ ମୁଚୁଳା ଉପରୁ ମଥା ଟେକି କହିଲା ଅରକ୍ଷିତରେ, ମୋ ଦୁଃଖରେ ମତେ ମରିବାକୁ ଛାଡ଼ିଦେ ବାପା । ମୋ ପାଇଁ ହାରି ଗୁହାରି କରି ତୁ କାଇଁ ଲୋକହସା ହଉଛୁ ? ମୋ ନିଜ କୁଢ଼ିଆ ହେଇଥିଲେ ତୋପରି ଲୋକକୁ ଖଟୁଳିରେ ବସେଇ ପୂଜା କରୁଥାନ୍ତି । ପାତ୍ର ବଂଶଙ୍କ ଡିହ....ଏଣିକି ଆଉ ତୁ ଆସିବୁ ନାଇଁରେ ।

 

ଆଉବା କ’ଣ କହିଥାନ୍ତା ସୁନେଇ, ପେଟ କୋରି ହୋଇଗଲା ଭିତରେ । କାଲିଠୁଁ ପେଟକୁ ଦାନା ଯାଇନାହିଁ ତା’ର । ଖାଲି ପେଟରେ ପିଲା ଗୋଡ଼ ଛାଟୁଛି ଭୋକ ଓପାସ ସହି ନ ପାରି । ସେ ମୁଚୁଳା ଉପରେ ମୁଁହ ମାଡ଼ି ଅସରାଏ ଲୁହ ନିଗାଡ଼ି ପକାଇଲା ଆଖିରୁ ।

 

ରାଜୀବା ଉପରକୁ ରକ୍ତ ଚାଉଳ ଚୋବାଇ ଉଠିଲା ଅରକ୍ଷିତ । ଲୋକଟା ମରିଯାଇଥିବ ତ ଭିନେ କଥା । ବଞ୍ଚିଥାଇଁ ଯଦି ଦେଖିବାକୁ ମିଳେ ତେବେ ତାକୁ ଜୀଅନ୍ତା ପୋଡ଼ି ପକାଇଲେ ବି ଏତେ ଟିକିଏ ଦୋଷ ଲାଗିବ ନାହିଁ । ଅରକ୍ଷିତ ସୁନେଇର ଦୁଃଖ ଦେଖିପାରିଲା ନାହିଁ ବେଶୀ ସମୟ-। ମନେ ମନେ ହେଉଥାଏ ବୁଢ଼ା ମଙ୍ଗିଯାଆନ୍ତା କି, ସୁନେଇକି ନେଇ ତାଙ୍କରି ଘରେ ଠାବ ଦିଅନ୍ତା-। ଏଇ ଭାବନା ଭିତରେ ସୁନେଇର ଦେହଜଳା କଥା କେତେପଦ କୁଆଡ଼େ ଯେ ଗୋଳେଇ ମିଶେଇ ହୋଇଗଲା, ଅରକ୍ଷିତ ଜାଣି ବି ପାରିଲା ନାହିଁ । ଗୋଟେ ଜିଦରେ ସେ ରାଜୀବାକୁ ଖୋଜିଯିବାକୁ ପ୍ରତିଜ୍ଞା କରି ସୁନେଇ ଖଞ୍ଜାଛାଡ଼ି ପଳାଇଗଲା ସେଦିନ ।

 

ମାଘ ଶୁକ୍ଳ ସପ୍ତମୀ । ଓଡ଼ିଶା ପ୍ରସିଦ୍ଧ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପାଇଁ ଭୁବନେଶ୍ଵର ଦେଇ ଧାଡ଼ି ଲଗାଇ ଦେଇଥାନ୍ତି ମୋଟର, ବସ୍, ପାଦଚଲା ଯାତ୍ରୀ । ସେତିକି ବେଳକୁ ଭୁବନେଶ୍ଵରର ଖଣ୍ଡଗିରିଠାରେ ସପ୍ତାହ ଧରି ମେଳା ବସେ । ବହୁତ ଆଡ଼ୁ ବହୁତ ଲୋକେ ରୁଣ୍ଡ ହୁଅନ୍ତି ସେଠି । ଏଥର ବି ଲୋକ କମ୍ ନୁହନ୍ତି । ବର୍ଷକରେ ଥରେ ଗୋଟାଏ ପର୍ବ । କେତେ ପ୍ରକାର ମନାସ କରି ଲୋକେ ସେଠିକି ଆସନ୍ତି । କିଏ ଦେଖେ ଗୁମ୍ଫା, ଓଡ଼ିଶାର ପୁରୁଣା କୀର୍ତ୍ତି । କିଏସେ ଗୁମ୍ପା କତିରେ ଦଣ୍ତେ ଘଡ଼ିଏ ବସି ଇତିହାସ ବର୍ଣ୍ଣିତ ଓଡ଼ିଶାର ରାଜା ମହାରାଜାଙ୍କ ବଂଶଧର ବୋଲି ନିଜକୁ ମନେକରି ଗର୍ବ ଅନୁଭବ କରେ । କର୍ପୂର ସିନା ଉଡ଼ିଯାଇଛି, କନା ଖଣ୍ତିକ ତ ଅଛି ! ପାନ ଖିଲ ପାଇଁ ଫରମାସ କରୁଁ କରୁଁ କେହି ହୁଏତ ପାନ ଦୋକାନୀ ଆଗରେ ଅଜସ୍ର ଗାଇଯାଏ ଠିକ୍ ନିଜେ ଦେଖିଥିଲା ପରି, ଅଙ୍ଗରେ ନିଭେଇଥିଲା ପରି । କେହି କେହି ହୁଏତ ବେଳ ଉଣ୍ତି ମଣିଷ ଜୀବନର ନିହାତି ତଳ ପାହାଚକୁ ଓହ୍ଲାଇ ଯାଇ, ଆପଣାର କୁପ୍ରବୃତ୍ତି ଚରିତାର୍ଥ କରିବାକୁ ସେଠାରେ ଲୋକଗହଳିରେ ମିଳିଯାଇଥାନ୍ତି ।

 

ମେଳା ମଉଛବର ଦିବ୍ୟସମ୍ଭାର ଘେନି ସେଥିର ରାଜୀବା ଦୁଆରେ ଧକ୍କା ଦେଉଥାଏ ମାଘ ସପ୍ତମୀ । ରାଜୀବା ସେ ଦିନ ସକାଳୁ ସକାଳୁ ଗାଧୁଆ ପାଧୁଆ ସାରିଦେଇ ବସିପଡ଼ି ଦରାଣ୍ତୁ ଥାଏ । କେଉଁଠୁ ଟଙ୍କା ପାଞ୍ଚଟା ମିଳିଲେ ଆଜି ଫୁଲିକି ନେଇ ସେ ଖଣ୍ତଗିରି ମେଳାକୁ ଯିବ । ଦେହର ରକ୍ତକୁ ପାଣି ଫଟାଇ ଯାହା ସେ ଅର୍ଜିଥିଲା, ସେତକ ଗୋଟି ଗୋଟି ହୋଇ ସବୁ ନିକାଶ୍ ପାଇଗଲାଣି ଫୁଲିର ମର୍ଜି ଜଗାରେ । ଆଉ କାହିଁ ଥାଏ–ଆଲୋ ମଉସା ନା ଜଡ଼ ପଇସା । ଏଇଲାଗେ ସାରାଦିନ କାମବନ୍ଦ । କାନତରାଟି ବାବୁ ନୋଟିସ୍ ମାରିଦେଇଛି । ରାଜୀବା କରେ କ’ଣ ? ଘଡ଼ିକ ବାଦ ଫୁଲି ଆସି ପହଞ୍ଚିଯିବ । ସାଙ୍ଗେରେ ଥିବେ ତା’ ମା ବୁଢ଼ୀ ଆଉ ନଖିଆ । କାଲିଠୁଁ ଜବାବ ଦିଆସରିଛି । ଆଉ ନିସ୍ତାର ନାହିଁ, ତ୍ରାହି ନାହିଁ । ଯେ କୌଣସି ବାଟରେ ଟଙ୍କା ପାଞ୍ଚଟି ରାଜୀବାକୁ କେଉଁଠୁ ହେଲେ ବାହାର କରିବାକୁ ପଡ଼ିବ । ସାତ ପରସ୍ତ କରି ପେଡ଼ିଟାକୁ ଖୋଜିସରିଲାଣି ସେ । କେଉଁଠି କଣା ପଇସାଟେ ବି ତା’ ହାତକୁ ଲାଗୁନାହିଁ । ଖାଲି ସେଇ ଚିଠି କେତେଖଣ୍ତ–ନେଇଦେଇଥିଲା । ସେଇ ଚିଠିରୁ ଖଣ୍ତେ ହାତରେ ଧରି ରାଜୀବା ଥକାମରା ହୋଇ ବସିଗଲା ।

 

କ୍ଷଣକ ପାଇଁ ତା’ ଆଖିରେ ନାଚି ଉଠିଲା ସୁନେଇ–ସେଇ ପାହାଡ଼ତଳିଆ ଝିଅଟି । ସୁନେଇର ଦୁଃଖ, ତା’ର କଷାଘାତ ରାଜୀବା ମନକୁ ଖଣ୍ତିଆ ଖାବରା କରିପକାଉଥାଏ ଫୁଲିର ଚିନ୍ତାକୁ ଆଡ଼େଇଦେଇ । ରାଜୀବା ସୁନେଇ କଥା ମନେ ପକାଇ ଭୟକରି ଯାଉଥାଏ । ମଣିଷକୁ ମାରି ଦେଇଥିଲେ ଲୋକ ବି ଏମିତି ଭୟ କରିବ ନାହିଁ । ନା, ନା–ସେ ଚିନ୍ତା କରିବାକୁ ରାଜୀବା ଚାହେଁ ନାହିଁ । ସେ ଚାହେଁ ହାଲୁକା ଚିନ୍ତା–ଠିକ୍ ଫୁଲ ପରି ନରମ ଆଉ ଗରମ ।

 

ଚିଠି ଖଣ୍ତକ ରାଜୀବା ହାତରୁ ଖସିପଡ଼ିଲା ଘୃଣାରେ, ଛାନିଆରେ । ସେ ମନ ଭୁଲାଇବାକୁ ପଲାଭିତରୁ ଉଠି ଆସିଲା ପଦାକୁ । ପୁଣିଥରେ ଆଦର କରି ପାଛୋଟି ଆଣିଲା ଜୀବନର ମହାଭୁଲ୍‍ ସେଇ ପାଞ୍ଚଟଙ୍କା ପାଇବାର ନିଶାକୁ । ରାସ୍ତା ସେକଡ଼େ ସରକାରୀ ଘରମାନଙ୍କରେ ଥାଆନ୍ତି ସରକାରଙ୍କ ଦରମାଖିଆ ବାବୁମାନେ । ତା’ ଆଖିଆଗର ବସାଘରୁ ଜଣେ କିଏ ତାଙ୍କ ପିଲାପିଚିକା ଲଦି ଗାଡ଼ିରେ ବୋଝେଇ କରି ବାହାରିଛନ୍ତି କୁଆଡ଼େ ବୋଧହୁଏ ସେଇ ଖଣ୍ତଗିରି ମେଳାକୁ । ରାଜୀବା ମନରେ ପାପ ଛୁଇଁଲା । ଗୋଟେ ସୁବିଧା ଦରର ଟଙ୍କା ପାଇବା ଫନ୍ଦି ତାକୁ ଦିଶିଗଲା–ଯାଆନ୍ତୁ ସେ ବାହାରି । ଖପ୍‍କରି ପାଚେରୀଟାକୁ ଡେଇଁ ପଡ଼ିଲେ ଟଙ୍କା ପଞ୍ଚାଟି ଖୁସିରେ ଥୁଆ ।

 

ବିଚିତ୍ର ଏଇ ସୃଷ୍ଟି । ଅତି ବିଚିତ୍ର ତା’ର ସ୍ରଷ୍ଟା । ମନୁଷ୍ୟ ଏଇ ସୃଷ୍ଟିର ଶ୍ରେଷ୍ଠ ଜୀବ ବୋଲି ଗଣାହୁଏ !

 

ଶ୍ରେଷ୍ଠ ଆସନରେ ଯେ ବସିଥାଏ, ଲୋକେ ତା’ ଉପରେ ବେଳେ ବେଳେ ଇର୍ଷାନ୍ୱିତ ହୋଇ ଭାବନ୍ତି–କେଡ଼େ ସୁଖ କରୁଛି; ବିଳାସ ବ୍ୟସନ ଭିତରେ ବୁଡ଼ି ରହିଛି । କିନ୍ତୁ ପ୍ରକୃତରେ ସେପରି ଆସନରେ ବସିଥିବା ଲୋକ ଯେ କେତେ ଧନ୍ଦା ଭିତରେ ଘାରି ହେଉଛି, ସେକଥା କାହାରିକୁ ଲାଗେ ନାହିଁ । କିମିତି ବା ଲାଗିବ ? ଭଗବାନ ମଣିଷ ଆଗରେ ଏପରି ଜାଲ ବିଛାଇ ଦେଇଛନ୍ତି, ସେ ଜାଲରେ ଛନ୍ଦି ହେବା ମାତ୍ରକେ ମଣିଷ ଭୁଲିଯାଏ ନିଜକୁ । ଆପଣା ଜୀବନ ପ୍ରତି ସେ ଏତେ ଅନୁରକ୍ତ ହୋଇଯାଏ, ଜୀବନଟାକୁ ସଫଳ କରିବାକୁ ହେଲେ ଯେଉଁ ସାଧାରଣ ଦୁଃଖକଷ୍ଟ ଟିକକ ପଡ଼େ, ତାକୁ ବି ସହିବାକୁ ସେ ଅକ୍ଷମ ହୋଇଯାଏ । ତେଣୁ ସେ ଭଲ କାମରେ ଜୀବନଟାକୁ ଲଗାଇପାରେ ନାହିଁ । ସେ ସ୍ପୃହା ତା’ର ରହେନାହିଁ ମୋଟେ । ଯାବତ ଅପକର୍ମ, କୁତ୍ସାରଟନା କରିବାକୁ କିଛି କଷ୍ଟ ପଡ଼େ ନାହିଁ ତାକୁ । ତେଣୁ ସେ ତାହାହିଁ କରେ । ଜୀବନରେ ଦୁଇଟି ପଥ ତା’ ପାଇଁ ଖୋଲାଥାଏ । ଗୋଟିଏ ସର୍ଜନା ଓ ଅନ୍ୟଟି ନଷ୍ଟ । ସର୍ଜନା ପାଇଁ ନିର୍ଦ୍ଦିଷ୍ଟ ପଥଟି କଣ୍ଟକିତ ଆଉ ନଷ୍ଟର ପଥଟି ସହଜଗମ୍ୟ । ଜାଲର ଘେର ଭିତରେ ରହି ମଣିଷ ହୋଇଯାଏ ଖୁବ୍ ସୁବିଧାବାଦୀ । ତେଣୁ ତା’ ଆଖିକୁ ସହଜଗମ୍ୟ ପଥଟି ପରିଷ୍କାର ଦେଖାଯାଏ, ଆଉ ଜୀବନସାରା ସେ ଧାଏଁ ସେଇ ନଷ୍ଟପଥରେ ।

 

ରାଜୀବା ଅନେକ ଦିନରୁ, ବିଶେଷତଃ ତା’ର ଜନ୍ମମାଟି ଛାଡ଼ି ପର ପାଖରେ ହାତ ପତାଇବାକୁ ବିଚାରିବା ଦିନରୁ ନଷ୍ଟର ପଥଟିକୁ ବାଛିନେଇ ସାରିଛି । ଆଜି ପାଞ୍ଚ ଟଙ୍କାର ଗରଜ ଲାଗି ସେ ଚୋରି କରିବାକୁ ଟାକି ବସିଛି । ଏଥିରେ ଆଶ୍ଚର୍ଯ୍ୟ କଥା କ’ଣ ଅଛି ? ଯେ ନଷ୍ଟ ହେଲା, ତା’ର ସଦ୍‍ଗତି କାହିଁ ?

 

ରାଜୀବା ବୋଧହୁଏ ୟା ପୂର୍ବରୁ ତା’ ଜୀବନରେ କେବେ ଚୋରି କରିନଥିଲା । ତା’ ନହେଲେ ସେ କାହିଁକି ତୁଛାଟାରେ ଏତେ ପରିଶ୍ରମ କରି ପାଚେରୀ ଡେଇଁ ସରକାରଙ୍କ ଦରମାଖିଆ ବାବୁଙ୍କ ଘରେ ପଶିଥାନ୍ତା ? ବାଟରେ ଝାଡ଼ାଫେରି ନାଁ ପକାଇବାକୁ ଯିଏ ମନ କରିବ, ସିଏ କାହିଁକି ନାଳଝାଡ଼ାରୁ ଥୋପାଏ ଫେରିବା ପାଇଁ ଏତେ କଷ୍ଟ ସହିବ ? ଚୋରିବିଦ୍ୟା ହାସଲ କରିଥିବା ଲୋକ ହୋଇଥିଲେ ସେ ମୋଟେ ଆଡ଼ ଆଖିରେ ଚାହିଁ ନଥାନ୍ତା ଏମିତିଆ ବାବୁଙ୍କ ଘରକୁ । କାହିଁକି ଚାହିଁବ ? କ’ଣ ପାଇବ ଯେ ଚାହିଁବ ? ମାସକ ଯାକ ବଳଦିଆ ଖଟଣି ଖଟି ଶୁଣ୍ଠାପରି ଯେଉଁ ଗଣ୍ତାକ ମାସଶେଷକୁ ପାଅନ୍ତି, ବାବୁଙ୍କ ଘର ପର୍ଯ୍ୟନ୍ତ ସେତକ ଆସେ କି ନାହିଁ ସନ୍ଦେହ ଖାଲି ଫୁଟାଣି ଦେଖାନ୍ତି ନା–

 

ରାଜୀବା ବହୁଶ୍ରମ ସହକାରେ ପାଚେରୀ ଡେଇଁ ସେ ବାବୁଙ୍କ ଘରେ ପଶିଲା । ଛାତି ଖାଲି ଦମ ଦମ ହେଉଥାଏ । ଘର ଦୁଆର ମୁହଁରେ କେଉଁ ଅସିଆ କାଳର ଜଙ୍କ୍‍ ଲଗା ତାଲା ଗୋଟାଏ ଗୋଟାଏ ଝୁଲୁଥାଏ । ତାକୁ ଛୁଉଁ ଛୁଉଁ ସେ ଗୁଡ଼ା ଚଟ୍‍ଚାଟ୍‍ ଖୋଲିଗଲା । ଘର ଭିତରେ ପଶି ଦେଖିଲାବେଳକୁ ଖଣ୍ତିଆ, ଭଙ୍ଗା ଚେପା, କୁଜା ହୋଇ ଟଙ୍କା, ବାକ୍ସ ମାଳ ମାଳ ଅଥଚ କେଉଁଥିରେ କାଣି କଉଡ଼ିଟା ବି ହେଲେ ମିଳିବା କଷ୍ଟ । ହତାଶ ହୋଇ ଯେଉଁ ସଜରେ ଆସିଥିଲା ଭିତରକୁ, ସେହି ସଜରେ ଫେରିଗଲା ରାଜୀବା–ଛିଃ, ଏଗୁଡ଼ାକ ଏମିତି ଅନ୍ତଶୁଖା ବାବୁ, କୁଲୀ ମଜୁରିଆଙ୍କ ଠୁଁ ବି ହୀନ !!

 

ଜୀବନରେ ବାଟଭୁଲିବାକୁ ମଣିଷ ବେଳେ ବେଳେ ଏମିତି ଭଲପାଏ ? ଭୁଲଟାଏ କରି ଧୋକା ନଖାଇଲା ଯାଏଁ ତାକୁ ଚାରିଆଡ଼ ଅନ୍ଧାର ଦିଶେ । ଗୋଡ଼ରେ କଣ୍ଟା ଫୁଟିଲେ ମଦନିଶାରୁ ଆଖିଝାଡ଼ି ଉଠିଲାପରି ତା’ର ମୋହ ଭାଙ୍ଗେ–ଆରେ ବାଟଛାଡ଼ି ମୁଁ ଅମଡ଼ା ମାଡ଼ିଯାଉଛି । ଓଃ, ଫେର୍, ଫେର୍…

 

ରାଜୀବାକୁ ଏମିତି ଲାଗିଲା, ଟଙ୍କା ପାଞ୍ଚଟି ନ ପାଇଲେ ଯେମିତିକି ତା’ ଜୀବନଟା ଠକ୍ କରି ଛାଡ଼ିଯିବ । ଲୋକ ଅଭାବରେ ପଡ଼ି କୁଆଡ଼ୁ କିଛି ନ ପାଇଲେ ଶେଷକୁ ଚୋରି କରିବାକୁ ପ୍ରଲୁବ୍ଧ ହୋଇଥାଏ । ରାଜୀବା ତ ସେ କଥା କରିବାକୁ ଛାଡ଼ି ନାହିଁ ? ଆଉ ବାକି ଅଛି କ’ଣ ? ହଁ, ଅଛି–ସେ କରତକଳ ପାଖ ବରା ଗୁଲୁଗୁଲା ଦୋକାନରୁ ହାତ ସଫେଇ କରି ମାରିଆଣିବ କିଛି । ତେଣିକି ପାଞ୍ଚ ହେଉ ବା ପଚିଶି ହେଉ ତା’ କପାଳ ।

 

ସେ’ଠି ପହଞ୍ଚି ଦେଖିଲାବେଳକୁ ମାଲିକ ନାହିଁ । ଦୋକାନର ତିନିଭାଗ ଖଣ୍ତଗିରି ମେଳାକୁ ଉଠାଇ ନେଇଛି । ସାବକ ଦୋକାନରେ ପିଲାଟିଏ ଅଛି । କେହି ଗଲା ଅଇଲା ଖୋଜିବସିଲେ ବେସନରେ ତିଆରି କେବକାର ସେଉରୁ ଗଣ୍ତାଏ ଆଉ କପେ ଚାହା ଯୋଗାଇ ଦେଉଛି । ରାଜୀବା ଚୁପ୍‍ଟି ହୋଇ ବସିଥାଏ ସେହି ଦୋକାନର ଖଣ୍ତେ ବେଞ୍ଚ ଉପରେ । ପିଲାଟାର ଗତିବିଧି ଠଉର କରୁଥାଏ । ପିଲାଟା ତାକୁ ଥରେ ଦି’ଥର ପଚାରିସାରିଲାଣି ସେତେବେଳକୁ–କ’ଣ ଦରକାର ? ରାଜୀବା ବାଆଁରେଇ କରି କହୁଥାଏ–ନାଇଁରେ, ଖଣ୍ତଗିରି ଯାଉଥିଲି, ମୁଣ୍ତଟା କାହିଁକି ବୁଲାଇ ଦେଲା । ବସି ଯାଇଚି ଟିକିଏ ।

 

ଘଡ଼ିଏ ଖଣ୍ତେ ଗଲା ଉତ୍ତାରୁ ପିଲାଟିକୁ ପରିସ୍ରା ଦେଖାଇଲା କି କ’ଣ, କାହିଁକି ସେ ଟିକିଏ ଦୋକାନ ବାହାରକୁ ଆଡ଼େଇ ହୋଇଗଲା । ଠିକ୍ ଏତିକିବେଳେ ମଉକା ଦେଖି ରାଜୀବା ଦୋକାନୀର କାଠ ବାକ୍ସ ଅନ୍ଧାରୁଆ କରି ମାରିଆଣିଲା ଯାହା ପାଇଲା । ବାସ୍, ଆଉ ସେ ପିଲାସାଙ୍ଗରେ ତା’ର ଦେଖାହୋଇ ନାହିଁ । ଥୋଡ଼ାବାଟ ଧଇଁସଇଁ ହୋଇ ଦଉଡ଼ି ଆସିବା ପରେ ରାଜୀବା ହାତମୁଠା ଖୋଲି ଅସାଳ ହୋଇ ଚାହିଁଦେଲା ବେଳକୁ ପାଞ୍ଚଟଙ୍କିଆ ନୋଟ୍ ତିନିଖଣ୍ତ ତା’ ଆଖିଆଗରେ ଦିଶିଗଲା । ନିଅ ଆନନ୍ଦ ରାଜୀବାର । ଘଡ଼ିକ ଆଗରୁ ଯେଉଁ ଭଗବାନ ବୋଲି ଗୋଟେ କାଠ, ପଥରକୁ ସେ ରାଗ ତମ ତମ ହୋଇ ମନେ ମନେ କେତେ କ’ଣ ଗାଳିଦେଇ ଯାଉଥିଲା, ତାକୁ ନେଇ ଥୋଇଦେଲା କେତେ ଉପରେ–ଭଗବାନ ମାଲିକ–ଯିସ୍‍କୁ ଦେତା ହୈ, ଛପର ଫାଡ଼୍ କର୍ ଦେତା ହୈ ।

 

ଆଖି ପିଛଡ଼ାକେ ରାଜୀବା ମୁଣ୍ତରେ ଖେଳିଗଲା କେତେ କିସମର ଭାବନା । ଆଜି ଫୁଲି ଆସିଲେ ସବୁଥର ପରି ଯାଚିହୋଇ ସେ ଆଗତୁରା କିଛି କହିବ ନାହିଁ । ଅବଶ୍ୟତ ଫୁଲି ଗୋଳେଇ ପୋଳେଇ ହେବ ! ସେଇଠୁ ରାଜୀବା କହିବ ନାଇଁଲୋ, ତୁ ଆଉ କାହାକୁ ସାଙ୍ଗରେ ନେଇ ଯାଇଥା ଆଜିକ–କାଲିଆଡ଼କୁ ପଛକେ ମୁଁ ଆଉଥରେ ନେଇଯିବି । ମୋ ଦେହଟା କାହିଁକି ଜମାରୁ ସୁଖ ଲାଗୁନାହିଁ । ମନ ହଉଚି ଯାଆନ୍ତି ନାହିଁ । ଯଦି କୌଣସି ପ୍ରକାରେ ତା’ ବୁଢ଼ୀ ମା’ଟା ଘରକୁ ଫେରିଯାଆନ୍ତା, ତେବେ ତ କଚେବାର ଆଜି ରାତିଟା ରାଜୀବାର କଟନ୍ତା ଖଣ୍ତଗିରି ଗୁମ୍ପାରେ ଫୁଲି ସାଥିରେ । ନଖିଆଟା ଛୁଆଟା–ଆଖି ଦେଖେଇଦେଲେ ଶୋଇପଡ଼ନ୍ତା ଥିରିହୋଇ ।

 

ଅସରନ୍ତି ଭାବନା ସେ–ଏତେ କଳଦି ସରୁଛି କୁଆଡ଼ୁ ? ସାମନା ପଟରୁ ଭଁ, ଭଁ ଶୁଭିଲା–ମୋଟର ଗାଡ଼ିଟେ ଆସୁଛି କି କ’ଣ । ରାଜୀବା ଚମକି ପଡ଼ି ଅନାଇ ଦେଲା–ନେଳି ରଙ୍ଗର ମୋଟର ଖଣ୍ତେ ପବନ ବେଗରେ ଉଡ଼ି ଆସୁଛି । କଡ଼ରେ ଘଷି ହୋଇ ଚାଲିଗଲା ବେଳେ ଉଡ଼ା ଚାହାଣିଟେ ପକାଇଦେଇ ରାଜୀବା ଚେତାଶୁଖା ହୋଇ ଠିଆହୋଇ ପଡ଼ିଲା ରାସ୍ତାକଡ଼ରେ । ମୋଟର ଭିତରେ କାହାକୁ ତା’ ସେ ଦେଖିଲା ? ପଛଜଣକ ତ କାନତରାଟିବାବୁ, ତା’ କଡ଼କୁ ଜଗି ବସିଛି ସେ ମାଇପିଟି କିଏ ? ଠିକ୍ ତ ଫୁଲିପରି ଦିଶୁଛି ସେଇମିତି କୁଞ୍ଚିକୁଞ୍ଚିକା ବାଳ, ସେଇମିତି ଚେକା ମୁହଁ–ତାଳୁ ଉପରେ ଆଉ ଓଠତଳକୁ ଦିଓଟି କଳାଚିତା–ଆଉ କ’ଣ ସେ ଫୁଲି !

 

ଟଙ୍କା ପଇସାର ମୋହ ମଣିଷଆଖିରେ ଭେଳିକି ଲଗାଇଦିଏ । ମଣିଷର ନୈତିକ ଜୀବନରେ ତା’ର ଏତେଦୂର ପ୍ରଭାବ, ସେ ମଣିଷକୁ ତା’ର ଗନ୍ତବ୍ୟ ପଥରେ ସୁବିଧାରେ ଚଳିବାକୁ ଦିଏ ନାହିଁ । ଯେଉଁମାନେ ପୁରୁଷାନୁକ୍ରମେ ପଇସାର ଶେଯ ବିଛାଇ ଶୋଇ ଆସୁଛନ୍ତି, ସେମାନଙ୍କ କଥା ନିଆରା । କିନ୍ତୁ ଯେଉଁମାନେ ନିମ୍ନସ୍ତରରେ ଥାଇ ପଇସା ମୋହରେ ଓଟାରିହୋଇ ଆଗକୁ ମାଡ଼ିଚାଲନ୍ତି, ସେମାନଙ୍କ ଆବରଣତଳେ କ୍ରମେ ଜାଗିଉଠେ ନାନା ପ୍ରକାର ଅବିଚାର, ଅସଦାଚରଣ–ମୋଟାମୋଟି କହିବାକୁ ଗଲେ ଗୋଟେ ନିତାନ୍ତ ଜଘନ୍ୟ ପାଶବିକ ପ୍ରବୃତ୍ତି । ତାଙ୍କ ନିକଟରେ ପଇସା ତୁଳନାରେ ପାରିବାରିକ ମାୟା-ମମତା ହୋଇଯାଏ ଅତି ନଗଣ୍ୟ–ଏପରିକି ବାପ ମା’ ପର୍ଯ୍ୟନ୍ତ ବି ପଛରେ ପଡ଼ି ରହନ୍ତି ଅବହେଳାରେ, ଘୃଣାରେ । ମଣିଷଟା ଆଖି ଥାଉଁ ଥାଉଁ ପାଲଟେ ଗୋଟେ ନିପଟ ଅନ୍ଧ ।

 

ନିତି ମୂଲଲଗାରେ ଚଳୁଥିଲା ଫୁଲି ମୂଲିଆଣୀର ସଂସାର । ତିନି ତିନୋଟି ପ୍ରାଣୀ ସାଗଠୁଁ, ଭାତଠୁଁ ସବୁ ସେଇ ଫୁଲିର ମୂଲ ମଜୁରୀରେ କିଣି ପେଟ ପୋଷୁଥିଲେ । ଜଳଜଳା ବୟସଟାର ଉତ୍ପାତ ସହିନପାରି ଫୁଲିର ମନ ଭିତରେ ଭିତରେ ଝୁରିହେଲା ସଉକ ଅରଜିବାକୁ । ସେତିକିବେଳେ କୁହୁଳା ନିଆଁଟିକ ଫୁଙ୍କି ଫାଙ୍କ ଜଳାଇଦେଲା ରାଜୀବା । ଫୁଲି ଆଗରେ ଛୁଟାଇଦେଲା ଝାଳବୁହା ପଇସାର ସୁଅ । ଯୌବନର ଖସଡ଼ାପଥରେ ଫୁଲି ଆଗେଇ ଚାଲିଲା ପଇସାର ସୁଅ ତୋଡ଼ରେ । ଯେଉଁ ସୁଅର ଜନ୍ମ ଛୋଟିଆ ପାହାଡ଼ ନାସିରୁ, ସେ ଅବା କେତେବାଟ ବହି ଯାଇପାରିବ ? ସେମିତିଆ ସୁଅ ପଛରେ ଧାଇଁ ଭାସି ଶିଖିଛି ଯେ, ସୁଅର ଧାରଟିକ ଶୁଖିଗଲେ ତା’ର ଅବସ୍ଥା ଯାହାହେବ, ଫୁଲିର ଅବସ୍ଥା ଠିକ୍ ସେହିପରି ହୋଇଗଲା । ଫୁଲିକି ଆଗପରି ପଇସାର ସୁଅମୁହଁରେ ଭସାଇନେବାକୁ ରାଜୀବା ହାତରେ ଆଉ ପାଣ୍ଠି ନାହିଁ । ଯେତେହେଲେ ମୂଲିଆ ମୁଣ୍ତଟେ ସିଏ, ତା’ ପାଖରେ ଏତେ ପଇସା ବା ଆସିବ କୁଆଡ଼ୁ ?

 

ଗୋଦରୀକୁ ଶ୍ରୀମତୀ କହିଲେ ସେ ଗୋଡ଼ ବୁଲାଇ ବୁଲାଇ ପକାଏ । ଫୁଲି ସୁନ୍ଦର ଦିଶୁ ନ ଦିଶୁ, ରାଜୀବାର ଆଦର ଆଉ ପ୍ରଶଂସାରେ ତା’ ମନରେ ଉଦୟ ହେଲା ଗୋଟେ ରୂପଗର୍ବ । ସେହି ଗର୍ବ ଦି’ଗୁଣ ତେଜିଉଠିଲା, ରାଜୀବା ଯେତେବେଳେ ଅଯାଚିତ ଭାବରେ ଯୋଗାଇଦେଲା ପ୍ରସାଧନର ସାମଗ୍ରୀ । ଭଳିକି ଭଳି ପତଳା ମିଲ୍ ଶାଢ଼ୀ, ବାସନା ତେଲ, ବାସନା ସାବୁନ୍ । ଫୁଲିର ମନବଗିଚାରେ ହସିଉଠିଲା ସୌଖିନ ଆଶାକଳି ପାଖୁଡ଼ା ପସାରି । ଜୀବନଟାକୁ ସରସ ସୁନ୍ଦର କରି ଉପଭୋଗ କରିବାକୁ ତା’ ପ୍ରାଣରେ ଚେତି ଉଠିଲା କେତେ ନୂଆ ନୂଆ ଭାବନା । ଅବାଧ, ଅବିଚ୍ଛିନ୍ନ ଭାବରେ ସୁଖ ସମ୍ଭୋଗ ଲାଭ କରିବାର ସୁଯୋଗ ଯାହାକୁ ମିଳେ, ତା’ ର ଜୀବନ ଇତିହାସର ଗୋଟେ ନୂଆପୃଷ୍ଠା ଖୋଲା ହୋଇଯାଏ । ଆଶୀତୀତ ଭାବରେ ଦେଖାଦିଏ ପରିବର୍ତ୍ତନ-। ଫୁଲି କାମଛାଡ଼ିଲା, ଦାମଛାଡ଼ିଲା, ବାଧା ନାହିଁ, ବନ୍ଧନ ନାହିଁ, ହାନି ଲାଭ, ଭଲ ମନ୍ଦରେ ପଦେ କହିବାକୁ ଦୋଷଗୁଣ ବାଛିବାକୁ କେହି ନାହିଁ । ଡାଳୁଅ ଯୋଗୁଁ କାନଶିରୀ ପାଣି ପାଇଲାପରି ଝିଅଥିଲାକୁ ମା’ ବୁଢ଼ୀ ଆଉ ନଖିଆ ଦିହେଁ ନ ଖାଇଲା ଦରବ ଚାଖିଲେ, ନ ଦେଖିଲା କଥା ଦେଖିଲେ । ମା’ ବୁଢ଼ୀ ବୁଝିଲା ଏକା ଫୁଲି ଥିଲେ ତିନି ତିନିଟା ପୋଷିଲା ପୁଅ ସାଙ୍ଗେ ସରି-। ପଇସାକ ଯାଗାରେ ଦି ପଇସା ଖର୍ଚ୍ଚ କଲେ ପୁଲିକି କହିବାକୁ ସାହାସ କଲାନାଇଁ ତା’ ମା’-। ପରନେଣ, ପରଦେଶ କୁଆଡ଼ୁ ଆସେ ଯାଏ କୁଆଡ଼େ ?

 

ରାଜୀବାର କ୍ଷୁଦ୍ର ମସ୍ତିଷ୍କ ଏତେ ବଡ଼ ବିରାଟ ଭାବର ଆଧାର ହେବାକୁ ସକ୍ଷମ ହେଲା ନାହିଁ । ସେ ବୁଝିପାରିଲା ନାହିଁ ଯେ ଯେଉଁ ସୌନ୍ଦର୍ଯ୍ୟ ଦର୍ଶନରେ ଦୁନିଆ ପାଗଳ ହୁଏ, ଯେଉଁ ବିମୋହିନୀ ରୂପର ନିଆଁରେ ଝାସ ଦେବାକୁ ବୁଭୁକ୍ଷୁ ଜନତା କୀଟପତଙ୍ଗ ପରି ଦିଗ-ବିଦିଗ ଜ୍ଞାନଶୂନ୍ୟ ହୋଇ ଛୁଟେ, ସେ ସୌନ୍ଦର୍ଯ୍ୟର ବି କଟୁ-ଅଭିଶାପ ଅଛି; ସେ ରୂପର ବି ଅବସାନ ଅଛି-। ଚିରଦିନ ଯେ ଦୁଃଖୀ, ଦୁଃଖହିଁ ତା’ର ସୁଖ । ତା’ ନିକଟରେ କୋଟିପତିର ସୁଖ ଅତି ତୁଚ୍ଛ ମନେ ହୁଏ । ସେ ସୁଖ ଦୁଃଖୀର ଇପ୍ସିତ ନୁହେଁ । ତେଣୁ ସେ ତାରି ଦୁଃଖର ଜୀବନ ଭିତରେ ପାଏ ସୁଖ–ସଂସାରର ଚିପୁଡ଼ାରସ । ତାରି ପଲାକୁଡ଼ିଆ ଆଗର ଅନାବନା ଘାସଫୁଲ କେତେଟା ବାଢ଼ିଦିଏ ସ୍ଵର୍ଗର ନନ୍ଦନକାନନ ପାରିଜାତର ସୁଷମା । ଧନୀକର ମନଗଢ଼ା ସୁଖ ଚିରଦିନିଆ ନୁହେଁ-। ଦୁଃଖୀ ଯଦି ସେପରି ସୁଖର ପଶ୍ଚଦ୍ଧାବନ କରେ, ତେବେ ପାଇବ କ’ଣ–ଅପମୃତ୍ୟୁ । କାରଣ ସେ ସୁଖ ପ୍ରକୃତ ସୁଖ ନୁହେଁ । ପ୍ରକୃତ ସୁଖ ଥାଏ ଦୁଃଖର ଆଧାରରେ ।

 

ପାହାଡ଼ ନାସିର ଛୋଟିଆ ପାଣିଧାର ପରି ରାଜୀବାର ଧନ ଶେଷ ପାଇଗଲା । ତା’ ସାଙ୍ଗକୁ ତା’ର ମନର ଭୋକଟିକ ମରି ଯାଇଥିଲେ ଅବା ସେ ମୁକ୍ତି ପାଇଥାନ୍ତା । ସୁନେଇର ନିଃସଙ୍ଗ ଜୀବନର ହାହାକାର ରାଜୀବାର ବିଦେଶୀ ଜୀବନରେ ଜାଳିଦେଲା ଶେଷ ପ୍ରଳଙ୍କରୀ ହା ହୁତାଶ । କ’ଣ ନ କରିଛି ରାଜୀବା ? ବିଗତ ମାସ ମାସ ଧରି ତା’ର ହାଡ଼ଭଙ୍ଗା ପରିଶ୍ରମର ମୁଲକୁ ସେ ଫୁଲିର ରୂପଯଜ୍ଞରେ ତିଳ ତିଳ କରି ଆହୂତି ଢ଼ାଳି ଦେଇଛି । ସୁନେଇର ହଜାର ଆଶା, ଆକାଂକ୍ଷା, ଅନୁରୋଧକୁ ସେ ରାସ୍ତା ଘାଟର ଜନ୍ଦାପିମ୍ପୁଡ଼ି ପରି ପାଦରେ ମାଡ଼ି ଦଳିଦେଇଛି । ବଣପାହାଡ଼ ଘେରା ଭେଟନଈ ଗାଁ ତଳର ସବୁଜ ଶ୍ୟାମଳିମା ଉପରେ ଗୋଟେ କଳାପରଦା ଢାଙ୍କି ତା ମନ ବେଦରେ ଉଭା ହୋଇଛି ଫୁଲି ମୂଲିଆଣ । କପିଳେଶ୍ଵର ଗାଁ ବାଲିଆଭୂଇଁର ଗୋଟେ ଲଙ୍ଗୁଳୀ ଝିଅ, ଯେଉଁଠି ଲୋକେ ଚାରିଓଳିରେ ଓଳିଏ ପେଟ ପୂରାଇ ଖାଇବାକୁ ନ ପାଆନ୍ତୁ ପଛକେ ରୂପର ପ୍ରସାଧନକୁ ଜଗିଥାଆନ୍ତି ଜୀବନଧନ କରି ।

 

ରାଜୀବାର ମନେ ପଡ଼ିଗଲା କାଲିର ସଞ୍ଜ ପହର କଥା । ସାତ ଆଠ ଦିନ ପରେ ରାଣନିୟମ ପକାଇଲାରୁ ଫୁଲି ଆସିଥିଲା କାମକୁ । ରାଜୀବାର ରାଣ ନିୟମର ମୂଲ୍ୟ ଫୁଲି ବୁଝିଛି-। ଏତିକିରେ ଅନ୍ତର ତା’ର ଭରିଗଲା ବିଜୟ ଗର୍ବରେ । କିନ୍ତୁ ଫୁଲି ତ ସେଥିଲାଗି ଆସି ନଥିଲା-। ସେ ଆସିଥିଲା ଭିନ୍ନ ଉଦ୍ଦେଶ୍ୟରେ । ଅସଲ କଥା ଫୁଲି ହାତରୁ ପାଣ୍ଠି ଶେଷ । ବାସନା ସାବୁନ୍ ସରିଗଲାଣି । ବେଣୀ ପାରିବାକୁ ନାଲିଆ ଫିତା ଦରକାର । ରାତି ପାହିଲେ ହେବ ଖଣ୍ତଗିରି ମେଳା-। କ’ଣ ନେଇ ସେ ମେଳା ବଜାରରେ ତା’ ରୂପର ବାସ ଚହଟାଇବ ? ଭୁବନେଶ୍ଵର ମନ୍ଦିର ପାଖରେ ଭଡ଼ାଟିଆ ଘରେ ଯେଉଁ ବଙ୍ଗାଳୁଣୀଟି ଥାଏ, ତା’ ସାଙ୍ଗରେ ନିଜକୁ ସରିସମ କରିବ-? ଯେନତେନ ପ୍ରକାରେଣ ସେ ଦିନର କାମକୁ ରଠ କରି ସାରିଦେଇ ସେ ରାଜୀବାକୁ ସାଙ୍ଗକରି ପଳାଇଆସିଲା । ରାଜୀବାଇ, ସବୁବେଳେ ତୁ ସେ ପଲାଟା ଭିତରେ ବସି କ’ଣ ଏତେ ଭାଉଜ କଥା ଭାବୁଛୁ ? ମନେ ଅଛି ନା, ରାତି ପାହିଲେ ଖଣ୍ତଗିରି ମେଳା । ମତେ କ’ଣ ଦେଖେଇ ନବୁନାଇଁ କି ?

 

ଏଥିରେ ରାଜୀବାର ଅନ୍ତର ଶିହରି ଉଠିଥାନ୍ତା ପୁଲକରେ, ଉଠିଥିଲା ମଧ୍ୟ । କିନ୍ତୁ ସେ ଶିହରଣ ବଦଳିଗଲା ଆଉ ଗୋଟେ ପ୍ରକାରେ । ଯେଉଁଥି ସକାଶ ରାଜୀବା ପ୍ରମାଦ ଗଣୁଥିଲା, ଠିକ୍ ସେହି କଥା, ସେହି ଭାବନା ଚେତାଇ ଫୁଲି ମୁହଁରୁ ବାହାରିଲା ଅବାରଣ, ଅନର୍ଗଳ । ତୋ ଉପରେ ମୁହଁ ଭାରି କରିଛିରେ ମୋ ମା’ । ଆଜି କାମକୁ ଆଇଲାବେଳେ କହୁଚି–ଆଲୋ ଫୁଲି, ତୋ’ ସେ ରାଜୀବା’ଇକି ଥରେ କଳା କି ଗୋରା ଦେଖେଇଲୁ ନାହିଁ ? କାଇଁ ମ, କି ଭାଇ କରିଚୁ ଲୋ ? ଆଜି କହିବୁ ନା ତାକୁ ମତେ ଟିକିଏ ଖଣ୍ତଗିରି ମେଳା ଦେଖେଇ ଆଣନ୍ତା । ବୁଢ଼ୀ ଲୋକ, ଏତେଗୁଡ଼େ ବାଟ କ’ଣ ପାଦରେ ଚାଲି ଯାଇପାରିବି ? ମତେ ବୁଢ଼ୀଟା ଉପରେ ଭାରି ରାଗ ଲାଗିଲା । ଅନାମ, ବୁଢ଼ୀଟାର କି ସୁଆଗ । ନିଜେ ମୋ ମୁଣ୍ତରେ ବେଣୀ ପାରିବାକୁ ଖଣ୍ତେ ନାଲିଆ ଫିତା ନାହିଁ । ଏଣେ ପୁଣି କ’ଣ ହେଇଚି, ନା–ଦିନକଠୁଁ ସାବିନି ସରିଗଲାଣି ଯେ ପୁଣି ଖଣ୍ତେ କିମିତି ଆଣିବି, ମତେ ଚିନ୍ତା ପଡ଼ିଚି, ସେଥେରେ ପୁଣି ବୁଢ଼ୀଟାର ଶୁଖିଲା ସୁଆଗ । କହିଲି ମଲା ମୋର, ସୁଆଗୀ ବୁଢ଼ୀ, ଏଦିନେ ବି ଏମିତି ଛୋପରା ହୋଇ ଆସେଲୋ ତତେ ? ମନଟା ଖଟା ଲାଗିଲା, ପଳେଇ ଆସିଲି କାମକୁ ।

 

ରାଜୀବା ମୁଣ୍ତରେ କାମୁଡ଼ି ଦେଲା ତେନ୍ତୁଳିଆ ବିଛା । ସେଦିନ ଡାକଘରୁ ଖଣ୍ତେ ଚିଠି ପାଇଥାଏ ରାଜୀବା । ଗାଁରୁ ଆସିଥାଏ । ଲେଖିଥାଏ ନିଜେ ଅରକ୍ଷିତିଆ । ଚିଠି ଗୋଟାକଯାକ ପଢ଼ିନାହିଁ ସେ । ମଝିରେ ମଝିରେ ଯାହା କେଉଁଠି କିମିତି ଆଖି ପଡ଼ିଯାଇଛି, ସେତିକି । ଠାଆକେ ଲେଖା ହୋଇଛି–ସୁନେଇ ମଲା ମୁହଁରେ ପଡ଼ିଛି । ପାଟିକି ପାଣି ଟୋପେ ବି ଯାଉନାହିଁ । ଆଗରେ ଛୁତିକିଆ ହେବ । ଚିଠି ପାଇଲାମାତ୍ରେ ବସିଲା ଥାନରୁ ଉଠି ଆସିବୁ… । ଗାଁର ଚିଠିଗୁଡ଼ାକ ବାଘଭାଲୁ ପରି ରାଜୀବାକୁ ଡରାନ୍ତି । ସେ ଡରି ଗଲାଣି । ବେଶୀ ଡର, କାଳେ କେଉଁଦିନ ଚିଠିଖଣ୍ତେ ସୁନେଇ ଜୀବନର ସପନଭଙ୍ଗା ଖବର ଆଣି ପହଞ୍ଚିଯାଏ !

 

ଏତିକି ବେଳେ ଫୁଲି ଖୋଲି ବସିଲା ତା’ ଭାଗବତରୁ ଅଧ୍ୟାୟେ । ଯେଉଁଠି ବାଘର ଭୟ, ସେଇଠି ହେଲା ଅନ୍ଧାର ରାତି କିଏ କ’ଣ କରିବ ? ଫୁଲିକି ମାଣ୍ତିଆ ଜାଉ ଖୁଆଇଛି ନିଜେ ରାଜୀବା । ଭୋକିଲା ଥିଲା ଫୁଲି । ସେକି ଜାଣେ ଥଣ୍ତା ଗରମ । ଖୁଆଇବା ଲୋକ ସିନା ସେତକ ଜଗି ଥାଆନ୍ତା, ଭାବି ଥାଆନ୍ତା । ଆରେ, ଗରମ ଜାଉ ଡହଡହ କରି ଖାଇ ଦେଲେ ପେଟ ଖୋଳି ଝାଡ଼ା ହେବ । ଫୁଲି ପାଞ୍ଚ ମାଗିଲେ ରାଜୀବା ବଢ଼ାଇଦିଏ ପଚିଶ । ଏବେ ଫୁଲିକି ଝାଡ଼ା ବେମାରି ଧରିଛି । ରାଜୀବା ସେ କଥା ସମ୍ଭାଳବ ନାହିଁ ତ ଆଉ ସମ୍ଭାଳିବ କିଏ ? ରାଜୀବା ଓଷଦ କାଟୁ ନ କଲେ ଫୁଲି ଚାଲିବ ଅନ୍ୟ ବଇଦଖୋଜି । ଏଥିରେ ସନ୍ଦେହ କ’ଣ ଅଛି ?

 

କାଣ୍ଟି କୁଣ୍ଟି ହିସାବ କରି ରାଜୀବା ଦେଖିଲା ନିହାତି ଟଙ୍କା ପାଞ୍ଚୋଟି ନ ହେଲେ ନାମ ଚଳିବ ନାହିଁ । ପେଡ଼ି ପେଟରା ଝଡାଝଡ଼ି କଲେ କେଜାଣି ଅବା ମିଳିଯିବ ଭାବି, ରାଜୀବା ଫୁଲିକି ଜବାବ ଦେଲା–ଫୁଲି ତୁ ଇମିତି ଲୋ ସତେ ? ଆଲୋ, କୋଉ ଭାଉଜ କଥା ଭାବୁଚି ମୁଁ ? କହିଲାମିତି, ମୁଁ ମରୁଥାଏଁ ତୋରି ପାଇଁ, ତୋର ଟିକିଏ ଶରଧା ନାହିଁ । ଏ ସଞ୍ଜବେଳଟାରେ ପଇସା ପତ୍ର କ’ଣ ଦେବି, ତୁ ଯାଆ କି କାଲି ସକାଳୁ ଝଅଟ କାମସାରି, ତୋ ବୁଢ଼ୀମା ଆଉ ନଖିଆ, ୟାଙ୍କୁ ସାଙ୍ଗରେ ଧରି ଏଇ ମୋ ପଲା କତିକି ବାହାରି ଆସିବୁ ଯେ, ଗୋଟେ ବଳଦ ଗାଡ଼ି ଭଡ଼ା କରି ଖଣ୍ତଗିରି ଯିବା । ସେଇଠି ତୋ ପାଇଁ ସାବିନି ଆଉ ଫିତା କିଣି ଦେବି । ସତେଲୋ, ନାଲି ଫିତା ଖଣ୍ତେ ତୋ ମୁଣ୍ତକୁ ଭାରି ମନେଇବ ।

 

ଉଇଁ ଆସୁଥିବା ବରଷିଲା ମେଘ ପବନ ଧକ୍କାରେ ଫେରିଗଲା ଭଳି ଫୁଲିର ମନଟି ଝାଉଁଳି ପଡ଼ିଲା ଭିତରେ । ମୁହଁ ପଡ଼ିଗଲା ଫିକା । ମଲା, କାଲି କ’ଣ ମିଳନ୍ତା ନାହିଁକି ? ଆଜି ଖଣ୍ତେ ଫିତା କିଣିଥିଲେ କାଲି ତାକୁ ମୁଣ୍ତରେ ବାନ୍ଧି ମେଳା ଦେଖିଯିବାକୁ କହୁଥିଲି ନା !

 

ରାଜୀବାର ମନ ହେଉଥାଏ ଫୁଲିର ସେଇ ଗୋଲଗାଲ ଦେହଟିକୁ ଦୁଇ ହାତରେ ଜାବୁଡ଼ି ଧରି କହନ୍ତା–ଛିଃ, ମୋ ସୁନାଟା, ଫୁଲି ତୁ ସିମିତି ମୁହଁ ଓହଳେଇବୁ ନାଇଁଟି ଲୋ । ଫୁଲିର ଗାଲଟି ଠିକ୍ ରହିଯାଇଥାନ୍ତା ରାଜୀବାର ଓଠ ପାଖରେ । ଶତ ସୁନେଇଙ୍କୁ ପଦାଘାତ କରି ସେ ଗଡ଼ନ୍ତା ତା’ର ଆଉ ଗୋଟିଏ ନିଖୁଣ ସୁନେଲି ଦୁନିଆ !

 

ଏଡ଼େ ସୁନ୍ଦର ଚମ୍ପାଫୁଲ ଭିତରେ ଏପରି ଉତ୍କଟ କୀଟ ଅଛି ବୋଲି କିଏ ଜାଣିଥିଲା ?

 

ଗୋବିନ୍ଦା ଫୁଲିକି ଆପଣାର କରିବାକୁ ଅନେକ ପ୍ରକାର ଚେଷ୍ଟା କରି କରି ଥକିଲା ତଥାପି ଫୁଲି ତା’ ପାଲରେ ପଡ଼ିଲା ନାହିଁ । ଶେଷକୁ ତାକୁ ଗୋଟେ ବୁଦ୍ଧି ଦିଶିଲା–କାନତରାଟି ବାବୁକୁ ପଟାପଟି କରି କୌଣସି ପ୍ରକାରେ ମନାଇପାରିଲେ ଫୁଲି ହୁଅନ୍ତା ତା’ର । ରାଜୀବାଟା କାନତରାଟି ବାବୁ ପାଖରୁ ବଳେ ବଳେ ଛିଡ଼ି ବୋକଚା ବାନ୍ଧି ଏଠୁ ପଳାନ୍ତା । କିଛି ନ ହେଲେ ରାଜୀବା କେଞ୍ଚାଏ ପାଆନ୍ତା ତ । ଏଇ କଥା ମନେରଖି ଗୋବିନ୍ଦା ଓର ଉଣ୍ତି ତା’ ସଜରେ ଥାଏ । ଠିକ୍ ସେଇଦିନ କେଜାଣି କିମିତି କାନତରାଟି ବାବୁ ଗୋବିନ୍ଦାକୁ ମଜୁରୀ ଦେଲାବେଳେ ଏକୁଟିଆ ଦେଖି ପଚାରିଲେ–ହଇରେ ଗୋବିନ୍ଦ, ଫୁଲି ଘରକୁ ଗଲାଣି ନା ଅଛି ? ଟିକିଏ ତାକୁ କହନ୍ତୁ ଆଜିକ ଆମ ବସାରେ କାମଦାମ କ’ଣ ଟିକେ କରିଦେଇ ଯାଆନ୍ତା ।

 

ହଜିଲା ବଳଦ ଖୋଜିଲା ଠାଇଁ, ଗୋବିନ୍ଦା ମଉକା ଦେଖି କହିଲା–ବାବୁ, କ’ଣ ଗୋଟେ ଦରମା କରିଦେଲେ ଫୁଲି କହୁଥିଲା, ତମ ବସାରେ ସବୁଦିନେ କାମ କରନ୍ତା, ବିଚାରୀ ଗରିବ ଲୋକ । ନିଜେ ନ ଖଟିଲେ, ନ କଲେ ଗୁଜରାଣ ଚଳୁନାହିଁ । ଠିକା ମୂଲ ମଜୁରୀ ନିଅଣ୍ଟିଆ ହଉଚି ।

 

କେତେ ଦେଲେ ଚଳିବରେ ? କାନତରାଟି ବାବୁ ରଙ୍କରେ ଚଙ୍କ ପଡ଼ିଲା ପରି ପଚାରିଲେ ।

 

ତମେ ସେ କଥା ବୁଝି ବିଚାରି କହିବ ନା–ଗୋବିନ୍ଦା କହିଲା ।

 

ଆଚ୍ଛା, ପରବାୟ ନାହିଁ । ସେ ଯେତେବେଳେ ଯାହା ମାଗିବ, ଦିଆଯିବ । ତୁ ଯା ତାକୁ ଡ଼ାକି ଆଣିବୁ ।

 

ରୂପରାଗର ଭରା ପସରା ଭିତରେ ଚହଲା ଅଭିମାନରୁ ଚଳାଏ ପକାଏ ଫୁଲି ଚାଲିଥାଏ ଏକା । ରେଳବନ୍ଧରୁ ତଳକୁ ଗଡ଼ିଗଲା ବେଳକୁ ପଛରୁ ଡାକ ଶୁଣି ଅନାଇଦେଲା ସେ । ଗୋବିନ୍ଦା ଛୁଟିଛି ଧଇଁସଇଁ ହୋଇ ।

 

କଅଣ କିରେ ଗୋବିନ୍ଦାଇ ? ଏମିତି ଅଣନିଶ୍ଵାସିଆ ଧାଇଁଚୁ କାଇଁକି ?

 

ଗୋବିନ୍ଦା ଦମ୍ ନେଇ କହିଲା–ତୋରି ପାଇଁ ଲୋ, ତୁ ସିନା ଆଡ଼ ଆଖିରେ ଚାହୁଁନୁ, ହେଲେ ମୋ ମନରେ ସେଥିଲାଗି ରାଗ ଅହନ୍ତା ନାହିଁ । ଆଲୋ, କାନତରାଟି ବାବୁ ତତେ ଭାରି ଜିଗର କରି କହିଚନ୍ତି ଯିବାକୁ । ତାଙ୍କର କ’ଣ ଇମିତି ଗରଜ ପଡ଼ିଚି କେଜାଣି, କହିଲେ ଶହେଟଙ୍କା ପଡ଼ିଲେ ପଛେ ଦେବି, ତୁ ଟିକିଏ ଯାଆନି ଗୋବିନ୍ଦା, ଫୁଲିକି ଏଇଲାଗେ ଡାକି ଆଣିବୁ । ମୁଁ ତ ସେଇଠୁ ଧାଇଁଚି ।

 

ଫୁଲିର ଅଭିମାନଭରା ମନ ଶହେଟଙ୍କାର ମୋହ ଏଡ଼ିପାରିଲା ନାହିଁ । ଜାତି, ଧର୍ମ, ମାନ, ଅପମାନ–ଏ ସବୁରେ ଜଳାଞ୍ଜଳି ଦେଇ ପୋଷା ବିରାଡ଼ି ପରି ସେ ଗୋବିନ୍ଦାର ଅନୁସରଣ କଲା, କାନତରାଟି ବାବୁଙ୍କର ସାହାଯ୍ୟ ସହାନୁଭୂତି ଆଶାରେ । ଏ କଥା ରାଜୀବାର ଅଜଣା ରହିଗଲା ।

 

ସେଦିନ କାନତରାଟି ବାବୁଙ୍କର ପିଲାଏ ନଥାନ୍ତି ବସାରେ । ଗୋବିନ୍ଦା ଫୁଲିକୁ ସାଥିରେ ନେଇ ପହଞ୍ଚାଇଦେଲା ସେଠି । ସୁବର୍ଣ୍ଣ ସୁଯୋଗ ମିଳିଗଲା ବାବୁଙ୍କୁ । ଫୁଲିର ଉପସ୍ଥିତିରେ ବିହଳ ହୋଇ କାନତରାଟି ବାବୁ ଖାଲି କରିଦେଇଥିଲେ ଗୋଟା ଗୋଟା ବୋତଲ । ସେ ଦିନକାର ରାତିଟି ତାତି ଉଠିଥିଲା ନୁଆ ରାଜଧାନୀର ଛାତି ଉପରେ ଦୁଇଟି ଜୀବନ ରଙ୍ଗଭୂମିର ରଙ୍ଗିନ୍ ପଟ୍ଟ ପରିବର୍ତ୍ତନ କରି । ବାବୁଙ୍କ ଘରଜଗା ବାହାନା ଦେଇ ବିଚରା ଗୋବିନ୍ଦାଟା ରାତି ଗୋଟାକ ଯାକ ଫୁଙ୍ଗୁଳା ଦେହରେ ପଡ଼ି ରହିଥିଲା ଦାଣ୍ତପଟ ବାରଣ୍ତାରେ ।

 

କେତେ ହର୍ଷ ବିଷାଦର ଉଠାପଡ଼ା ଘଟଣା ବୁକୁରେ ଧରି ସେଦିନ ରାତିଟି ଅପସରି ଗଲା ଧରଣୀପୃଷ୍ଠରୁ । ରଖିଗଲା ଗୋଟେ ଗୋଟେ ଦାଗ ଅଙ୍ଗେ ନିଭେଇଲା ଲୋକଙ୍କ ମନରେ । ଫୁଲିର କଅଁଳ ତନୁପଲ୍ଲବ ଦୋହଲାଇ ବହିଗଲା ଏକ ଯୌବନର ଝଡ଼ । ରାଜୀବାର ଝାଳବୁହା ଧନରେ ପରିପୁଷ୍ଟ ଜଣକର ଅଙ୍ଗ ଲାଗିଗଲା ଧନୀକ ପୁଞ୍ଜିପତିର କାମରେ । ଏଇତ ଦୁନିଆର ଚାଲ ! ଲୋକ ଚାକଚକ୍ୟରେ ଭୁଲି ସବୁ ଦିନିଆକୁ ଆଡ଼େଇ ଦିଏ; ଦିନିକିଆକୁ ଆହରି ନିଏ । ଏ ସବୁ କେବଳ ପଇସାର କରାମତି । ପଇସାର ପାଦତଳେ ଖୁବ ଶକ୍ତିଶାଳୀ ସାମ୍ରାଜ୍ୟ, ଶାସନ ବି ମୁଣ୍ତ ନୁଆଁଏ କାଳେ କାଳେ ।

 

ସକାଳ ହେବା ମାତ୍ରେ କାନତରାଟି ବାବୁଙ୍କର ବରାଦ ଚାଲିଲା ଗୋଟିକ ପରେ ଗୋଟିଏ । କୁଲୀ ମଜୁରୀଆଙ୍କର ପେଟକଟା ଧନ ବିନାସୁଧରେ ଲଗାଣ ହୋଇଗଲା ଭୁବନେଶ୍ଵରର କେତେ ମନୋହାରୀ ଦୋକାନରେ, ଶାଢ଼ୀ ଦୋକାନରେ । ମୋଟର ଗାଡ଼ି ଖଣ୍ଡେ ଅଚଳ ହୋଇପଡ଼ିଥିଲା କେତେଦିନରୁ, ସେ ଖଣ୍ତ ବି ମରାମତି ହୋଇଗଲା । ଅଳପର ଲୋକ ଫୁଲି ମୂଲିଆଣୀ ଆଶାର ବନ୍ଧପରେ ବନ୍ଧ ଟପିଉଠିଲା କେଜାଣି କେତେ ଉଚ୍ଚକୁ–ଯେଉଁଠି ଠିଆ ହୋଇ ତଳକୁ ଚାହିଁଲେ ଏତେବଡ଼ ଧରାଟା ଗୋଟିଏ ସରାପରି ଦିଶେ । ଜୀବନଟା ଧୂଆଁବାଣ ହୋଇଉଡ଼ିଯାଏ ଗୋଟେ ଫୁକାରରେ । ମୁହୂର୍ତ୍ତକର ମୋହରେ ପଡ଼ି ସେ ବୁଝିପାରିଲା ନାହିଁ ଯେ ସେତେ ଉଚ୍ଚରୁ ଯେବେ ଛିଡ଼ିକି ପଡ଼େ ତେବେ ପରିଣାମ କ’ଣ ହେବ । ରାଜୀବାର ସୁଖର ସଂସାରରେ ସେ ଏଇ ଯେଉଁ ନିଆଁ ଲଗାଇଦେଲା, ସେଥିରେ ରାଜୀବା ପୋଡ଼ି ମରିବ ନାହିଁ ଯେ ପୋଡ଼ିବ ଏକା ସେଇ ଫୁଲି ।

 

ସେ ଦିନ ରାତିଟା ଯାକ ରାଜୀବାର ଖାଲି ସପନ ଦେଖାରେ କଟିଥାଏ କି କ’ଣ ଯେ କୁଆ କା କଲାମାତ୍ରେ ସେ ବିଛଣାରୁ ଭୂତଙ୍କ ପରି ଉଠିବସି ଟଙ୍କା ପାଞ୍ଚୋଟି ଖୋଜିବାରେ ଲାଗିଗଲା ବେଳେବେଳେ ଲୋକଙ୍କୁ ତାଙ୍କ ପ୍ରିୟଜନଙ୍କ ଅପେକ୍ଷା ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତିର ମମତା ବେଶୀ ଲାଗେ । ଟଙ୍କା କେତୋଟି ପାଇଁ ରାଜୀବା ଚୋରି କଲା, ହାତ ସଫେଇ କଲା, ଯାହା କରିବ ବୋଲି ସେ ଭୁଲରେ କେବେ ଦିନେ କଳ୍ପନା କରିନଥିଲା । ସେ ପରି କାମ କଲା–ତେବେ ?

 

ତେବେ ? ତେବେ–ଏ କ’ଣ, ସେଇ ଫୁଲି ! ରାଜୀବାର ଆଖି ଫାଡ଼ି ହୋଇଗଲା । ସେ ପାଞ୍ଚଟଙ୍କିଆ ନୋଟ ତିନିଖଣ୍ତ ହାତ ମୁଠାରେ ଜାବୁଡ଼ି ଧରି ଚାହିଁଗଲା ଚାରିଆଡ଼କୁ ପରସ୍ତେ । ତା’ ଚାରି ପାଖରେ ଚଳମାନ ଜନତା ମୁଖର, ଚଞ୍ଚଳ, ହୋଇ ଉଠିଛି ଆପଣାର ସ୍ଵାର୍ଥିସିଦ୍ଧି ପନ୍ଥାରେ । ବାପ ପୁଅକୁ ଆଦର କରୁଛି ଜୀବନର ଶେଷକାଳରେ ପୁଅଠାରୁ ସେତକ ସୁଧ ସମେତ ଆଦାୟ କରିବା ପାଇଁ, ଭାଇ ଭାଇକି ଖୋଜୁଛି ଆପଣାର ଅଭାବ ମୋଚନ କରିବା ପାଇଁ, ସ୍ଵାମୀ ସ୍ତ୍ରୀର ମନନେଉଛି ଠିକ୍ ଦେଢ଼ା ଦରରେ ସେତକ ସ୍ତ୍ରୀଠାରୁ ଅସୁଲ କରିବା ପାଇଁ । କେବଳ ଏକା ସେଇ ଜଣେ, ରାଜୀବା, ଯେ କି ହରାଇଛି ଦୁନିଆର ତା’ର ବୋଲି ଯାହାକିଛି ସବୁ । ଆଜି ସେ କାଙ୍ଗାଳ, ସର୍ବହରାଙ୍କ ପରି ଦାଣ୍ତ ମଝିରେ ଠିଆ ହୋଇ ଖୋଜୁଛି ନିଜକୁ । ଭେଟନଈର ସେଇ ବର୍ଷକ ଆଗର ରାଜୀବ ପାତ୍ରକୁ । ଆଖି ଆଗରେ ଦିଶି ଯାଉଛି ସୁନେଇ–ଆଖିରେ ତା’ର ଜମାଟ ବନ୍ଧା ଲୁହଧାର, ଚିଠି ପରେ ଚିଠି ଲେଖି ଚାଲିଛି । କିନ୍ତୁ ସବୁ ବୃଥା । ରାଜୀବାର ଗଣ୍ତିଖଟା ଅର୍ଜନରେ ତିଆରି ବିଳାସର ସୌଧ ଉପରେ ଠିଆ ହୋଇ ଫୁଲି ମୂଲିଆଣୀ ବିଛାଇ ଦେଇଛି ଭାନୁମତୀର କୁହୁକ ଜାଲ । ପ୍ରକୃତିର ସନ୍ତାନ ହୋଇ ରାଜୀବା ତା’ର ଶାସନ ବିରୁଦ୍ଧରେ ଅଭିଯାନ କରୁଛି । ଆପଣାର ମାଟିକୁ ଫିଙ୍ଗି ଫୋପାଡ଼ି ସେ ଅନ୍ୟର ମାଟି ଖୋଳୁଛି…ନା, ନା ଏଜାଲ ତାକୁ ଛିଣ୍ତାଇବାକୁ ପଡ଼ିବ ଏ ମୋହ ଭାଙ୍ଗିବାକୁ ହେବ । ସେଇଠୁ ସେଇ ସଜରେ ଧାଇଁଲା ସେ ଖଣ୍ତଗିରି ଆଡ଼େ ଏକ ମୁହାଁ ହୋଇ ।

 

ଫୁଲିର ଆନନ୍ଦ କହିଲେ ନ ସରେ । ସେଇ ଆନନ୍ଦ ଭିତରେ ଛିଣ୍ତା ସୂତା ଖିଅପରି ଦିଶିଯାଉଥାଏ ରାଜୀବା କେତେବେଳେ କିମିତି, ମନକୁ ଥରାଇ ଦେଉଥାଏ ଏକ ଅଜଣା ଆଶଙ୍କାରେ । ଯଦି ତାକୁ ଖୋଜି ଖୋଜି ରାଜୀବା’ଇ ଆସି ପହଞ୍ଚିଯାଏ ?

 

କି, ଆସୁ, ଆସିଲେ କ’ଣ ହୋଇଯିବ ? କ’ଣଟେ କରିପକାଇବ ସେ ? ଫୁଲି ତ କିଛି ଲେଖା ପଢ଼ି କରିଦେଇ ନାହିଁ ଯେ ସେଇ ରାଜୀବା ଛଡ଼ା ଆଉ କାହାରି ସାଙ୍ଗରେ ସେ କୁଆଡ଼େ ଯିବନାହିଁ । ମୂଲିଆ ମୁଣ୍ତ–ଯେଉଁଠି ମୂଲ ପାଇଲା ସେଠି ଲାଗିଲା । ସେଠି ରାଜୀବା ଛାଡ଼ି ମହାରାଜୀବା ହେଲେ ପାଟି ଫିଟାଇବାର ଯୁ ନାହିଁ ।

 

ଉଦୟଗିରି ହାତୀ ଗୁମ୍ଫାକୁ ଲାଗି ଗୋଟିଏ ରାସ୍ତା ମୋଡ଼ି ମୋଡ଼ି ହୋଇ ଜଙ୍ଗଲ କଡ଼ରେ ବୁଲିଯାଇଛି । ବର୍ଷା ପାଣିରେ ବାଲିସରା ପଡ଼ି ପାହାଡ଼ ଉପର ସେଇ ଅଙ୍କାବଙ୍କା ରାସ୍ତାଟି ପାଦକୁ ଭାରି ମୁଲାଏମ ଲାଗେ । ରାସ୍ତାର ଦୁଇ ପାଖରେ କେତେ ଜାତିକା ଜଙ୍ଗଲୀ ଫୁଲ ଗଛ ଶାଖା ଚତରାଇ ପାହାଡ଼ ତିଖ ଉପରକୁ ମାଡ଼ି ଯାଇଛି । ତାରି ଭିତରୁ ଗୋଟିକର ଡାହି ଧରି ଠିଆ ହୋଇଥାଏ ଫୁଲି । ମୁଣ୍ତ ଜୁଡ଼ାରେ ଖୋସା ହୋଇଥାଏ ଜଙ୍ଗଲୀ ଫୁଲର ଟାହିଆ । ବାସନାରେ ଚହଟି ଯାଉଥାଏ ସେ ଥାନ ମଳାକ । ଗର୍ବରେ ଫୁଲି ଉଠୁଥାଏ ନାକପୁଡ଼ା । ଓଠ ଉପରେ ଝାଳ ଟୋପି ଲାଖିରହି ଗଛ ଛାଇତଳ ଛାପି ତେଣିକି ହାନି ଲାଭ ହେଲେ ମୁଁ ଭୁଲାଇବି । ଗାଁରେ, ସାଈରେ ଆମେ କାହାର ଧାରିଥିଲେ ସିନା ତା’ ପାଖରେ ମୁଣ୍ତ ନୁଆଁଇବା ନଈଲେ ତାଙ୍କ କଥାରୁ ଆମକୁ ମିଳିବ କ’ଣ ? ନାହିଁ ତ ତମେ ଯଦି ରାଜି ନ ହୁଅ, ତେବେ ତମ କଥା ତମେ ବୁଝ । ମୁଁ ମୋର ଚାଲିଲି ।

 

ଆରେ କୁଆଡ଼େ ଚାଲିଲୁ ? କହ ଦାସେ ଜିଭ ଛେଲାଟାକୁ ବାଉଳାରେ ଦାଣ୍ତ ମଝିକି ଫୋପାଡ଼ି ଦେଇ ଅରକ୍ଷିତ ପାଖକୁ ଧାଇଁ ଆସିଲେ । ତୁ କ’ଣ ବାୟା ହେଲୁ ଅରକ୍ଷିତ ? କିରେ ତୁ ନ ହୋଇ କ’ଣ ଏ ଗାଁ ସାଈଆ ହେବେ ? ରାମ ବୋଲ, ତୁ ଆଜି ଯାଇଁ ଝଅଟ ସେ ସୁନାକୁ ନେଇ ଆସିଲୁ । ଆରେ ମୋରେ ବାପରେ, ବାପରେ ।

 

ସେଇ ମୁହୂର୍ତ୍ତରେ ଦାସବୁଢ଼ାଙ୍କ ଟୋପର ଖଞ୍ଜା ଶଗଡ଼ରେ ବଳଦ ଯୋଚା ହେଲେ । ଅରକ୍ଷିତ ପାଞ୍ଚଣ ଖଣ୍ତକ ଧରି ଶଗଡ଼ ଝରା ଉପରକୁ କୁଦି ପଡ଼ିଲା । ବାଟଯାକ ଭାବୁ ଥାଏ, ସୁନେଈ ଯେବେ ରାଜୀବା କଥା ପଚାରେ ତେବେ ଅରକ୍ଷିତ କ’ଣ କହି ତାକୁ ବୋଧ କରିବ । ଭୁବନେଶ୍ଵର ନୂଆ ରାଜଧାନୀରେ ତିନିଦିନ କାଳ ଅନ୍ଦିକନ୍ଦି ବୁଲି ରାଜୀବାକୁ ଖୋଜିଛି ସେ, ହେଲେ ତା’ର ଚିହ୍ନ ବର୍ଣ୍ଣ ବି ମିଳିଲା ନାହିଁ । ଯାହାକୁ ପଚାରିଲେ ସେ ମଥା ହଲାଇ ଦେଇ ଚାଲିଯାଏ । କେବଳ ସେଇ କୁଲୀ ଜଣକ କିଏ ସେ କହିଲା–ହଁ, ହଁ ରାଜୀବା ବୋଲି ଜଣେ କିଏ ସେ କେଉଁ ପଞ୍ଜାବି କାନତରାଟି ପାଖରେ କାମ କରୁଥିଲା, କୁଆଡ଼େ ଗଲା କେଜାଣି । ଅରକ୍ଷିତର ଫେରି ଆସିବା ଛଡ଼ା ଆଉ କିଛି ଉପାୟ ନ ଥିଲା । ସେ ଯାହାହେଉ, ସୁନେଈକି ଏକଥା କହିଲେ ସେ କ’ଣ ବାକି ରଖିବ ! ତାକୁ ଥାକ ଦେଇ କହିବାକୁ ପଡ଼ିବ । ଯେବେ ନ ପଚାରିଲା ତ ନାହିଁ, ଯେବେ ପଚାରେ ଅରକ୍ଷିତ କହିବ–ରାଜୀବା ଅଛିଲୋ ସୁନା, ସେ ଭୁବନେଶ୍ଵରରେ ଜଣେ ବଡ଼ ହାକିମଙ୍କ ପାଖରେ ନଉକରୀ କରୁଛି । ଛୁଟି ନ ମିଳିବାରୁ ଆସିପାରୁ ନଥିଲା । ତୋ ଚିଠି ଗୁଡ଼ାକ ସେ ଜମାରୁ ପାଇ ନାହିଁ । ପାଇଥିଲେ ସେ କ’ଣ ଏମିତିଥି ଟି ହୋଇ ବସିଥାନ୍ତା; ମୋଠୁଁ ତୋ ହାଲ ହରକତ ଶୁଣି ସେ କାନ୍ଦି ପକେଇଲା; କହିଲା–ଅରକ୍ଷିତ ତେମେ ଯାଅକି, ସୁନେଇର ଖବର ଅନ୍ତର ଟିକିଏ ଦେଖାଶୁଣା କରୁଥିବ । ମୁଁ ବାବୁଙ୍କୁ କହି ଦିମାସ ଛୁଟି ନେଇ ଘରୁକୁ ଯିବି ।

 

ବିଛଣାରୁ ଉଠି ବସିବା ଶକ୍ତି ନ ଥିଲା ସୁନେଇର । ଅରକ୍ଷିତ ଡାକରେ ସେ ଘୁଷୁରି ଘୁଷୁରି ବହୁକଷ୍ଟରେ ଦାଣ୍ତଦରଜା ଖୋଲିଲା । ଆଖି ଆଗରେ ଭାବନାର ଜୀବନ୍ତ ବସ୍ତୁକୁ ଦେଖିଲେ ଲୋକ ଯାହା ହୁଏ ସୁନେଇର ଅବସ୍ଥା ତାହିଁ ଆହୁରି ବଳିଗଲା ଅରକ୍ଷିତକୁ ଦେଖି । ଏତେ ବଡ଼ ଆଶା ତା’ର ପଣ୍ତ ହୋଇଗଲା । ସେଇ ଆଶାରେ ସେ ସିନା ପାତ୍ରବଂଶର ମାଟି କାମୁଡ଼ି ଏତେଦିନ ଯାଏଁ ପଡ଼ିରହିଥିଲା ସେ । ଅରକ୍ଷିତ ଯାଇଛି, ସାଙ୍ଗରେ ରାଜୀବାକୁ ଧରି ଭେଟନଈଠାରୁ ଫେରି ଆସିବ ।

 

କିରେ ବାପା ଅରକ୍ଷିତ, କାହାନ୍ତି ସେ

 

ଅରକ୍ଷିତର ପାଟି ଖନି ମାରିଗଲା । ତଥାପି ମନରେ ସାହସ ବାନ୍ଧି ସେ ସୁନେଇର ଆଶା-ଦୀପଟିକୁ ପୁଣିଥରେ ତେଜିଦେଲା ଆଉ କେତେ ଦିନ ଲାଗି । ହେଲେ....ସେ ପେଟକୁ ଧରି ରଖିବା ଶକ୍ତି ହରାଇଲା ପରି ମୁଣ୍ତରେ ହାତ ପିଟି ଢ଼ଳି ପତଳା ଭୂଇଁ ଉପରେ । ତା’ର ଚେତା ବୁଡ଼ିଗଲା ।

 

ଭୁବନେଶ୍ଵର ଡାକ୍ତରଖାନାରେ ଖଣ୍ତେ ଖଟିଆ ଉପରେ ପଡ଼ି ରାଜୀବା ଭାବୁଥାଏ କେତେ ଆଡ଼ର କେତେ କଥା ଡାକ୍ତରବାବୁଙ୍କ ପ୍ରତି ଭକ୍ତିରେ ତା’ର ହୃଦୟ ଉଛୁଳି ଉଠୁଥାଏ । ଆହା, ମଣିଷ ରୂପରେ ଦେବତା ଜଣେ ସେ । ଭଗବାନ ତାଙ୍କର ଅଧିକରୁ ଅଧିକ କରୁଛି । ସେଦିନର ଖଣ୍ତଗିରି ଘଟଣା ମନେ ପଡ଼ିଯାଉଥାଏ ତା’ର । ଛାତି କୋରି ପକାଉଥାଏ । ତା’ରି ସାଙ୍ଗରେ ଯୋଡ଼ିହୋଇ ଦିଶିଯାଉଥାଏ ଫୁଲି । ଦୁନିଆରେ ଏମିତି ଲୋକ ଫେର ବଞ୍ଚିରହନ୍ତି ତ ! କେଡ଼େ ଭଲ କରିଛି ରାଜୀବା ! ଝାଳବୁହା କମେଇ ତା’ର କ’ଣ ନ କଲାଟି ସେ ! ପେଟକୁ ଖାଇଥାନ୍ତା ହେଲେ–ଛାଡ଼ । ଭୁଲିଯିବାକୁ ଯେତେ ଚେଷ୍ଟା କଲେ ବି ଭୁଲିହେଉ ନାହିଁ ମନରୁ ।

 

ଡାକ୍ତର ବାବୁ ତ ସେଇ ମଣିଷରୁ ଜଣେ । ସେ ଯଦି ସେଦିନ ନ ଚାହିଁଥାନ୍ତେ ତେବେ ରାଜୀବାର ପତ୍ତା ବି ମିଳି ନଥାନ୍ତା । ତାଙ୍କର କୃପାରୁ ରାଜୀବା ଆଜି ବାରପଣ ଭଲହୋଇ ସାରିଲାଣି । ଖାଲି ମୁଣ୍ତରୁ ପଟିଟା ଖୋଲା ହେଲେ ସେ ଖଲାସ, ଡାକ୍ତର ବାବୁ ଖଲାସ୍, ସମସ୍ତେ ଖଲାସ୍ । ଆଜି ଡାକ୍ତର ବାବୁ ଦେଖିବାକୁ ଆସି କହିଗଲେ ଯେ ଆଉ ଆଠ ଦଶ ଦିନ ପରେ ତା’ ମୁଣ୍ତର ପଟି ଖୋଲା ହେବ ।

 

ରାଜୀବାକୁ ବେଶୀ ଆଚମ୍ଵିତ ଲାଗେ ଡାକ୍ତର ବାବୁଙ୍କ ବୁଢ଼ୀମାଙ୍କୁ ଦେଖିଲେ । ବଚନ ତାଙ୍କର କି ମଧୁର । ବୁଢ଼ୀ ଶରଧା କରି ତାକୁ ଖଣ୍ତିଆ ବୋଲି ଡାକନ୍ତି । କେତେ କଥା ପଚାରନ୍ତି, ହଇରେ ଖଣ୍ତିଆ, ତୁ ଭଲ ହେଲେ ଆମ ପାଖରେ ରହିବୁ ନା ଆଉ କାହିଁକି ଗୁଡ଼େ ଏଣେ ତେଣେ ବୁଲିବୁରେ ଦୁନିଆ ଲୋକଙ୍କ ମାୟାରେ ପଶି ପାରିଲା ନାହିଁ । ହାତୀ, ଘୋଡ଼ାର ଲୋଭ ଦେଖାଇ ପେକାଳି ବଜାଇଦେବେ । ଆମରି ପାଖରେ ଘର ପୁଅ ହୋଇ ରହିବୁ, ଖାଇବୁ, ପିଇବୁ । ଆଉ ଚିନ୍ତା ବୋଲି କ’ଣ ଜଣ ନାହିଁ ।

 

ରାଜୀବା କିଛି କହିପାରେ ନାହିଁ । ଆଖିର ଚାହାଣିରେ ସମ୍ମତି ଜଣାଏ ।

 

ନୂଆ ଜୀବନ ସପନ ଲହଡ଼ି ଭାଙ୍ଗି ଦେଖାଦିଏ ଭେଟନଈ ଗାଁ । ତା’ର କୋଲର ନଈନାଳ, ବଣବୁଦା, ଗଛବୃଛ, ବିଲବାଡ଼ି ଆଉ ସବୁରି ମଝିରେ ଛାଇତଳର କଳାମୁଗୁନି ପ୍ରତୀମା ସୁନେଇ । ଯେମିତି ଚାହିଁ ରହିଛି କେତେ ଦୂରକୁ, ଯେଉଁଠି ଗେଣ୍ତାଇଆର ଚକାଭଉଁରୀ ଦାଗ ଟାଣିଦିଏ ଥରକୁଥର–ଆଖିରୁ ପାଣି ନିଗିଡ଼ି ପଡ଼େ ଥପ ଥପ–ଡୋଳା ଖୋସି ହୋଇଯାଏ ।

 

ପିଲାଏ ଖଡ଼ିଧରି ଭୂଇଁ ଉପରେ ଅ ଆ ମଡ଼ାଇଲା ପରି ରାଜୀବା ମନରେ ସେଇ ଗୋଟିଏ ଆଶା କେତେ ପ୍ରକାରେ, କେତେ ଭଙ୍ଗିଚାରେ ଚେଇଁ ଉଠୁଥାଏ । ସେ ଡାକ୍ତର ବାବୁଙ୍କ ବୁଢ଼ୀମା’ଙ୍କୁ ଧର୍ମ ମା’ କରିବ । ବେଳଉଣ୍ତି ତାଙ୍କରି ଆଗରେ ଖୋଲି ଦେବ ତା’ ମନ ପେଡ଼ି–ମା’, ମୁଁ ଟିକିଏ ଗାଁକୁ ଯାଆନ୍ତି…

 

କାହିଁକି ଯିବୁରେ, କିଏ ତୋର ସେଠି ଅଛି ?

 

ସେଇଠୁ କ’ଣ ବୋଲି କହିବ ରାଜୀବା ? ହଁ ମା, ସେଠି ଅଛି ମୋର ହୋଇ ଜଣେ । ସେ…ସେ…

 

ରାଜୀବାର ଭାବନାରେ ବାଧା ଦେଇ ଘରୁ ଭିତରକୁ ପସି ଆସିଲେ ଡାକ୍ତର ବାବୁଙ୍କ ମା’ ବୁଢ଼ୀ । ବୁଢ଼ୀଙ୍କ ଅଣ୍ଟା ଲଇଁ ଗଲାଣି ବୟସର ଚାପାରେ । ବାଡ଼ି ଖଣ୍ତିକ ଉପରେ ଭରାଦେଇ ବଢ଼ୀ କେତେବେଳେ କିମିତି ଏପାଖ ସେପାଖ ହୁଅନ୍ତି । କିରେ ଖଣ୍ତିଆ, ପୁଅ ତ କହୁଥିଲା ତୁ ଭଲ ହେଇଗଲୁଣି ବୋଲି, ଏଇଟାରେ ପଡ଼ିଚୁ କିଆଁ ? ଉଠି ବସ, ଟିକିଏ ଚଳ ବିଚଳ କର–କହି ବୁଢ଼ୀ ରାଜୀବା ପାଖରେ ବସି ପଡ଼ିଲେ ।

 

ଏଇତି ବନ୍ଧନ–ସଂସାରର ମାୟା । ରାଜୀବା ଆଖିରୁ ଝରି ପଡ଼ିଲା ଦୁଇଧାର ଲୁହ ଆତ୍ମସନ୍ତୋଷରେ । ମଣିଷ ବୁଝିପାରେ ନାହିଁ; ସୃଜନ ଭେଦରେ ଗୁଡ଼ାଏ ନାମକରଣ କରିପକାଏ– ମା’, ଭଉଣୀ, ସ୍ତ୍ରୀ, ଆଉ ଯାହା ସବୁ । ରାଜୀବାକୁ ମାଡ଼ି ମାଡ଼ି ପଡ଼ିଲା । ତା’ ଭିତରେ ଆତ୍ମ ବିଶ୍ଵାସ ଜମାଟ ବାନ୍ଧିଗଲା–ମା’ ସେ, କହୁଚନ୍ତି, ବସିବି ନାଇଁ କାହିଁକି ?

 

ଆରେ ଖଣ୍ତିଆ, ତୁ ତ କହିଲୁ ନାଇଁ ମତେ, ସେ ଦିନ ଯାହା ପଚାରିଥିଲି ? ବୁଢ଼ୀ ମଥା ଥରାଇ ପଚାରିଲେ ରାଜୀବାକୁ ।

 

କ’ଣ ମା’? କହିଦେଇ ଚମକି ପଡ଼ିଲା ରାଜୀବା । ଯେଉଁ ମା’ ପଦଟି ତୁଣ୍ତରେ ଧରିବା ଆଗରୁ ସେ ଏତେ କଳ୍ପନା ଜଳ୍ପନା କରିଥିଲା, ତାକୁ ଏଡ଼େ ବେଗି କହି ପକାଇ ଜିଭ କାମୁଡ଼ି ରହିଗଲା ସେ ।

 

ଆରେ, ମୋ ପାଖରେ ରହିବା କଥା ପଚାରିଥିଲି ପରା । ଭୁଲା ମନୁଆଟା ଭୁଲିଗଲୁ କିରେ ?

 

ଜନ୍ମମାଟିର ମୋହରେ ରାଜୀବା ବିଭୋର ହୋଇଯାଇଥାଏ । ଆଉ ସେ ସମ୍ଭାଳି ହୋଇ ରହିପାରିଲା ନାହିଁ । ବୁଢ଼ୀଙ୍କ ହାତ ଉପରେ ମଥା ନୁଆଇଁ କହି ପକାଇଲା ତା’ର ବୁକୁ ସାଇତା ବିକଳିଆ କଥା କେତେ ପଦ–ହଁ ମା’, ମୁଁ ରହିବି । ତମରି ପାଦତଳେ ପଡ଼ି ରହିବି, ଜୀବନ ସାରା । ଖାଲି ଗୋଟିଏ ମାଗୁଣି ମୋର । ଅରକ୍ଷ ବୋଲି, ଅଖୋଜା ବୋଲି ଯଦି ଏ ଗରୀବକୁ ପୁଅର ଥାନ ଦେଲ, ତେବେ ମୋର ଏଇ ସାମାନ୍ୟ ମାଗୁଣିଟିକୁ ଗୋଡ଼ରେ ଠେଲି ଦେବ ନାହିଁ । ମୋର ଏ ମହୀମଣ୍ତଳରେ ଜଣକ ଛଡ଼ା ଦୁଇ ବୋଲି କେହି ନାହିଁ । ତମେ ଦୟା କଲେ ତାକୁଇ ଥରେ ଦେଖି ଆସନ୍ତି । ତାକୁ ଥାଇତି କରିଦେଇ ମୁଁ ନିଶ୍ଚିନ୍ତ ହୁଅନ୍ତି । ବାପ କମେଇ ଜମି ଦି ଗୁଣ୍ଠ ବନ୍ଧା ପକାଇ ପଳାଇ ଆସିଥିଲି ଅରବାକୁ । କୋଉ କାଳରୁ, କୋଉ ଯୁଗରୁ ତାକୁ ଏକୁଟିଆ ଗାଁରେ ଛାଡ଼ିଦେଇ ଆସିଚି । ଏଥିକୁ ତମେ ମୋର ଆଶା ଭରସା ।

 

ରାଜୀବାର କହିବା ଭଙ୍ଗୀ ବୁଢ଼ୀଙ୍କ ଆଖିରୁ ରକ୍ତ ଖସାଇ ପକାଇଲା ଲୁହଛଳରେ । ସେ ଆଖିପୋଛି କହିଲେ, କାହାକୁ ସେ ଜଣକ ବୋଲି କହୁଚୁରେ ଖଣ୍ତିଆ, ତୋ ଭାରିଯା ?

 

ରାଜୀବା ମଥାଟେକି ଅନାଇଁ ରହିଲା ଏକ ଲୟରେ ବୁଢ଼ୀଙ୍କ ମୁହଁକୁ । ଉତ୍ତର ଦେବାକୁ ତା’ ପାଟିରେ ଭାଷା ନ ଥିଲା ।

 

ଦୁନିଆକୁ ସାତଚକଟା, ପୋଳୁଅ ଘଣ୍ଟା କରି ପରଖିବା ପାଇଁ ପୁଣି ଥରେ ଫେରି ଆସିଛି ଶ୍ରାବଣ । ଖୋଜିଲା, ନ ଖୋଜିଲା ସବୁଲୋକଙ୍କ ପାଇଁ ଆଣି ଦେଇଛି ସବୁଜ କ୍ଷେତର ମନଲୋଭା ଆକର୍ଷଣ । ଦିଗହଜା ପ୍ରକୃତିର ଆହ୍ଵାନ ଚାରିଆଡ଼େ ଖେଳି ବୁଲୁଛି ସୃଷ୍ଟି ପ୍ରକ୍ରିୟାର ମଧୁଛନ୍ଦରେ ।

 

ଅରକ୍ଷିତର ଧ୍ୟାନ ତେଣେ ନାହିଁ । ଏଇ କେତେକ ଦିନ ହେଲା ତା’ ମନରେ ଘୋଟିଯାଇଛି ଗୋଟେ ବଡ଼ ଧରଣର ନିରୁତ୍ସାହ, ବିମର୍ଷ ଭାବ । ଏଇମିତି କଞ୍ଚାମିଛ କହି ସେ ଆଉ କେତେଦିନ ସୁନେଇକୁ ଭୁଲାଇ ରଖିବ ? ଗାଁ ଲୋକଙ୍କ ଟାହୁଲି ସହି ନ ପାରି ଦାସବୁଢ଼ା ତୀର୍ଥ କରିବା ନାଁରେ କେବୁଠୁଁ ଘର ଛାଡ଼ିଲେଣି । ସୁନେଇ କୋଳରୁ ଛୁଆ ଝିଅଟି ରୋଗିଣୀ ମା’ର ଚମ ବିଦାରି ନୟାନ୍ତ ହୋଇଯାଉଛି । ଅରକ୍ଷିତ ଧାନ ବିକି ଅବା କେତେ ଦିନ ଚଳାଇବ ? ତଥାପି ରାଜୀବା ଫେରିଲା ନାହିଁ । ଚାହୁଁ ଚାହୁଁ ଆସି ବର୍ଷକ ଉପରେ ଧରିଲା । ଆଉ କେତେଟା ଦିନ ଗଲେ ହେବ ଚିତଉ ଅମାସିଆ ।

 

ସେଦିନ ଏମିତି ଅଡୁଆ ତଡ଼ୁଆ ଭାବନାରୁ ବୋଝେ ମନରେ ଭର୍ତ୍ତିକରି ଅରକ୍ଷିତ ବସିଥାଏ ତାଙ୍କ ଘର ଦାଣ୍ତ ଦୁଆର ମୁହଁ ବନ୍ଧ ଉପରେ । ଝଡ଼ି ପାଗ ଯୋଗୁଁ ଦିନ ବାରି ହେଉନଥାଏ-। କେଜାଣି କେଉଁ ଦେବତାର ଅନୁଗ୍ରହରୁ ଡାକ ପିଅନ ଖଣ୍ତେ ଚିଠି ତା’ ହାତକୁ ବଢ଼ାଇ ଦେଇଗଲା-। ଅରକ୍ଷିତ ବଡ଼ ଆଗ୍ରହରେ ଚିଠି ଖଣ୍ତି ପଢ଼ିପକାଇଲା ଦେଇଛି ରାଜୀବା । କୋଟି ଦଣ୍ତବତ ପକାଇ ଲେଖିଛି ଚିତଉ ଅମାସିଆ ଦିନେ ଥାଇ ସେ ଗାଁକୁ ଫେରିବ ବୋଲି । ଅରକ୍ଷିତ ଆନନ୍ଦ ମନରେ ସେ ଖଣ୍ତ ହାତରେ ଧରି ଘର ଭିତରକୁ ପଶିଗଲା । ସୁନେଈ ଆଗରେ ଚିଠି ଖଣ୍ତିକ ପଢ଼ି ଶୁଣାଇ ଦେଲା, ହେଲେ ଜାଣି ପାରିଲା ନାହିଁ ସୁନେଇର ପେଟ ଭିତର କଥା ।

 

ସେଇ ଚିଠି ଖଣ୍ତିକ ପାଇବା ସୁଯୋଗ, କାଳର ଗତି ସଙ୍ଗେ ସଙ୍ଗେ କ୍ରମେ ଦୁର୍ଯ୍ୟୋଗରେ ପରିଣତ ହେଲା । ଦିନେ ସକାଳୁ ଉଠଇ ସୁନେଇ ଜିଦ୍ ଧରିଲା ତା’ ଘରକୁ ଯିବାକୁ । ଅରକ୍ଷିତ ବହୁତ ବୁଝାଇଲେ ମଧ୍ୟ ସେ କିଛି ଶୁଣିଲା ନାହିଁ । ଶେଷକୁ ବାଧ୍ୟହୋଇ ସେ ସୁନେଈକୁ ନେଇ ରାଜୀବା ଖଞ୍ଜାରେ ରାତିବିକାଳି ଛାଡ଼ିଦେଇ ଆସିଲା । ଚିତଉ ଅମାସିଆ ସେ ଦିନକୁ ଥାଏ ମୋଟେ ଚାରିଦିନ । ସେଇ ରାତିଟାରେ ଆଖିରୁ ଲୁହ ପୋଛି ଫେରି ଆସିଥିଲା ଅରକ୍ଷିତ ତା’ ନିଜ ଘରକୁ ।

 

ଦୁଇଦିନଠୁଁ ଶ୍ରାବଣର ମେଘ ଲଗାଇ ଦେଇଥାଏ ଚିତଉ ଅମାସିଆ ଝଡ଼ି । ଅହୋରାତ୍ର ଅବିରାମ ବର୍ଷା । ଭେଟନଈ ଗାଁସାରା ଆଣ୍ଠୁଆଣି ପାଣିର ସୁଅ । ସୁନେଈ କୋଳର ଝିଅଟିର ଦେହ ସୁଖ ନ ଥାଏ । ବରଷା ହାଲପ ଲାଗି ତାକୁ ହୋଇଥାଏ ଶର୍ଦ୍ଦିଜର । ତାକୁ କୋଡ଼ରେ ଧରି ସୁନେଈ ବସିଥାଏ ଘରଟି ଭିତରେ କାନ୍ଥକୁ ଆଉଜି । କେବଳ ତାରି ଲାଗି ଯାବତ ଦୁଃଖ, ଗଞ୍ଜଣା ସହି ପଡ଼ି ରହିଥାଏ ରାଜୀବା ବାଟକୁ ଚାହିଁ । ରାତି ପାହିଗଲେ ଆସିଲା ରାଜୀବାର କଣ୍ଟଦିଆ ଦିନଟି । ସୁନେଇର ଛାତି ପଞ୍ଜରା ଦୋହଲାଇ ବାହାରି ଯାଉଥାଏ ଗୋଟାକୁ ଗୋଟା ଦମକା ନିଃଶ୍ଵାସ ।

 

ସେ ରାତିଟିଯାକ ସୁନେଈ ଆଖିରେ ପଲକ ପଡ଼ନଥାଏ । ସକାଳ ହେଲା ମାତ୍ରେ ବରଷା ପାଣିରେ ଦରତିନ୍ତା ହୋଇ ପହଞ୍ଚିଗଲା ଅରକ୍ଷିତ । କାଖତଳୁ ପୁଡ଼ିଆଟିଏ କାଢ଼ି ସୁନେଇ ହାତକୁ ବଢ଼ାଇଦେଲା ସେ କାଗଜ ଖଣ୍ତେ–ନେଲୋ ସୁନା, ଏ ଜମି ବନ୍ଧକ ତମସୁକଟା ରାଜୀବା ଆସିଲେ ଦେଇଦେବୁ ତା’ ବାପ କମେଇ ଜମି ସେ–ତାକୁ ଆମେ ମାଡ଼ିବସିଲେ ଆମକୁ ଧର୍ମ ସହିବ ନା ! କହିବୁ ତାକୁ, ଆମ ଘରଦୁଆର ତାକୁ ଲାଗିଲା ମୁଁ ଯାଉଛି ବାପାଙ୍କ ଖବର ବୁଝିବାକୁ–କୁଆଡ଼େ ଗଲେ, କ’ଣ ହେଲା କ’ଣ ନହିଁ, କହି ବିଜୁଳି ବେଗରେ ସେ ଥାନ ଛାଡ଼ି ପଳାଇଗଲା ଅରକ୍ଷିତ । ତା’ ଜାଗାରେ ପଡ଼ିରହିଲା ଚାବି କାଠି ପେନ୍ଥାଟା ।

 

ସୁନେଈ ସେଇମିତି ବସିଥାଏ କାନ୍ଥକୁ ଆଉଜି । ହାତମୁଠାରେ ଥାଏ ଜମିବନ୍ଧକ ତମସୁକ ଖଣ୍ତ । ପାଖରେ ପଡ଼ିଥାଏ ରାଜୀବାର ଚିଠି ଖଣ୍ତକ । କୋଳରେ ଛୁଆଟା କାନ୍ଦି କାନ୍ଦି କଳାକାଠ ପଡ଼ିଯାଇଥାଏ । ସୁନେଇ ଆଖିରେ ପଲକ ନାହିଁ କି ପାଟିରେ କଥା ନାହିଁ ।

 

ବାହାରେ ମେଘ ବରଷୁଥାଏ ତୁହାକୁ ତୁହା ସେହିପରି ଅପଲକ, ସୁନେଈ ସାଥିରେ ବାଦ ଲଗାଇ । ମେଘ ଅନ୍ଧାର ସାଙ୍ଗକୁ ସଞ୍ଜ ଅନ୍ଧାର ମିଶି କାଳିଆଭୂତ ପାଲଟି ଯାଇଥାଏ ଯୁଆଡ଼େ ଚାହିଁ । ଖାଲି ହାଣ୍ତିକଳା ପରି ଅନ୍ଧାର । ସେଇ ଅନ୍ଧାର ଠେଲି ଧପଡ଼ି ଥାଏ ରାଜୀବା । ମୁଣ୍ତରେ ମୁଣ୍ତେଇଥାଏ ଗୋଟେ ଶକ୍ତ ବୋଝ । ତା’ ଉପରେ ନୂଆ ଛତାଖଣ୍ତେ ଟାଣୁଆ ଟାଙ୍କୁ ମେଲାଇ ପାଣି ପବନ ସାଙ୍ଗରେ ଉଡ଼ା ଓଟରା ଲଗାଇଥାଏ ।

 

ଗାଁ ଦାଣ୍ତରେ ଆଣ୍ଠୁଏ ପାଣି । ଖାଲ ଢ଼ିପ ବାରି ହେଉ ନାହିଁ । ଭାବନା ପରେ ଭାବନା ଢ଼େଉ ଉଠି ମନଟା ଭିତର ଘାଣ୍ଟି ପକାଉଅଛି ରାଜୀବାର । ସୁନେଈର କ’ଣଟିଏ ହୋଇଥିବ, ଝିଅଟିଏ ନା ପୁଅଟିଏ । ଅରକ୍ଷିତିଆଟା ଦିନରାତି ବସା ବାନ୍ଧିଥିବ ସୁନେଇ ପାଖରେ । ବାନ୍ଧୁପଛେ, ଉପକାରୀ ଲୋକଟା । ଟେକା ଟେକି କରି କିମିତି ଦାସ ବୁଢ଼ାଠୁଁ ଜମି ଦିଗୁଣ୍ଠ ମୁକୁଳାଇବ ଏଇମିତି କେତେ ଭାବନା ।

 

ଆଖି ଆଗରେ ରାଜୀବାର ଘର, ବାପ ଗୋସାପଙ୍କ ଅରଜିଲା ମାଟି । ଏଇଠି ରାଜୀବା ଜନ୍ମ ହୋଇଥିଲା । ପହଣ୍ତତଳ କାଦୁଅ ଟିକେ ମଥାରେ ମାରି ରାଜୀବା ଉଠି ଆସିଲା ଉପରକୁ । ଛତା’ ବନ୍ଦକଲା, ମୁଣ୍ତରୁ ବୋଝ ଓହ୍ଲାଇ ତଳେ ଥୋଇଲା । ଘର ଭିତରକୁ କାନେଇଲା କିଛି ସୋର ଶବ୍ଦ ନାହିଁ । ମା ଛୁଆ ଦୁହେଁ ବୋଧହୁଏ ଶୋଇ ଯାଇଛନ୍ତି । କ’ଣ ବୋଲି ଡ଼ାକିବି ସେ ? ସୁନେଇ ନାଁ ଧରି ଡ଼ାକିବ ତ !

 

ଡାକିଲା–ସୁନେଈ କିଲୋ, ସୁନା…ଲୋ ସୁନା !

 

କିଛି ଜବାବ ନାହିଁ । ଦାଣ୍ତ କବାଟରେ ଠକ୍ ଠକ୍ କରିବ ବୋଲି ହାତ ବଢ଼ାଇଲା ବେଳକୁ ଦେଖିଲା କବାଟଟା ଠିଆ ମେଲା । ଭାବିଲା ସୁନେଈ ୟା ଭିତରେ କେତେବେଳେ ଆସି କବାଟ ଫିଟାଇଦେଇ ଗଲାଣି; ଅଭିମାନ କରି ଜବାବ ଦେଲାନାହିଁ ।

 

ଘର ଭିତରେ ନିଝୁମ ଅନ୍ଧାର । ଡ଼ାକି ଡ଼ାକି ଥକିଗଲା ରାଜୀବା–କିଲୋ ସୁନା ଟିକିଏ ଡ଼ିବିରିଟାକୁ ଲଗାଇ ଦେ ହେଲେ, ଅନ୍ଧାରରେ ଆଖିକି କିଛି ଦିଶୁନାହିଁ ।

 

ସୁନେଈ ଅଭିମାନ କରିଥାଏ ତାରି ଆପଣା କପାଳ ଉପରେ । ଅରକ୍ଷିତ ଗଲାବେଳରୁ ସେଇମିତି କାନ୍ଥକୁ ଆଉଜି ଯେ ବସିଛି…ବସିଛି । ଡ଼ୋଳା ଦିଓଟି ସେଇମିତି ଅପଲକ ରହିଛି, ସତେ ଅବା କେଉଁ ଜନ୍ମ ଜନ୍ମାନ୍ତର ପାଇଁ ଚାହିଁ ରହିଛି କାହାର ଆସିବା ବାଟକୁ । କୋଡରେ ତା’ର ଛୋଟିଆ ଝିଅଟି ରାହାଧରି ରହି ଯାଉଛି କେତେବେଳରୁ ଦେହ ହାତ କାଠ ହୋଇଗଲାଣି ।

 

ରାଜୀବା ବହୁକଷ୍ଟରେ ଦିଆସିଲି ମାରି ଡ଼ିବିରିଟାକୁ ଜାଳି ଘରଭିତରକୁ ଚାହିଁ ଦେଲା, ବସିଛି ସୁନେଇର ଛାଞ୍ଚ କାନ୍ଥକୁ ଆଉଜି;କୋରଡ଼ ଆଖିରେ ଜଳ ଜଳ କରି ଚାହିଁଛି, ଅଥଚ ଜବାବ ହେଉନାହିଁ ।

 

ବଡ଼ ଆଗ୍ରହରେ, ବଡ଼ ଶରଧାରେ ରାଜୀବା ଯାଇଁ ବସି ପଡ଼ିଲା ମା’ ଛୁଆଙ୍କ ପାଖରେ । ଆଖିରେ ତା’ର ପୂରି ଉଠିଥାଏ ମିନତି ଭରା ଲୁହ ।

 

ବାହାରେ ଥରି ଉଠୁଥାଏ ଧାରାଶ୍ରାବଣ ରାଜୀବାକୁ ଉପହାସ କରି, ତା’ରି ଆଖିର ଲୁହଧାର ସଙ୍ଗେ ତାଳ ପକାଇ–ଝପର ଝପ୍…ଝପର ଝ୍‍ପ୍… ।

Image